ବିଚ୍ଛାନ୍ନାଞ୍ଚଳ ଓଡ଼ିଆ ପରିବାରଙ୍କ ପ୍ରତିବଦ୍ଧତା ପ୍ରତି ଓଡ଼ିଆ ଯୁବକ ସଚେତନ ହେବାକୁ ଆହ୍ୱାନ
ଭୁବନେଶ୍ୱର: ପୂଜ୍ୟପୂଜା ସଂସ୍କୃତି ଆନ୍ଦୋଳନ ଓ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସ ପକ୍ଷରୁ ଓଡ଼ିଆ ଭାଷାପ୍ରାଣ ପର୍ଶୁରାମ ଦ୍ୱିବେଦୀଙ୍କ ୮୮ତମ ସ୍ୱନକ୍ଷତ୍ର ଉତ୍ସବ ନ୍ୟାସର ଅଧ୍ୟକ୍ଷ ସୀତା ବଲ୍ଲଭ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶୁଭେଚ୍ଛୁଙ୍କୁ ଆଶୀର୍ବାଦ ପ୍ରଦାନ କରି ପର୍ଶୁରାମ ଦ୍ୱିବେଦୀ କହିଥିଲେ ଯେ ଉତ୍କଳ ବାହିନୀର ପ୍ରାଣ ପ୍ରତିଷ୍ଠାତା ଭଗବାନ ରଥଙ୍କ ଠାରୁ ଆରମ୍ଭ କରି ଚିନ୍ତାମଣି ପାଣିଗ୍ରାହୀଙ୍କ ସ୍ୱପ୍ନର ଅଖଣ୍ଡ ଓଡ଼ିଶା ପାଇଁ ମୁଁ ମୋର ସଂଗ୍ରାମ ଅବ୍ୟାହତ ରଖିଛି। ପ୍ରଭୁ ଯେତେଦିନ ପର୍ଯ୍ୟନ୍ତ ଆୟୁଷ ଦେଇଥିବେ, ବିଚ୍ଛିନ୍ନାଞ୍ଚଳ ଭାଇଭଉଣୀଙ୍କ ମୁହଁରେ ହସ ଫୁଟାଇବା ମୋର ଏକମାତ୍ର କାର୍ଯ୍ୟ ହେବ।
ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟ ପୂଜ୍ୟପ୍ରଣାମ ଟ୍ରଷ୍ଟର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ ଓ ବିଶେଷଭାବେ ବିଚ୍ଛାନ୍ନାଞ୍ଚଳରେ ଥିବା ଓଡ଼ିଆ ପରିବାରଙ୍କ ପ୍ରତିବଦ୍ଧତା ପ୍ରତି ଓଡ଼ିଆ ଯୁବକମାନେ ସଚେତନ ହେବାକୁ ସେ ଆହ୍ୱାନ ଦେଇଥିଲେ। ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସଭାପତି ପ୍ରଦ୍ୟୁମ୍ନ କୁମାର ଶତପଥୀ କହିଥିଲେ ଯେ, ଛତିଶଗଡ଼, ମଞ୍ଜୁଷା, ଚକ୍ରଧରପୁର ଭଳି ବିଚ୍ଛିନ୍ନାଞ୍ଚଳରେ ଏବେବି ଗୋପବନ୍ଧୁଙ୍କ ଦ୍ୱିତୀୟ ଅବତାର ଭାବେ ପର୍ଶୁରାମ ବାବୁଙ୍କୁ ସେମାନେ ଗ୍ରହଣ କରିଥାନ୍ତି। କାର୍ଯ୍ୟକ୍ରମ ପ୍ରାରମ୍ଭରେ କବି ରମାକାନ୍ତ ମିଶ୍ର ସ୍ୱାଗତ ଭାଷଣ ଓ ନ୍ୟାସର ଯୁଗ୍ମ ସମ୍ପାଦକ ରାମନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କବୟତ୍ରୀ ବିମଳା ସିଂହ, ନାଟ୍ୟକାର ଭଜକୃଷ୍ଣ ମହାନ୍ତି ଓ ବିରଞ୍ଚି ନାରାୟଣ ଶତପଥୀ ନିଜସ୍ୱ କବିତା ପାଠ କରିଥିଲେ। ସଙ୍ଗୀତଗୁରୁ ନୃସିଂହ ଚରଣ ଦାସ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ନାରାୟଣ ଓଝା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ପର୍ଶୁରାମ ବାବୁଙ୍କ ଶୁଭେଚ୍ଛୁ ତଥା ଓଡ଼ିଆ ଭାଷାକୁ ଭଲ ପାଉଥିବା ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।
Comments are closed.