ହାତୀ ଦାନ୍ତ ପରେ ବାଘ ଛାଲ ଜବତ, ୧ ଗିରଫ

-ସୁଡଙ୍ଗ ଖୋଳାରୁ ବନ୍ୟ ଜନ୍ତୁ ଶୀକାର

ବଲାଙ୍ଗିର: ବନ ବିଭାଗ ହାତରେ ଜଙ୍ଗଲ ସୁରକ୍ଷା ଦାୟିତ୍ୱ। ଜଙ୍ଗଲକୁ କାଠ ମାଫିଆଙ୍କ ନଜରରୁ ବଞ୍ଚାଇବେ, ବନ୍ୟଜନ୍ତୁ ଶିକାର ରୋକିବା ସହ ବନିକରଣ କରିବେ। ଲୋକଙ୍କୁ ଜଙ୍ଗଲ ସୁରକ୍ଷା ଦିଗରେ ସଚେତନ କରିବା ଉପରେ ଗୁରୁତ୍ୱ ଦେବେ। ତେବେ ମୁରୁବାହାଲ ବନାଞ୍ଚଳର ତିଖାରୀ ଜଙ୍ଗଲରେ ରତ୍ନ ପଥର ପାଇଁ ଶହ ଶହ ଫୁଟର ଶତାଧିକ ସୁଡଙ୍ଗ ଖୋଳା ଯାଇଛି। ହାତୀ ଦାନ୍ତ ଓ ବାଘ ଛାଲ ଏସ୍ଟିଏଫ୍ ଜରିଆରେ ଜବତ ହୋଇଛି। ଶିକାରୀ ମୁରିବାହାଲ ବ୍ଲକ ହଲଦୀ କର୍ଲାପିଟା ଜଙ୍ଗଲରେ ଶିକାର କରିବାକୁ ଯାଇଥିବା ବେଳେ ପୁଲିସ ସୂଚନା ପାଇ ୪ଜଣଙ୍କୁ ଗିରଫ କରିବା ଓ ୮ଟି ଦେଶୀ ବନ୍ଧୁକ, ଗୁଳି ତଥା ବିସ୍ଫୋରକ ଜବତ କରିବା ଘଟଣା ବନ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି।
ଜଙ୍ଗଲରୁ ବେଆଇନ ଭାବେ ଗଛ କାଟି ଆଣୁଥିବା ଗାଡି ଓ କାଠ ଜବତ, ଚଢଉ କରି ଜାଳେଣି କାଠ ଧରିବା; ଏଭଳି ମାମଲାଗୁଡ଼ିକରେ ବନ ବିଭାଗ ବେଶ ତତ୍ପର। ସରକାରୀ ଅନୁଦାନରେ ଜଙ୍ଗଲର ବିକାଶ ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦିଗରେ ବନ ବିଭାଗର ବିଶେଷ ଆଗ୍ରହ। କିଛି ମାଫିଆଙ୍କୁ କାଠ କାରବାରରେ ଗିରଫ ବି କରୁଛି ବନ ବିଭାଗ। ତେବେ ଚନ୍ଦନଭାଟି ବରକାନି ନିକଟରୁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଦଳ ଆସି ବିରଳ ବଜ୍ରକାପ୍ତା ଉଦ୍ଧାର ସହ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଦିନ ତଳେ ବଲାଙ୍ଗିର ମାଲପଡ଼ାର ନୁରିନ ସେଠ୍ ୬ଟି ହାତୀ ଦାନ୍ତ ଚାଲାଣ କରୁଥିବା ବେଳେ ବୋଷ କଲୋନୀ ନିକଟରୁ ଗିରଫ କରି ଦାନ୍ତଗୁଡ଼ିକୁ ଜବତ କରାଯାଇଛି। ଗିରଫ ନୁରିନଙ୍କ କହିବା ଅନୁସାରେ, ତାଙ୍କୁ ଦି’ ପଇସା ମିଳିବ ବୋଲି ଟିଟିଲାଗଡର ସୁନୀଲ ନାମକ ବ୍ୟକ୍ତି ଏହି ହାତୀ ଦାନ୍ତ ଦେଇଥିଲେ। ମୂଲଚାଲ ପରେ ଗିରଫ ନୁରିନ ହାତୀ ଦାନ୍ତ ନେଇ ଯାଉଥିବା ବେଳେ ଏସଟିଏଫ୍ ବନ ବିଭାଗର ସହାୟତାରେ ଧରିଥିଲେ। ସେହିପରି ଶୁକ୍ରବାର ସଇଁନ୍ତଲା ବନାଞ୍ଚଳ ଟିକ୍ରାପଡ଼ାର ଡୁକେରଚରଚରା ଗାଁରେ ଜଣେ ବ୍ୟକ୍ତି ବାଘ ଛାଲ ରଖିଥିବା ଏସ୍ଟିଏଫ୍ ଦଳ ଜାଣିବା ପରେ ଏହା କିଣିବା ପାଇଁ କଥା ହୋଇଥିଲେ। ପରିଚୟ ଗୋପନ ରଖି ବାଘ ଛାଲ କିଣିବା ପାଇଁ ଏସ୍ଟିଏଫ୍ର ସଦସ୍ୟମାନେ ଯାଇଥିଲେ। ଆଦିକନ୍ଦ ଘିଭେଲାଙ୍କୁ ବାଘ ଛାଲ ଦେଖାଇବାକୁ କହିଥିଲେ। ମୂଲଚାଲ କରିଥିଲେ। ତା’ପରେ ବାଘ ଛାଲ ଜବତ କରି ଆଦିକନ୍ଦଙ୍କୁ ବନ ବିଭାଗର ଜିମା ଦେଇଥିଲେ। ବନ ବିଭାଗ ତାଙ୍କୁ ଜେରା କରିବା ସହ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।

prayash

ସ୍ୱତନ୍ତ୍ର ଟାସ୍କ ଫୋର୍ସ ସୂଚନା ପାଇ ଜୀବିତ ବଜ୍ରକାପ୍ତା ଉଦ୍ଧାର, ହାତୀ ଦାନ୍ତ, ବାଘ ଛାଲ ଜବତ କରୁଥିବା ବେଳେ ବନ ବିଭାଗ କରୁଛି କ’ଣ ବୋଲି ଅଭିଯୋଗ ହେଉଛି। ସେହିପରି ହଲଦୀ କର୍ଲାପିଟା ଗାଁ ନିକଟ ଜଙ୍ଗଲରେ ଶିକାରୀ ବେଧଡକ ଶିକାର କରିବାକୁ ଯାଉଥିବା ବେଳେ ବନ ବିଭାଗ ଜାଣି ପାରୁ ନାହିଁ କେମିତି ବୋଲି ପ୍ରଶ୍ନ ହେଉଛି। ଏଥିସହିତ ବନ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ବନ ମାଫିଆ, ଶିକାରୀଙ୍କ ସହ ବୁଝାମଣା କରି ପକେଟ ଗରମ କରୁଥିବା କଥା ଆଲୋଚନା ହେଉଛି। ସେହିପରି ତିଖାରୀ ଜଙ୍ଗଲରେ ଶତାଧିକ ସୁଡଙ୍ଗ ଖୋଳି ରତ୍ନପଥର ଖୋଜା ଯାଉଥିବା ବେଳେ ଗତ ୨୨ ତାରିଖରେ ୨ଜଣଙ୍କ ମୃତ୍ୟୁ ପରେ ବନ ବିଭାଗର କାର୍ଯ୍ୟକଳାପ ଉପରେ ଆଙ୍ଗୁଠି ଉଠିଛି। ବନ ବିଭାଗ କର୍ମଚାରୀ ଜଙ୍ଗଲ ଭିତରକୁ ଯାଞ୍ଚ ପାଇଁ ଯାଉ ନାହାନ୍ତି। ସୂଚନା ଅନୁସାରେ, ମୁରୁବାହାଲ ବନାଞ୍ଚଳରେ ୨୨ଜଣ ଫରେଷ୍ଟ ଗାର୍ଡ ରହିବା ବଦଳରେ ମାତ୍ର ୭ଜଣ ରହିଛନ୍ତି। ତିଖାରୀ ଜଙ୍ଗଲରେ ୪/୫ଜଣ ଫରେଷ୍ଟ ଗାର୍ଡଙ୍କ ବଦଳରେ ଜଣେ ଥିବା କୈଫିୟତ ଦିଆଯାଉଛି। କିନ୍ତୁ ରତ୍ନପଥର ପାଇଁ ସୁଡଙ୍ଗ ଖୋଳା ମାମଲା କ’ଣ ବନ ବିଭାଗକୁ ଅଛପା ଥିଲା? ସମସ୍ତେ ଜାଣିଥିଲେ ବି ଭିତିରି ବୁଝାମଣା କରି ଚୁପ୍ ରହୁଥିବା ଅଭିଯୋଗ ହେଉଛି। ବେଆଇନ୍ ସୁଡଙ୍ଗ ଖୋଳା ପାଇଁ ଗୁଲମିର ରାଜୁ ସାହୁଙ୍କୁ ଅଭିଯୁକ୍ତ କୁହାଯାଉଛି। କିନ୍ତୁ ସେ ଫେରାର୍। ପୁଲିସ ତାଙ୍କୁ ଗିରଫ କରିବାକୁ ଏଡେଇ ଯାଉଥିବା ଆଲୋଚନା ହେଉଛି। ତେବେ ଜିଲା ବନ ବିଭାଗରେ ବି ଗାତୁଆ ମୂଷା ରହିଥିବା ଓ ସେମାନେ ଖୋଳ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି।

kalyan agarbati

Comments are closed.