ଶିଳ୍ପପତିଙ୍କ ଘରେ ସିବିଆଇ ଚଢ଼ଉ, ୪ କୋଟିରୁ ଉର୍ଦ୍ଧ ଟଙ୍କାର ଠକେଇ ଅଭିଯୋଗ

ସମ୍ବଲପୁର : ସମ୍ବଲପୁରର ଶିଳ୍ପପତି ନଟବରଲାଲ ଅଗ୍ରୱାଲଙ୍କ ଘରେ ଶୁକ୍ରବାର ସିବିଆଇ ଚଢ଼ଉ ହୋଇଛି। ସୂଚାନୁଯାୟୀ, ୟୁନିୟନ ବ୍ୟାଙ୍କ ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟର ଏଜିଏମ ତପନ କୁମାର ସାହୁ ବ୍ୟାଙ୍କର ମୁଖ୍ୟ ଶାଖାରୁ ୪ କୋଟି ୧୧ ଲକ୍ଷ ୫୪ ହଜାର ୨୫୬ ଟଙ୍କା ୭୩ ପଇସା (୩୧.୦୧.୨୦୨୨ ସୁଧ ସହିତ) ଟଙ୍କାର ଠକେଇ ଅଭିଯୋଗ ଚଳିତ ମାସ ୬ ତାରିଖରେ ସିବିଆଇ, ଏସିବି, ଭୁବନେଶ୍ୱରଙ୍କୁ ଲିଖିତ ଭାବରେ ଜଣାଇ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ। ପ୍ରାଥମିକ ତଦନ୍ତ ପରେ ଏସିବି ଭୁବନେଶ୍ୱରଠାରେ ଗୁରବାର ୨୧ ତାରିଖରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ପରିପ୍ରେକ୍ଷୀରେ ଆଜି ସିବିଆଇର ଏକ ୫ ଜଣିଆ ଦଳ ସମ୍ବଲପୁରକୁ ପହଞ୍ଚି ବାଲିବନ୍ଧାସ୍ଥିତ ଶ୍ରୀ ଅଗ୍ରୱାଲଙ୍କ ବାସଭବନରେ ଚଢ଼ଉ କରିଛନ୍ତି।

 

prayash

ବ୍ୟାଙ୍କ ପକ୍ଷରୁ କରାଯାଇ ଥିବା ଅଭିଯୋଗ ଅନୁଯାୟୀ, ସମ୍ବଲପୁରର ଟାଉନ ଥାନା ଅନ୍ତର୍ଗତ ବାଲିବନ୍ଧା ନିବାସୀ ନଟବରଲାଲ ଅଗ୍ରୱାଲ, ସୁଚିତ୍ରା ଅଗ୍ରୱାଲ, ସୀତାଦେବୀ ଅଗ୍ରୱାଲ, କମଳ କୁମାର ଅଗ୍ରୱାଲ, ସଙ୍ଗୀତା ଅଗ୍ରୱାଲ, ଚେନ ଅଗ୍ରୱାଲ ବ୍ୟବସାୟିକ ଉଦ୍ଦେଶ୍ୟରେ ୨୦୧୪ ମସିହାରେ ୟୁନିୟନ ବ୍ୟାଙ୍କ ସମ୍ବଲପୁର ମୁଖ୍ୟ ଶାଖାରୁ ମେସର୍ସ ଗୋଏନ୍ଦାମାଲ ଗ୍ରାଫାଇଟ ମାଇନ୍ସ, ମେସର୍ସ ଜି.ଆର. ଗ୍ରାଫାଇଟ ଏବଂ ମେସର୍ସ ନ୍ୟାସନାଲ କାର୍ବନ ପ୍ରଡକ୍ଟ କମ୍ପାନୀ ଗୁଡିକ ପାଇଁ କେସ କ୍ରେଡିଟ (ଋଣ ଆକାଉଣ୍ଟ) ପାଇଁ ଆବେଦନ କରିଥିଲେ। ଏହି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକର ମାଲିକ, ପାର୍ଟନର ଏବଂ ଜମାନତକର୍ତ୍ତା ମାନଙ୍କ ଉପରେ ବିଶ୍ବାସକରି ବ୍ୟାଙ୍କ ୨୦୧୪ରୁ ୨୦୧୭ ମସିହା ମଧ୍ୟରେ ମେସର୍ସ ଗୋଏନ୍ଦାମାଲ ଗ୍ରାଫାଇଟ ମାଇନ୍ସକୁ ୩ କୋଟି ୯୦ ଲକ୍ଷ, ମେସର୍ସ ଜି.ଆର. ଗ୍ରାଫାଇଟକୁ ୯୧ ଲକ୍ଷ ଏବଂ ମେସର୍ସ ନ୍ୟାସନାଲ କାର୍ବନ ପ୍ରଡକ୍ଟକୁ ୨୦ ଲକ୍ଷ ଟଙ୍କା ସମେତ ସମୁଦାୟ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଋଣ ମଞ୍ଜୁର କରି ପ୍ରଦାନ କରିଥିଲେ। ତେବେ କେସ କ୍ରେଡିଟ ମଞ୍ଜୁର କରି ପ୍ରଦାନ ପରେ ଏହି ରାଶି ଗୁଡିକୁ ୨୦୧୪ ରୁ ୨୦୧୭ ମସିହା ମଧ୍ୟରେ ଦୁରୋପଯୋଗ କରାଯାଇଥିଲା ଏବଂ ଷଡଯନ୍ତ୍ରମୂଳକ ଭାବରେ ନକଲି କାଗଜପତ୍ର ପ୍ରଦାନ କରି ବ୍ୟାଙ୍କକୁ ଠକେଇ କରାଯାଇଥିଲା। ବ୍ୟାଙ୍କରୁ ନିଆଯାଇଥିବା ଋଣ ବାବଦରେ କିଛି ଟଙ୍କା ପଇଠ କରାଯାଇଥିବାବେଳେ କିନ୍ତୁ ୩୧ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ଏହି କମ୍ପାନୀ, ମାଲିକ ଓ ଜମାନତକର୍ତ୍ତା ମାନଙ୍କ ଉପରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ସୁଧ ସହିତ ବକେୟା ରହିଛି।
ସିବିଆଇ ଚଢ଼ଉ ସମ୍ପର୍କରେ ଅଗ୍ରୱାଲ ପରିବାର ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପ୍ରଥମେ ଟାଳଟୁଳ ନୀତି କରାଯାଉଥିବାବେଳେ ପରବର୍ତ୍ତୀ ସମୟରେ ୟୁନିୟନ ବ୍ୟାଙ୍କରୁ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଋଣ ନିଆଯାଇଥିବାବେଳେ ତାହା ଫେରସ୍ତ କରାଯାଇ ପାରିନାହିଁ ଏବଂ ଶୀଘ୍ର ଟଙ୍କା ଫେରସ୍ତ କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ, ପ୍ରାୟ ୧୦ ବର୍ଷ ତଳେ ସମ୍ବଲପୁରରେ ସିବିଆଇର ଚଢ଼ଉ ହୋଇଥିବାବେଳେ ଆଜିର ଏହି ଚଢ଼ଉ ପରେ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି।

kalyan agarbati

Comments are closed.