ଅବ୍ୟକ୍ତ କୋହର ଅଶ୍ରୁଧାର

0

ମଣୀନ୍ଦ୍ର କୁମାର ମେହେର

prayash

ମହାତ୍ମା ଗାନ୍ଧୀ ଅତି ଆନ୍ତରିକ ଭାବରେ ପ୍ରାର୍ଥନା କରୁଥିଲେ ଅଖଣ୍ଡ ଭାରତବର୍ଷର ସ୍ବାଧୀନତା ପାଇଁ। ଆଉ ସ୍ବପ୍ନ ଦେଖିଥିଲେ ଏକ ମହାନ ରାମରାଜ୍ୟର। ତାଙ୍କର ସେଇ ଅପୂର୍ବ ସ୍ନିଗ୍ଧତାପୂର୍ଣ୍ଣ ସ୍ବପ୍ନ କିପରି ଚୂର୍ଣ୍ଣୀଭୂତ ହୋଇଥିଲା, ତାହା କାହାରିକୁ ଅଜଣା ନାହିଁ। ଯେତେବେଳେ ଭାରତର ପ୍ରଥମ ସ୍ବାଧୀନତା ଦିବସରେ ଉପସ୍ଥିତ ରହିବା ପାଇଁ ତାଙ୍କ ପାଖକୁ ପ୍ରେରଣ କରାଯାଇଥିଲା ସଭକ୍ତି ନିବେଦନ, ସେଇ ଆମନ୍ତ୍ରଣକୁ ଗାନ୍ଧିଜୀ ରକ୍ଷା କରିପାରି ନଥିଲେ। ଏକ ଦରିଦ୍ର କୁଟୀରରେ ଉଦ୍‌ଯାପିତ ହୋଇଥିଲା ତାଙ୍କର ସେହି ଅଗଷ୍ଟ ପନ୍ଦର ଦିନଟି, କିନ୍ତୁ ଏହି ସ୍ବାଧୀନତା ଦିବସ ଉପଲକ୍ଷେ ସେ ପ୍ରେରଣ କରିଥିଲେ ଯେଉଁ ଅନ୍ତରକୁ ତୀବ୍ର ଭାବରେ ଆନ୍ଦୋଳିତ କରିଦେବାର ବାର୍ତ୍ତା, ତାହା ସ୍ମରଣ କରିବା ମାତ୍ରକେ ଆଜିବି ହୃଦୟ ସହସ୍ରଥର କମ୍ପିତ ହୋଇଉଠେ। ଏକ ବୃକ୍ଷତଳେ ଉପବିଷ୍ଟ ହୋଇଥାନ୍ତି ଗାନ୍ଧିଜୀ। ସନ୍ଦେଶ ବାହକ ତାଙ୍କ ପାଖରେ ଉପସ୍ଥିତ ରହି ଗାନ୍ଧିଜୀଙ୍କ ବାର୍ତ୍ତାନେଇ ପହଞ୍ଚାଇବା ପାଇଁ ଥିଲେ ପ୍ରସ୍ତୁତ। ଏହି ସମୟରେ ଗାନ୍ଧିଜୀ ବୃକ୍ଷରୁ ବିଚ୍ୟୁତ ହୋଇ ତଳେ ପଡ଼ିଥିବା ଏକ ପତ୍ରକୁ ଉଠାଇ ଆଣିଲେ ତାଙ୍କ ଡାହାଣ ହାତରେ। ସେତେବେଳେ ଗାନ୍ଧିଜୀଙ୍କ ହୃଦୟରେ ଅବ୍ୟକ୍ତ କୋହର ମହାସାଗର ଉଦ୍‌ବେଳିତ। ଚକ୍ଷୁ ଦୁଇଟିରୁ ଝରିପଡ଼ୁଥିଲା ଧାରଧାର ଅଶ୍ରୁର ପ୍ରବାହ। ଗାନ୍ଧିଜୀ ତାଙ୍କ ଡାହାଣ ହସ୍ତରେ ଧରିଥିବା ଶୁଖିଲା ପତ୍ରଟି ଉପରେ ସେ ଲୁହଧାରରୁ ବିନ୍ଦୁବିନ୍ଦୁ ଅଶ୍ରୁ ଝରିପଡ଼ି ପତ୍ରଟି ସେଥିରେ ସିକ୍ତ ହୋଇଉଠିଲା। ଗାନ୍ଧିଜୀ ଶବ୍ଦରେ ସ୍ବାଧୀନତା ଦିବସ ପାଇଁ କିଛି ବାର୍ତ୍ତା ଦେଇପାରିଲେ ନାହିଁ। ଅଶ୍ରୁସିକ୍ତ ସେ ପତ୍ରଟିକୁ ସନ୍ଦେଶବାହକ ହସ୍ତରେ ସେ ପଠାଇ ଦେଇଥିଲେ ପ୍ରିୟ ନେହେରୁଙ୍କ ପାଖକୁ।
ଗାନ୍ଧିଜୀ ପ୍ରସଙ୍ଗ କ୍ରମେ କହିଥିଲେ, ଭାରତବର୍ଷର କୋଟିକୋଟି ଜନତାର ଆଖିରୁ ବହିପଡ଼ୁଥିବା ଲୁହଧାର ସମ୍ପୂର୍ଣ୍ଣଭାବରେ ପୋଛି ଦେବାପାଇଁ ସେ ଶପଥବଦ୍ଧ ଓ ନିରତ ପ୍ରାର୍ଥନାରତ। ଯିଏ ଅଗଣିତ ଜନତାର ଅଶ୍ରୁଧାରକୁ ତାଙ୍କ ସ​‌େ​‌ମ୍ବଦନଶୀଳ ହାତରେ ପୋଛିଦେବା ପାଇଁ ଚାହିଁଥିଲେ, ତାଙ୍କର ନିଜସ୍ବ ଦୁଇଟି ଆଖି ଏହିଭଳି ଭାବରେ ହୋଇଯାଇଥିଲା ଲୋତକପୂର୍ଣ୍ଣ। ସେଇ ଲୋତକ ବିନ୍ଦୁର ଅଥୟ କ୍ରନ୍ଦନ ଆଜିବି ଭାରତର ବାୟୁମଣ୍ଡଳ ଭିତରେ ପ୍ରତିଧ୍ବନିତ। ଯେଉଁ ଅଖଣ୍ଡ ଭାରତବର୍ଷର ପରିକଳ୍ପନା କରିଥିଲେ ଗାନ୍ଧିଜୀ, ଯେଉଁ ସତ୍ୟ ଏବଂ ଅହିଂସାର ମହାଶକ୍ତିକୁ ଭାରତଭୂମିରେ ପ୍ରୋଥିତ କରିବାର ନିରବଚ୍ଛିନ୍ନ ସାଧନା କରିଥିଲେ ଜୀବନରେ, ଏକ ସମୃଦ୍ଧିଶାଳୀ, ଆଧ୍ୟାତ୍ମିକ ଶକ୍ତିସମ୍ପନ୍ନ ରାଷ୍ଟ୍ରରେ ଭାରତକୁ ପରିଣତ କରିବାପାଇଁ ସେ ଯେଉଁ ସ୍ବପ୍ନ ରଚନା କରିଥିଲେ, ତାହା କିପରି ଧୂଳିସାତ୍‌ ହୋଇଗଲା, ସାମ୍ପ୍ରଦାୟିକ ଦଙ୍ଗାରେ ଭାରତମାତାର ଆତ୍ମା କିପରି ବିଳାପ କରି ଉଠିଲା, ତାହା ନିଜେ ସେ ଜୀବନର ଅନ୍ତିମ ପର୍ଯ୍ୟାୟରେ ପ୍ରତ୍ୟକ୍ଷ କରିଥିଲେ।
ଗାନ୍ଧିଜୀଙ୍କ ବକ୍ଷକୁ ନାଥୁରାମଙ୍କ ଶକ୍ତ ଗୁଳି ବିଦ୍ଧ କରିବା ପୂର୍ବରୁ ଶତଧା ବିଦୀର୍ଣ୍ଣ ହୋଇଯାଇଥିଲା ତାଙ୍କର ଅନ୍ତରାତ୍ମା। ଖଣ୍ଡବିଖଣ୍ଡିତ ହୋଇ ଛିଟିକି ପଡ଼ିଥିଲା ହୃଦୟର କୋମଳତମ ଅଂଶସବୁ। ‘ହେ ରାମ ଶବ୍ଦରେ ନିଜ ଆତ୍ମା, ପ୍ରଗାଢ଼ ପ୍ରାର୍ଥନା ସମ୍ମିଳିତ କରି ସେ ଶେଷ ନିଃଶ୍ବାସ ତ୍ୟାଗ କଲେ। ତାଙ୍କ ମହନୀୟ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଭାବରେ ସମଗ୍ର ଭାରତବର୍ଷର ବିିଭିନ୍ନ ସ୍ଥାନରେ ଶୋଭା ପାଇଲା ତାଙ୍କର ଅସଂଖ୍ୟ ପ୍ରତିମୂର୍ତ୍ତି। ରାତ୍ରିର ଗଭୀର ଅନ୍ଧକାର ମଧ୍ୟରେ କେହି ଯଦି ତାଙ୍କ ପ୍ରତିମୂର୍ତ୍ତିର ନିକଟତର ହୁଏ, ଆଉ ଶୁଣିବାକୁ ଚାହେଁ ଗାନ୍ଧୀ ଆତ୍ମାର ସ୍ପନ୍ଦନ, ସେ ନିଶ୍ଚିତ ଭାବରେ ଶୁଣିପାରିବ ସେଇ କୋମଳ ଦରଦୀ ଅହିଂସ ଆତ୍ମାର ବିଳାପକୁ। ଆଉ ଯଦି କେହି ତାଙ୍କର ପ୍ରତିମୂର୍ତ୍ତିର ଦୁଇଆଖି ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରିବ, ସେ ମଧ୍ୟ କୌଣସି ପ୍ରଚକ୍ଷୁର ବିନା ସାହାଯ୍ୟରେ ଦେଖିପାରିବ ଦୁଇଆଖିରୁ ତାଙ୍କର ବୋହୁଥିବା ଉଷ୍ଣ ଲୋତକଧାରାକୁ।
ଭାରତଭୂମି ଉପରେ ପ୍ରତିଷ୍ଠିତ ହୋଇଥିବା କୌଣସି ଗାନ୍ଧୀମୂର୍ତ୍ତି ଜୀବନହୀନ ନୁହନ୍ତି। ସେମାନେ କେବଳ ଧାତୁନିର୍ମିତ ନିଷ୍ପ୍ରାଣ ବିଗ୍ରହ ନୁହନ୍ତି। ତା’ରି ଭିତରେ ମହାତ୍ମାଙ୍କ ଆତ୍ମାର ସ୍ପନ୍ଦନ ବିରାଜିତ ହୋଇ ରହିଛି ତା’ର ସକଳ ବେଦନା ବରଣକରି। ଗାନ୍ଧିଜୀଙ୍କ ଆଖିର ଏହି ଲୁହଧାରକୁ ପୋଛି ଦେବାର ଆନ୍ତରିକତା ଆମ ଭିତରେ ଜନ୍ମନେଲେ ତାହାହିଁ ହେବ ତାଙ୍କ ଏକଶତ ପଚାଶତମ ଜୟନ୍ତୀ ପାଳନର ପ୍ରକୃତ ସଫଳତା। ଗାନ୍ଧିଜୀ ୧୨୫ ବର୍ଷ ବଞ୍ଚିବାର ଅଭିଳାଷ ପୋଷଣ କରିଥିଲେ। ତା’ପୂର୍ବରୁ ତାଙ୍କର ପାର୍ଥିବ ଶରୀରକୁ ବିଦ୍ଧକଲା କ୍ରୂର ଓ ନିଷ୍ଠୁର ପିସ୍ତଲର ଗୁଳି। ଆଉ ତା’ ପରେ? ତା’ପରେ ୧୫୦ବର୍ଷ ପର୍ଯ୍ୟନ୍ତ ଗାନ୍ଧିଜୀ ଏବେବି ବଞ୍ଚି ରହିଛନ୍ତି ଅନବରତ ଅଶ୍ରୁବିସର୍ଜନ କରି। ସେହି ଅଶ୍ରୁଧାରକୁ ପୋଛି ଦେବାର ଶକ୍ତି, ଆନ୍ତରିକତା ଓ ହୃଦୟବତ୍ତା ଆମର ରହିଛି ତ?
ପ୍ରାଧ୍ୟାପକ, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟବିଭାଗ, ଉତ୍କଳ ବିଶ୍ବବିଦ୍ୟାଳୟ,, ଭୁବନେଶ୍ବର-୪

Leave A Reply