ଡାକ୍ତରୀ ଛାତ୍ର ନିଶାନ୍ତ ମୃତ୍ୟୁ ମାମଲା: ଡିନଙ୍କ ସହ ଆକ୍ସନ କମିଟି ଓ ପ୍ରତିନିଧି ଦଳର ଆଲୋଚନା, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ବଲାଙ୍ଗିର: ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ପ୍ରଥମ ବର୍ଷର ନବାଗତ ଛାତ୍ର ହରିୟାଣା କର୍ଣ୍ଣଲ ସଦରର କରନ ନଗର ବାସିନ୍ଦା ପ୍ରଫେସର ଡ.କ୍ରିଷ୍ଣ କୁମାର ଓ ସନ୍ତୋଷଙ୍କ ଏକମାତ୍ର ମେଧାବୀ ପୁଅ ନିଶାନ୍ତ କୁମାର ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପରେ ମେଡିକାଲ କଲେଜରେ ରାଗିଂ କଥା ପ୍ରସଙ୍ଗ କ୍ରମରେ ସାମ୍ନାକୁ ଆସିଥିଲା। ତେବେ ପ୍ରଥମରୁ ରାଗିଂ କଥାକୁ ଅସ୍ୱୀକାର କରି ଆସିଥିଲେ ଡିନ୍ ଡା.ସବିତା ମହାପାତ୍ର। ଶନିବାର ମୃତ ନିଶାନ୍ତଙ୍କ ପରିବାର ଲୋକେ ମଧ୍ୟ ରାଗିଂ ଅଭିଯୋଗ ଆଣିଥିଲେ। ରବିବାର ନିଶାନ୍ତ ବିଦେଶରେ ପଢୁଥିବା ବନ୍ଧୁ ପ୍ରଶାନ୍ତଙ୍କୁ ମୋବାଇଲ୍ ଚାଟିଂ ଜରିଆରେ ରାଗିଂ ସଂପର୍କରେ ଜଣାଇଥିବା କଥା ପ୍ରଘଟ ହୋଇଥିଲା। ଗଣମାଧ୍ୟମରେ ଲଗାତାର ଏହି ଚାଟିଂ ଓ ରାଗିଂ ସହ ପରିବାର ଲୋକଙ୍କ ଅଭିଯୋଗ ଖବର ପ୍ରକାଶ ପାଇବା ପରେ ଖପ୍ପା ଭୀମ ଭୋଇ ମେଡିକାଲ କଲେଜ କର୍ତୃପକ୍ଷ। ସୋମବାର ବଲାଙ୍ଗିର ଆକ୍ସନ କମିଟି ଓ କିଛି ବୁଦ୍ଧିଜୀବୀ ରାଗିଂ ଓ ମୃତ ନିଶାନ୍ତଙ୍କ ପ୍ରସଙ୍ଗରେ ଆଲୋଚନା କରିବାକୁ ଯାଇଥିଲେ ମେଡିକାଲ କଲେଜକୁ। କିନ୍ତୁ ଡିନ୍ ସେଇ ପୁରୁଣା କଥା ଦୋହରାଉଥିବା ବେଳେ ଆଲୋଚନାର କୌଣସି ସମାଧାନ ବାଟ ବାହାରିପାରିଲା ନାହିଁ।
ସୂଚନାଯୋଗ୍ୟ ଯେ, ଶନିବାର ମୃତ ନିଶାନ୍ତଙ୍କ ବାପା ଥାନାରେ ଭୀମ ଭୋଇ ମେଡିକାଲ କଲେଜର ଆଣ୍ଟି ରାଗିଂ ସେଲ୍ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଆଇପିସିର ୩୦୬ ଓ ୩୪ରେ ୧୯୧ ଧାରାରେ ମାମଲା ରୁଜୁ କରି ସହରାଞ୍ଚଳ ଥାନା ଏସ୍ଆଇ କିରଣ କୁମାର ଜାନୀ ଘଟଣାର ତଦନ୍ତ କରୁଛନ୍ତି।

prayash

ରବିବାର କର୍ଣ୍ଣଲ ସଦର କରନ ନଗର ଘରେ ମୃତ ନିଶାନ୍ତଙ୍କ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ରାଗିଂ ମୁକ୍ତ କ୍ୟାମ୍ପସ୍ ଅଭିଯାନର ଆବାହକ ତେଜେଶ୍ୱର ପରିଡା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଘଟଣା କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ସୋମବାର ବଲାଙ୍ଗିର ଆକ୍ସନ କମିଟିର ଗୋପାଳଜୀ ପାଣିଗ୍ରାହୀ, ମୁନ୍ନା ପଟ୍ଟନାୟକ, ବଲାଙ୍ଗିର ନାଗରିକ କମିଟିର ସଭାପତି ବେଲର ସିଂ ଭୋଇ, ଆଡଭୋକେଟ ଭବାନୀ ଶତପଥୀ, ପୂର୍ବତନ ସିଡିଏମ୍ଓ ଡା.ସୁଜ୍ଞାନେନ୍ଦ ମିଶ୍ର, ଅବସରପ୍ରାପ୍ତ ଡା.ମଞ୍ଜୁବାଳା ପଣ୍ଡା, ଡା.ମନୋରମା ମହାପାତ୍ର, ନାରୀ ସଂଗଠନର ସାଗରିକା ଗୁରୁ, ଯୁବ ଆକ୍ସନ କମିଟିର ବିନୋଦ କାଲସାଏ, ଓକିଲ ସଂଘର ପୂର୍ବତନ ସଭାପତି ପ୍ରମୋଦ ତ୍ରିପାଠୀ ଭୀମ ଭୋଇ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଭେଟିବାକୁ ଯାଇଥିଲେ। ରାଗିଂକୁ ନେଇ ନାଗରିକ କମିଟି ଘେରିଥିଲେ। ରାଗିଂ ମୁକ୍ତ କ୍ୟାମ୍ପସ ବୋଲି ବାରମ୍ବାର କହି ଚାଲିଥିଲେ ଡିନ୍ ଡା.ମହାପାତ୍ର। ତେବେ ମୃତ ନିଶାନ୍ତଙ୍କ ମୋବାଇଲ୍ ଚାଟିଂକୁ ନେଇ କୌଣସି ପ୍ରତିକ୍ରିୟା ଦେଉ ନଥିଲେ।
ମେଡିକାଲ କଲେଜରୁ ଆସି ପ୍ରତିନିଧି ଦଳ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣାଙ୍କୁ ଭେଟିବାକୁ ଯାଇଥିଲେ। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରତିନିଧି ଦଳ ଦାବିପତ୍ର ଦେଇଥିଲେ। ଛାତ୍ର ମୃତ୍ୟୁର ତଦନ୍ତ ପୁଲିସ କରୁଛନ୍ତି। ଆଗକୁ ଯେମିତି ଏଭଳି ଘଟଣାର ପୁନରାବୃତ୍ତି ନହେବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବ। ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯିବ ବୋଲି ଅତିରିକ୍ତ ଜିଲାପାଳ ଶ୍ରୀ ଲାଗୁରୀ ପ୍ରତିକ୍ରିୟା ଦେଇ କହିଛନ୍ତି। ମୃତ ନିଶାନ୍ତ କୁମାରଙ୍କ ପାଇଁ ସୋମବାର ଭୀମ ଭୋଇ ମେଡିକାଲ କଲେଜ ସମ୍ମିଳନୀ କକ୍ଷରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।

kalyan agarbati

Comments are closed.