କ୍ରୀଡା ଓ ଯୁବସେବା ବିଭାଗର ସହଯୋଗରେ ଆଇଟିଆଇରେ ହେବ କ୍ରୀଡାର ବିକାଶ

ଭୁବନେଶ୍ୱର:ଦକ୍ଷତା ବିକାଶରେ କ୍ରୀଡାର ଗୁରୁତ୍ୱ ରହିଛି । ତେଣୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅଧୀନସ୍ଥ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ, କ୍ରୀଡା ଓ ଯୁବସେବା ବିଭାଗ ଏବଂ ଟାଟା ଷ୍ଟ୍ରାଇଭର ମିଳିତ ସହଭାଗିତାରେ ‘ଲେଟ୍‌ ଅସ୍‌ ପ୍ଲେ ଆଇଟିଆଇ’ ନାମକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହା ଫଳରେ କ୍ରୀଡା ଓ ଯୁବସେବା ବିଭାଗ ଅଧୀନସ୍ଥ କ୍ରୀଡା ଛାତ୍ରାବାସର ପୁରାତନ ପ୍ରଶିକ୍ଷାର୍ଥୀମାନେ କ୍ରୀଡା ଚେଞ୍ଜ ଲିଡର ଭାବେ ଆଇଟିଆଇରେ ନିଯୁକ୍ତି ପାଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ।
ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ କ୍ରୀଡ଼ା ସହିତ ଦକ୍ଷତା ବିକାଶକୁ ଯୋଡି କ୍ୟାରିୟର କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ପାଇଁ ପ୍ରୟାସ ଆରମ୍ଭ କରାଯାଇଛି। କ୍ରୀଡ଼ା ଛାତ୍ରାବାସରୁ ଉତ୍ତୀର୍ଣ୍ଣ ହୋଇଥିବା ଅନେକ ଯୁବକଯୁବତୀଙ୍କୁ ଏହା ନୂଆ ବୃତ୍ତି ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ନୂତନ ଭାବେ ନିଯୁକ୍ତି ପାଇଥିବା କ୍ରୀଡାଛାତ୍ରାବାସର ପୁରାତନ ଛାତ୍ରମାନଙ୍କ ବୃତ୍ତିଗତ ଜୀବନକୁ ଅଧିକ ଗତିଶୀଳ କରାଇବା ସହ ରାଜ୍ୟ କ୍ରୀଡ଼ାକୁ ଏହା ଏକ ନୂତନ ଦିଗ ପ୍ରଦାନ କରିବ ବୋଲି ସେ କହିଛନ୍ତି।
ସମ୍ମାନିତ ଅତିଥି ଭାବେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀ ଯୋଗଦେଇ କହିଥିଲେ ଯେ ଶରୀର ମନ ଆତ୍ମା ତଥା ସର୍ବାଙ୍ଗୀନ ବିକାଶ ଦୃଷ୍ଟିକୋଣରୁ ଦକ୍ଷତା ବିକାଶକୁ ଦେଖିବାକୁ ହେବ।କ୍ରୀଡା ଚେଞ୍ଜ ଲିଡରମାନଙ୍କ ହାତରେ ନୂତନ ଭବିଷ୍ୟତ ସୃଷ୍ଟି ହେବାକୁ ଯାଉଛି। ଜୀବନର ଖେଳରେ ପ୍ରତିନିଧିିତ୍ୱ, ପ୍ରତିଦ୍ୱନ୍ଦିତା ଏବଂ ପରାକାଷ୍ଠା ପାଇଁ ଆଇଟିଆଇ ଗୋଟିଏ ମଞ୍ଚ ହେବ, ତାହା ହିଁ ଆମର ସ୍ୱପ୍ନ ବୋଲି ଶ୍ରୀ ବାଗ୍‌ଚୀ କହିଥିଲେ।
କ୍ରୀଡା ଓ ଯୁବସେବା ବିଭାଗର ଶାସନ ସଚିବ ଆର ଭିନିଲ କ୍ରୀଷ୍ଣା କହିଥିଲେ ଯେ କ୍ରୀଡା ସହ ସ୍କିଲର ସହଭାଗିତା ହେବା ଏକ ଐତିହାସିକ ଦିନ ଅଟେ। ଶିକ୍ଷା ପାଠ୍ୟକ୍ରମରେ କ୍ରୀଡାକୁ ଏକ ସମ୍ପୁର୍ଣ୍ଣ ବିଷୟ ଭାବେ ସାମିଲ କରିବା ଜରୁରୀ। ସେ ଆହୁରି ମଧ୍ୟ କହିଥିଲେ ଯେ କ୍ରୀଡା ଇକୋ-ସିଷ୍ଟମକୁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ସହ ଯୋଡିବା ଦ୍ୱାରା କ୍ରୀଡା ଛାତ୍ରାବାସର ପ୍ରଶିକ୍ଷାର୍ଥୀଙ୍କ ନିଯୁକ୍ତିର ପଥ ଉନ୍ମୁକ୍ତ ହୋଇପାରିବ । ଏହି ଅବସରରେ ଟାଟା ଷ୍ଟ୍ରାଇଭର ସିଇଓ ଅନିତା ରାଜନ କହିଥିଲେ, ସ୍କିଲ ଏବଂ କ୍ରୀଡା ସହ ସହଭାଗିତା ସୃଷ୍ଟି କ୍ଷେତ୍ରରେ ଓଡିଶା ଦେଶରେ ପ୍ରଥମ ଓ ଅନନ୍ୟ। କ୍ରୀଡା ଚେଞ୍ଜ ଲିଡରମାନେ ଏହି କାର୍ଯ୍ୟକ୍ରମକୁ ପ୍ରତିନିଧିିତ୍ୱ କରିବେ ଏବଂ ଏହା ଆଇଟିଆଇର ଅଧ୍ୟକ୍ଷମାନଙ୍କ ପାଇଁ ଏକ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ସେ କହିଥିଲେ।

prayash

ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦେଶକ ରେଘୁ ଜି ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ ଦକ୍ଷତା ବିକାଶରେ ମହିଳାମାନଙ୍କୁ ଅଧିକ ପ୍ରତ୍ସାହନ କରାଯାଉଛି। ଯୁବତୀମାନଙ୍କର ସୁବିଧା ପାଇଁ ନୂତନ ଆଇଟିଆଇମାନଙ୍କରେ ସ୍ୱତନ୍ତ୍ର ପୋଷାକ ପରିବର୍ତ୍ତନ କକ୍ଷ ତିଆରି ହେବ। ଆଇଟିଆଇରେ ରାତ୍ରିକାଳୀନ କ୍ରୀଡା ବ୍ୟବସ୍ଥା ପାଇଁ ଜାତିସଂଘ ମହିଳା ଏବଂ ପ୍ରୋ ସ୍ପୋର୍ଟ୍ସ ସହ ସହଭାଗିତା କରାଯାଇଛି ବୋଲି ଶ୍ରୀ ରେଘୁ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ସ୍ୱତନ୍ତ୍ର ଆଇଟିଆଇ ଜଟଣୀରେ ଭିନ୍ନକ୍ଷମମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କ୍ରୀଡା ଚେଞ୍ଜ ଲିଡରମାନଙ୍କର ଆବଶ୍ୟକତା ରହିଛି।
ପ୍ରାଥମିକ ପର୍ଯ୍ୟାୟରେ ଗୋପବନ୍ଧୁ ଆଇଟିଆଇ ଆମ୍ବାଗୁଡା, ସରକାରୀ ଆଇଟିଆଇ ହୀରାକୁଦ, ଆଇଟିଆଇ ଉମରକୋଟ, ଆଇଟିଆଇ ମାଲକାନଗିରି, ଆଇଟିଆଇ ବ୍ରହ୍ମପୁର, ଆଇଟିଆଇ ଭବାନୀପାଟଣା, ଆଇଟିଆଇ ରାୟଗଡା, ଆଇଟିଆଇ ବଲାଙ୍ଗୀର, ଆଇଟିଆଇ ଗନ୍ଧମାର୍ଦ୍ଦନ, ଆଇଟିଆଇ ରାଉରକେଲା, ପୂର୍ଣ୍ଣଚନ୍ଦ୍ର ଆଇଟିଆଇ, ଟିଟିଆଇ ତକତପୁର, ସ୍ୱତନ୍ତ୍ର ଆଇଟିଆଇ ଜଟଣୀ, ଆଇଟିଆଇ କଟକ, ଆଇଟିଆଇ ବଡବିଲ, ଆଇଟିଆଇ ଫୁଲବାଣୀ ଏବଂ ଆଇଟିଆଇ ବାଲେଶ୍ୱର ସର୍ବମୋଟ ୧୭ଟି ଆଇଟିଆଇରେ ପାଇଲଟ ପ୍ରକଳ୍ପ ଭାବେ ଏହାକୁ ଆରମ୍ଭ କରାଯାଇଛି।
ଏହି କାର୍ଯ୍ୟକ୍ରମକୁ ଟାଟା ଷ୍ଟ୍ରାଇଭ ଓଡିଶା ମୁଖ୍ୟ ସଞ୍ଜୋଗିତା ମିଶ୍ର ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ, ଶ୍ରୀ ପିନାକୀ ପଟ୍ଟନାୟକ, ଯୁଗ୍ମ ସଚିବ, ରେଣୁପ୍ରଭା ନାୟକ, ୱାର୍ଲï ସ୍କିଲ ସେଣ୍ଟରର ଅଧ୍ୟକ୍ଷ, ସଙ୍ଗରନ ଗୋପାଳ, ଟାଟା ଷ୍ଟ୍ରାଇଭ ଚେଞ୍ଜ ଲିଡର ଏବଂ ଆଇଟିଆଇର ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ।

kalyan agarbati

Comments are closed.