ବନ୍ଦ୍ ପଡ଼ିଥିବା ବଡ଼ମ୍ବା ସମବାୟ ଚିନିକଳ ଏବେ ଚୋରଙ୍କ ଚାଟଶାଳୀ
ବଡ଼ମ୍ବା:କେଉଁ ଦିନ ଉଚ୍ଚଶକ୍ତି ସମ୍ପନ୍ନ ମଟର ଓ ଦାମିକିଆ ବିଦ୍ୟୁତ ଯନ୍ତ୍ରାଂଶ ତ କେଉଁ ଦିନ କାର୍ମଚାରୀଙ୍କ ଆବାସରୁ କବାଟ, ଗ୍ରୀଲ ଓ ପାଣି ପାଇପ୍ ଚୋରୀ ହେଉଛି। ଦୀର୍ଘ ପ୍ରାୟ ୧୭ବର୍ଷ ଧରି ବନ୍ଦ୍ ପଡ଼ିଥିବା ଏବଂ ଭୁତକୋଠୀ ହୋଇଥିବା ଏହି ସମବାୟ ଚିନିକଳର ସୁରକ୍ଷା ପ୍ରତି କାହାର ଟିକିଏ ନଜର ନରହିବା ବିଡ଼ମ୍ବନା। ଫଳରେ ସାହାସ ପାଇ ଚୋରମାନେ ପଛକୁପଛ ଲୁହା, ତମ୍ବା, ପିତଳ ଏବଂ ଚିନିକଳ ପରିସରରେ ଥିବା ମୂଲ୍ୟବାନ ଶାଗୁଆନ ତଥା ଅନ୍ୟ କିସମର ବିରାଟ ଗଛ ସବୁ ଦିନରାତି ଅକ୍ଳେଶରେ ଚୋରୀ କରୁଥିବା ଦେଖାଯାଉଛି। ରୀତିମତ ଚିନିକଳରେ ତାଣ୍ଡବଲୀଳା ଲଗାଇଥିବା ଚୋରଙ୍କ ଏଭଳି କାର୍ଯ୍ୟକଳାପ ଏବଂ ଚିନିକଳର ଦୟନୀୟ ଅବସ୍ଥା ଦେଖି ଲୋକଙ୍କୁ ଦୁଃଖ ଲାଗିବା ଛଡ଼ା ଅନ୍ୟକିଛି ଗତି ନଥିବା ମନେହେଉଛି। ପରିସ୍ଥିତି ଏଭଳି ଯେ ଦିନେ କୋଟିକୋଟି ଟଙ୍କାର ଲାଭ ଅର୍ଜନ କରୁଥିବା ଏହି ଚିନିକଳର ପରିସର ଏବେ ଚୋରଙ୍କ ଚାଟଶାଳୀ ପାଲଟିଥିବା ସାଧାରଣରେ ଚର୍ଚ୍ଚାକରାଯାଉଛି। କାରଣ ଏଠି ଜିଲାପାର ଚୋର ଓ ସେମାନଙ୍କ ଦଲାଲଙ୍କ ସମେତ ସ୍ଥାନୀୟ ଚୋର ମିଳିମିଶି ଏହି ଚୋରୀ କରୁଥିବା ଚର୍ଚ୍ଚା ହେଉଛି। ଲୁହା ଏବଂ କାଠ କଟର ସହିତ କିଛି ମହିଳାଙ୍କୁ ଆୟୁଦ୍ଧ କରି ମୂଲ୍ୟବାନ ଜିନିଷ ସବୁ ଚୋରମାନେ କାଟିକୁଟି କବାଡ଼ିଆଙ୍କୁ ଚାଲାଣ କରୁଥିବା ସାଧାରଣରେ ଅଭିଯୋଗ ହେଉଛି। ଆଶ୍ଚର୍ଯ୍ୟର ବିଷୟ ଉକ୍ତ ଚିନିକଳର ମଜବୁତ ଲୁହା ମୁଖ୍ୟଫାଟକ ରାଜ୍ୟ ରାଜପଥ କଡ଼ରେ ହୋଇଥିବା ବେଳେ ପୁଲିସ ପଇଁତରାକୁ ଚୋରମାନେ ଭୃକ୍ଷେପ ନକରି ଉକ୍ତ ଲୁହା ଗେଟ୍ କିଛିଦିନ ତଳେ କାଟି ନେଇଛନ୍ତି।
ସେହିଭଳି ଅନ୍ଧକାରର ସୁଯୋଗନେଇ ଏହାର ଉତ୍ତରପୂର୍ବ ପାର୍ଶ୍ବରେ ଥିବା ଚିନିକଳର ଅନ୍ୟଏକ ଫାଟକର ଲୁହା ଗେଟ ମଧ୍ୟ ଚୋରୀ ହୋଇଥିବା ଲୋକଙ୍କୁ ଚକିତ କରିଛି। କହିବାକୁ ଗଲେ ଏହି ଚନିକଳର ବିବାଦୀୟ ବିକ୍ରିବଟା ପରେ ଏହାର ମାଲିକାନା ଜାହିର କରୁଥିବା ଏକ ଘରୋଇ କମ୍ପାନି ତାର କିଛି କର୍ମଚାରୀ ଏବଂ ଜଗୁଆଳିଙ୍କ ହାତରେ ଚିନିକଳ ସୁରକ୍ଷା ଛାଡ଼ିଛି। ତେବେ ଘଟଣାରୁ ଯାହା ଜଣାପଡ଼ୁଛି ଏବଂ ସାଧାରଣରେ ପ୍ରଶ୍ନ ଉଠୁଛି ଏତେ ବଡ଼ ଧରଣର ଚୋରୀ ରୀତିମତ ଚାଲିଥିବା ବେଳେ ଏହି କର୍ମଚାରୀମାନେ କରୁଛନ୍ତି କ’ଣ ? ରକ୍ଷକ ଏଠି ଭକ୍ଷକ ଭୂମିକା ନେଇ ନାହାନ୍ତି ତ; ଯାହାକି ତଦନ୍ତ ପରିସରଭୁକ୍ତ ହେବା ଉଚିତ ବୋଲି ସାଧାରଣରେ ଦାବି ହେଉଛି। କୋଟିକୋଟି ଟଙ୍କାର ଶାଗୁଆନ ବଣ ଚିନିକଳରେ ପରିସରରେ ରହିଛି। ଗୋଟିଗୋଟିଏ ଗଛର ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଉଛି। ସେଥିରୁ ଅନେକ ଇତି ମଧ୍ୟରେ ଚୋରୀ ହୋଇ ସାରିଛି। କାର,ଟ୍ରାକ୍ଟର ସମେତ ଚିନିକଳର କିଛି ଗାଡ଼ି ଖତ ଖାଉଛି। ସେଥିରୁ ମଧ୍ୟ ଟ୍ରାକ୍ଟର ଡାଲା ଚୋରୀ ହୋଇ ସ୍ଥାନୀୟ ଅଞ୍ଚଳରେ ବିକ୍ରି ହୋଇଥିବା ଚର୍ଚ୍ଚା ହେଉଛି। ତେବେ ପୁଲିସ ପ୍ରଶାସନ ଆଖିରେ ଧୁଳି ଦେଇ ଚାଲିଥିବା ଏଭଳି ଚୋରୀ ଘଟଣା ବହୁ ବିଳମ୍ବରେ ପ୍ରଘଟ ହେବାରେ ଇତିମଧ୍ୟରେ ପୁଲିସର ନିଦ ଭାଙ୍ଗିଛି। ଫଲସ୍ୱରୁପ ଚିନିକଳରୁ ଚୋରୀ କରୁଥିବା ଅଭିଯୋଗରେ ସ୍ଥାନୀୟ ପୁଲିସ ଏଥିରେ ସଂପୃକ୍ତ ଥିବା ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଦେଖିବାର ଅଛି ଏହି ଚୋରଙ୍କ ସମେତ ଅନ୍ୟ କିଏକିଏ ଏଥିରେ ସଂପୃକ୍ତ ଅଛନ୍ତି,ଚୋରୀ ଯାଇଥିବା ମୂଲ୍ୟବାନ ଜିନିଷ କେଉଁ ଆଡ଼େ ଚାଲାଣ ହୋଇଛି ଏବଂ କିଏ ଏସବୁ ଜିନିଷ ଚୋରଙ୍କଠୁ କିଣିଛନ୍ତି ସେସବୁର ବିଧିବଦ୍ଧ ତଦନ୍ତ ସ୍ଥାନୀୟ ଲୋକ ଦାବି କରିଛନ୍ତି।
Comments are closed.