ଆଦିବାସୀ ମେଳାରେ ଢ଼ୋଲ ପ୍ରତି ଦର୍ଶକଙ୍କ ବଢୁଛି ଜିଜ୍ଞାସା
ଭୁବନେଶ୍ବର: ଆଦିବାସୀ ମେଳା ଭୁବନେଶ୍ୱର ବାସୀଙ୍କ ପାଇଁ ଏକ ଅବସର। ଯେଉଁଠି ସେମାନେ ଏକାସାଙ୍ଗରେ ସଂସ୍କୃତି ସହିତ ଅର୍ଥନୀତିକୁ ଅତିନିକଟରୁ ଦେଖିବାର ସୁଯୋଗ ପାଇଥାନ୍ତି। ଏଠାରେ ପ୍ରତ୍ୟହ ବିିଭିନ୍ନ ସଂପ୍ରଦାୟର ନୃତ୍ୟ ଏକ ମନୋରମ ମଂଚରେ ଅନୁଷ୍ଠିତ ହୋଇଥାଏ। ଜନଜାତି ଗୋଷ୍ଠୀ ସେମାନଙ୍କର ନିଜସ୍ୱ ବାଦ୍ୟଯନ୍ତ୍ର ଏଥିରେ ବ୍ୟବହାର କରିଥାନ୍ତି। ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ମଧ୍ୟରେ ପ୍ରତ୍ୟେକ ନୃତ୍ୟରେ ଢୋଲର ସ୍ୱତନ୍ତ୍ର ସ୍ଥାନ ରହିଥାଏ। ସହଜେ ଢୋଲ ଭାରତୀୟ ସାତ ସଂସ୍କୃତିର ଏକ ପ୍ରମୁଖ ବାଦ୍ୟଯନ୍ତ୍ର। ଯେ କୌଣସି ପୂଜା ପ୍ରାରମ୍ଭରେ ବା କର୍ମକାଣ୍ଡ ଆରମ୍ଭରେ ଢୋଲ ବଜାଇବାର ପରମ୍ପରା କେଉଁ ଆଦିମ କାଳରୁ ରହିଆସିଛି। ଆଶ୍ୱିନ ମାସରେ ଦେବୀଙ୍କୁ ଆବାହନ କରିବାର ଆଦ୍ୟ ବାଦ୍ୟଯନ୍ତ୍ର ହେଉଛି ଢୋଲ। ଲୋକ ପରମ୍ପରାରେ ଢୋଲରେ ଦେବୀଙ୍କ ସ୍ଥାନ ରହିଛି ବୋଲି ଲୋକବିଶ୍ୱାସ ରହିଛି। ଜନଜାତି ସଂପ୍ରଦାୟରେ ଢୋଲର ଆଦ୍ୟଉତ୍ସ ହୋଇଥିବା ଅନେକ କିମ୍ବଦନ୍ତୀ ରହିଛି। ଏପରିକି ଶସ୍ୟ କେଦାରରେ ଆଦିବାସୀ ଯୁବକଟି ବନ୍ୟଜନ୍ତୁଙ୍କ କବଳରୁ ଶସ୍ୟ ରକ୍ଷା କରିବାପାଇଁ ଜଗୁଆଳ କାର୍ଯ୍ୟ କରୁଥିବା ବେଳେ ମାଙ୍କଡ଼ଟି ଶିମ୍ବ / ଝୁଡ଼ଙ୍ଗ ଖାଉଥିବାର ଦେଖି ସେ ମାଙ୍କଡ଼କୁ କହିଛି ଆରେ ଦୁଷ୍ଟ ମାଙ୍କଡ଼, ତୁ ମୋର କଷ୍ଟ ଉପାର୍ଜିତ ଶିମ୍ବ ଖାଉଛୁ। ମୁଁ ତୋତେ ଏହି କ୍ଷଣି ମାରିବି ଏବଂ ତୋର ଚମଡ଼ାରେ ମୁଁ ବାଦ୍ୟଯନ୍ତ୍ରଟି ବଜାଇ ସମସ୍ତ ବନ୍ୟଜନ୍ତୁକୁ ଭୟ ପ୍ରଦର୍ଶନ କରିବି। ଏହି ଉକ୍ତିରୁ ଢୋଲର ଉତ୍ପତି ବୋଲି ବିଶ୍ୱାସ କରାଯାଏ। ଜନଜାତି ମାନଙ୍କର ଢୋଲ ଭିନ୍ନ ଭିନ୍ନ ଆକାରର ହୋଇଥାଏ। କେଉଁଠି ଏହି ଢୋଲ ସିଲିଣ୍ଡର୍ ଆକୃତିର କେଉଁଠି ଏହା କୋନ୍। ଆଉ କେଉଁଠି ଡମ୍ବରୁ ଆକାରର ହୋଇଥିବା ବେଳେ ଆଉ କାହାରି କାହାରି ଚାରି ଫୁଟ, ତିନି ଫୁଟ, ଦୁଇ ଫୁଟ ଏପରିକି ଫୁଟିକିଆ ହୋଇଥବାର ଦେଖାଯାଏ।
ପ୍ରଥମ ଦିନ ଆଦିବାସୀ ମେଳାରେ ଧୁରୁଆ ସଂପ୍ରଦାୟ ବ୍ୟବହାର କରୁଥିବା ଢୋଲ ଦେଢଫୁଟ ଲମ୍ବ ହୋଇଥିବା ବେଳେ ସଲପ ଗଣ୍ଡିରେ ପ୍ରସ୍ତୁତ ହୋଇଥିବା ଅନ୍ୟ ସ୍ଥଳରେ ଏହି ଢୋଲରେ ସାଧାରଣତଃ କୁରୁଡ଼, ପଣସ, ଗମ୍ଭାରୀ କାଠର ବ୍ୟବହାର ହୋଇଥାଏ। ସଉରା ସଂପ୍ରଦାୟରେ ତାଙ୍କର ଢୋଲର ବିଶେଷ ବ୍ୟବହାର ରହିଛି। କାର୍ଯ୍ୟା ପୂର୍ବରୁ କାର୍ଯୀ ପବିତ୍ର ଢୋଲକୁ ଘର ଭିତରୁ ଆଣି ସଜାଡ଼ିଥାଏ। ଏବଂ ମଧ୍ୟରାତ୍ରରେ ପ୍ରଥମ ଘାତ ଦେଲାବେଳକୁ ଯେଉଁ ରମଣୀ ପ୍ରଥମେ ବାଦ୍ୟରେ ନୃତ୍ୟ ସଙ୍ଗତ ଦେବ ସେ ପବିତ୍ର ବୋଲି ବିଶ୍ୱାସ ରହିଥାଏ। ଜୁଆଙ୍ଗ ସଂପ୍ରଦାୟରେ ମଧ୍ୟ ମଣ୍ଡଘରେ ଶୋଭା ପାଉଥିବା ବୃହତାକାର ଢୋଲ ମାଘ ପର୍ବ ଅବସରରେ ବାୟନ କରାଯାଉଥିବା ଢୋଲ ପୀଢ ସରଦାରଙ୍କ ମର୍ଯ୍ୟାଦା ବୃଦ୍ଧିରେ ସହାୟକ ହୋଇଥାଏ। ତଥା ସେହି ପିଢର ସୁଖ ସମୃଦ୍ଧି ବୃଦ୍ଧିର କାରକ ବୋଲି ଲୋକ ବିଶ୍ୱାସ ରହିଛି।
ଆଦିବାସୀ ମେଳାରେ ପ୍ରତ୍ୟେକ ଦିନ ଅବସରରେ ଅନୁଷ୍ଠିତ ହେଉଥିବା ନୃତ୍ୟାନୁଷ୍ଠାନରେ ଢୋଲର ମହତ୍ୱ ରହିଆସିଛି ଏବଂ ଢୋଲକୁ ଆଧାର କରି ନୃତ୍ୟ ସଂଚରିତ ହେବା ଜନଜାତି ଲୋକ ପରମ୍ପରାର ଏକ ମୌଳିକ ସମ୍ପଦ ହୋଇ ରହିଛି। ଆଜିର ବୈଦ୍ୟୁତିକ ଗଣମାଧ୍ୟମର ଅନୁପ୍ରବେଶରେ ମଧ୍ୟ ଏହାର ମହତ୍ତ୍ବ ଲୋପ ପାଇନାହିଁ।
Comments are closed.