ଆୟୁଷ୍ମାନ ଯୋଜନାରେ ନର୍ଲାରେ ସ୍ବାସ୍ଥ୍ୟମେଳା ଅନୁଷ୍ଠିତ

ନର୍ଲା: କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଆଜି ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି ସ୍ବାସ୍ଥ୍ୟ ମେଳାରେ ମାଗଣା ଚିକିତ୍ସା ବ୍ୟବସ୍ଥା ରହିଥିବା ବେଳେ ନର୍ଲା ବ୍ଲକର ବିଭିନ୍ନ ଅଂଚଳରୁ ରୋଗୀମାନେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲେ । ଡାକ୍ତର ଆଶିଷ କୁମାର ଧାରୁଆ, ଡାକ୍ତର ପ୍ରିୟରଞ୍ଜନ ଜେନା, ଡାକ୍ତର କିଶୋର ସାହୁ, ଡାକ୍ତର କୁନାଲ ସାହୁ ପ୍ରମୁଖ ରୋଗୀଙ୍କ ଚିକିତ୍ସା ମାଗଣାରେ କରିଥିଲେ । ଏହି ସ୍ବାସ୍ଥ୍ୟ ମେଳାରେ  ୨୨୪ ଜଣ ମହିଳା ଓ ୨୬୪ ଜଣ ପୁରୁଷ ରୋଗୀ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ ।  ତନ୍ମଧ୍ୟରୁ ୮୮ ଜଣ ହୋମିଓପ୍ୟାଥି ଓ ୧୧୦ ଜଣ ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଡାକ୍ତର ସନତ କୁମାର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିପିଏମ୍ ସବୀର କୁମାର ପଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ବିମଳ ଦ୍ବୀପ୍ । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓଙ୍କ ସମେତ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଓ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଯୋଗଦାନ କରି କାର୍ଯ୍ୟକ୍ରମକୁ ପରିଦର୍ଶନ କରିଥିଲେ । ଏଥିସହିତ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଓ ୧୦ ଜଣ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ ।

Comments are closed.