‘ଶରତ ସନ୍ଧ୍ୟା ୨୦୨୨’: କବିତା, କଥା, ସଂଗୀତ, ନୃତ୍ୟ ଓ ଚିତ୍ରର ଏକ ବିରଳ ସମନ୍ୱୟ

ଭୁବନେଶ୍ୱର: ବିଗତ ବଷର୍ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହେଉଛି ‘ଶରତ ସଂଧ୍ୟା’ । ପ୍ରସିଦ୍ଧ କବି ଓ ଗୀତିକାର ଶରତ କୁମାର ଦାଶଙ୍କ ସୃଜନ ସମ୍ଭାରକୁ ନେଇ ପ୍ରସ୍ତୁତ ଏ ଅଭିନବ ଉତ୍ସବ ଆସନ୍ତା ୨୩ ତାରିଖ ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ଅନୁଷ୍ଠାନ ଓଡ଼ିଆ ମିଡିଆର ନିର୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଶ୍ରୀ ପଣ୍ଡା କହିଛନ୍ତି ଯେ ‘ଶରତ ସଂଧ୍ୟା ୨୦୨୨’ କବିତା, କଥା, ସଂଗୀତ, ନୃତ୍ୟ ଓ ଚିତ୍ରର ଏକ ବିରଳ ସମନ୍ୱୟ। ଉତ୍ସବରେ ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ଦ୍ୱାରା ପ୍ରକାଶିତ କବି ଶ୍ରୀ ଦାଶଙ୍କ ନବମ କବିତା ସଂକଳନ ଓ ସଂଗୀତ ଆଲବମ ‘ଅଭିସାର’ ସହ ସ୍ମୃତିକଥା ସଂକଳନ ‘କାହାଣୀ ସରିନାହିଁ’ ଉନ୍ମୋଚିତ ହେବ। ଏ ଅବସରରେ ଲେଖକ ଓ ବାଗ୍ମୀ କୃଷ୍ଣକେଶବ ଷଡ଼ଙ୍ଗୀଙ୍କୁ ପ୍ରଥମ ‘ଶରତ ସମ୍ମାନ’ ପ୍ରଦାନ କରାଯିବ ବୋଲି ଶ୍ରୀ ପଣ୍ଡା କହିଥିଲେ।
ଉତ୍ସବ ସଂଯୋଜକ ତଥା ସମାଜସେବୀ ଶୁଚିସ୍ମିତା ପୃଷ୍ଟି ଅତିଥିମାନଙ୍କ ବାବଦରେ ସୂଚନୋଦଇ କହିଲେ ଯେ ‘ଶରତ ସଂଧ୍ୟା ୨୦୨୨’ କେବଳ ମାତ୍ର ଏକ ସାହିତ୍ୟ ଉତ୍ସବ ନୁହେଁ । ଏହା ମନୋରଂଜନ ଓ ବୌଦ୍ଧିକତାର ଏକ ଯୁଗଳବନ୍ଦୀ। ଏହି ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ପ୍ରଧାନ ଆୟକର ଆୟୁକ୍ତ ତଥା ଲେଖକ ଧୀରେନ୍ଦ୍ର କୁମାର ମିଶ୍ର, ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ତଥା ଲେଖକ ମଧୁସୂଦନ ପାଢ଼ୀ, ପ୍ରସିଦ୍ଧ କଥାକାର, ଚିନ୍ତକ ଓ ଶିଶୁ ସାହିତ୍ୟିକ ଦାଶ ବେନହୁର, ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ଓ ସମାଜସେବୀ ସବ୍ୟସାଚୀ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେବେ ବୋଲି ଶ୍ରୀମତୀ ପୃଷ୍ଟି କହିଥିଲେ ।

prayash

କବି ଶ୍ରୀ ଦାଶଙ୍କ ‘ଅଭିସାର’ କବିତା ସଂକଳନର ୧୦ଟି ନିର୍ବାଚିତ ଗୀତିକବିତାକୁ ନେଇ ସଂଗୀତର ରୂପ ଦେଇଛନ୍ତି ଜଣାଶୁଣା ସଂଗୀତ ନିର୍ଦେଶକ ପ୍ରେମ୍ ଆନନ୍ଦ । ଏହି ଅବସରରେ ସଙ୍ଗୀତ ନିର୍ଦେଶକ ପ୍ରେମ୍ ଆନନ୍ଦ କହିଥିଲେ ଯେ କବିତାକୁ ଗୀତର ରୂପଦେବା ତାଙ୍କ ପାଇଁ ଏକ ଆହ୍ୱାନ। ଶ୍ରୀ ଦାଶଙ୍କ ପୂର୍ବ ସଂକଳନରୁ ପ୍ରସ୍ତୁତ ଆଲବମ୍ ଭଳି ଏଥର ମଧ୍ୟ ସେ ସଂଗୀତରେ ବେଶ୍ ପରୀକ୍ଷା ନିରୀକ୍ଷା କରିଛନ୍ତି । ୧୦ଟି ଗୀତକୁ ନେଇ ପ୍ରସ୍ତୁତ ‘ଅଭିସାର’ ଆଲବମ୍‌ରେ କଣ୍ଠଦାନ କରିଛନ୍ତି ରାଜ୍ୟର ଆଗଧାଡ଼ିର କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର, ସବିଶେଷ ମିଶ୍ର, ଦେବକୃପା ମିଶ୍ର, ଆଶୁତୋଷ ମହାନ୍ତି, ବିଷ୍ଣୁମୋହନ କବି, ଲୋପାମୁଦ୍ରା ଦାଶ, ସତ୍ୟଜିତ ପ୍ରଧାନ, ଅନନ୍ୟା ଶ୍ରୀତମ ନନ୍ଦ, ଅଳକା ଓ ଶଶାଙ୍କ ଶେଖର । ଏହି କଣ୍ଠଶିଳ୍ପୀମାନେ ‘ଶରତ ସଂଧ୍ୟା ୨୦୨୦’ରେ ମଞ୍ଚରେ ସଂଗୀତ ପରିବେଷଣ କରିବେ ବୋଲି ପ୍ରେମ୍ ଆନନ୍ଦ ସୂଚନା ଦେଇଛନ୍ତି ।
ସମାଜସେବୀ ଓ ଶିକ୍ଷାବିତ ସବିତା ପଟ୍ଟନାୟକ କହିଛନ୍ତି ଯେ ‘ଶରତ ସଂଧ୍ୟା ୨୦୨୨’କୁ ଅଧିକ ମନୋରମ କରିବା ପାଇଁ ରାମ୍ପ୍ ଶୋ, ଷ୍ଟୋରିଟେଲିଂ, ଓଡ଼ିଶୀ ନୃତ୍ୟ ଓ ଚିତ୍ରକଳା ଆଦି ସୃଜନର ନାନାଦି ବିଭବ ସାମିଲ କରାଯାଇଛି। ରାଜ୍ୟର କିଛି ଜଣାଶୁଣା ମହିଳା ବ୍ୟକ୍ତିତ୍ୱ ପାରମ୍ପରିକ ଓଡ଼ିଶୀ ଶାଢ଼ୀ ପରିଧାନ କରି ଶ୍ରୀ ଦାଶଙ୍କ ଗୀତର ତାଳେତାଳେ ରାମ୍ପ୍‌ ଶୋ’ରେ ଭାଗନେବେ । ଶ୍ରୀ ଦାଶଙ୍କ ଏକ ଗଳ୍ପକୁ ମଞ୍ଚରେ ପ୍ରଦଶର୍ନ କରିବେ ପ୍ରସିଦ୍ଧ ଷ୍ଟୋରିଟେଲର୍ ପ୍ରାଚୀତାରା ମିଶ୍ର । ଓଡ଼ିଶୀ ଗୁରୁ ଗୌରୀଶଙ୍କର ଦାଶ ଓ ସାଥୀଙ୍କ ଦ୍ୱାରା ଶ୍ରୀ ଦାଶଙ୍କ ଗୀତରେ ନୃତ୍ୟ ପରିବେଷଣ କରାଯିବ। ସେହିପରି ମଞ୍ଚରେ ଲାଇଭ୍ ପେଣ୍ଟିଂର ଯାଦୁ ଦେଖାଇବେ ଜଣାଶୁଣା ଚିତ୍ରଶିଳ୍ପୀ ଚିନ୍ତାମଣି ବିଶ୍ୱାଳ।
ଏପ୍ରିଲ ୨୩ ତାରିଖ ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ହେବାକୁ ଥିବା ‘ଶରତ ସଂଧ୍ୟା’ରେ ମଞ୍ଚ ପରିଚାଳନା କରିବେ କବି ମୃତ୍ୟୁଞ୍ଜୟ ରଥ।

kalyan agarbati

Comments are closed.