କୃଷ୍ଣଚନ୍ଦ୍ର ଗଜପତି ଥିଲେ ନବ ଉତ୍କଳର ଅନ୍ୟତମ ନିର୍ମାତା: ବାଚସ୍ପତି
ବିଧାନସଭା ପରିସରରେ ପାରଳା ମହାରାଜାଙ୍କ ଜୟନ୍ତୀ
ଭୁବନେଶ୍ୱର: ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୦ତମ ଜୟନ୍ତୀ ଅବସରରେ ଓଡ଼ିଶା ବିଧାନସଭା ପରିସରରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂ, ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ଉତ୍କଳ ସମ୍ମିଳନୀର ସଭାପତି ପ୍ରଫେସର ଅେଦ୍ବୖତ କୁମାର ପାତ୍ର, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ, ନିର୍ଦ୍ଦେଶକ(ଗବେଷଣା) କୃପାସିନ୍ଧୁ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ଭାରତର ପ୍ରଥମ ରାଜ୍ୟ ଭାବେ ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ନବଉତ୍କଳ ଗଠନ ହେଲା ପରେ ୧୯୩୭ ଅପ୍ରେଲ ୧ ତାରିଖରେ ସେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ବହନ କରିଥିଲେ। ପରେ ୧୯୪୧ ମସିହା ନଭେମ୍ବର ମାସଠାରୁ ୧୯୪୪ ମସିହା ଜୁନ ମାସ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ନାରୀଶିକ୍ଷାର ଉନ୍ନତି, ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ଥାପନା, ପୂର୍ଣ୍ଣାଙ୍ଗ ସ୍ୱତନ୍ତ୍ର ଓଡ଼ିଶା ଗଠନ, ଓଡ଼ିଆ ଭାଷାର ପ୍ରଚାରପ୍ରସାର, କୃଷି, ସ୍ୱାସ୍ଥ୍ୟ ଓ ଶିଳ୍ପର ବିକାଶ ପାଇଁ ବିବିଧ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିଲେ। ସେ ନବଉତ୍କଳର ଅନ୍ୟତମ ନିର୍ମାତା ଥିଲେ ବୋଲି ବାଚସ୍ପତି ଓ ଅନ୍ୟ ଅତିଥିମାନେ ପ୍ରକାଶ କରିଥିଲେ। ପାରଳା ମହାରାଜାଙ୍କ ତ୍ୟାଗ ଏବଂ ଓଡ଼ିଶା ପ୍ରତି ଥିବା ଭଲପାଇବା ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ନ୍ୟାୟାଳୟ, କାର୍ଯ୍ୟାଳୟ ଓ ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ଆନ୍ତରିକ ଭାବରେ ବ୍ୟବହୃତ ହେଲେ ହିଁ ଏ ଭାଷା ସମୃଦ୍ଧ ହେବ ଏବଂ ବରପୁତ୍ରମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କଣ୍ଠଶିଳ୍ପୀମାନେ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତିରେ ପ୍ରେରଣାଦାୟୀ ସଂଗୀତ ପରିବେଷଣ କରିଥିଲେ। ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶିବ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Comments are closed.