କେନ୍ଦ୍ର ସରକାରଙ୍କ ଅନୁଦାନର ସଠିକ ବିନିଯୋଗ ହେଲେ କନ୍ଧମାଳର ଉନ୍ନତି ହେବ
କେନ୍ଦ୍ର ରାଷ୍ଟ୍ର ଶିକ୍ଷାମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ, ଆକାଂକ୍ଷୀ ଜିଲା ଯୋଜନାର ଅଗ୍ରଗତି ନେଇ ସମୀକ୍ଷା
ଫୁଲବାଣୀ: ରବିବାର କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡ.ସୁବାସ ସରକାର ଦିନିକିଆ କନ୍ଧମାଳ ଜିଲା ଗସ୍ତରେ ଆସି ବିଭିନ୍ନ କ୍ଷେତ୍ର ପରିଦର୍ଶନ ସହ ଆକାଂକ୍ଷୀ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ପୂର୍ବାହ୍ନରେ ମନ୍ତ୍ରୀ ଫୁଲବାଣୀରେ ପହଞ୍ଚିଲା ପରେ ବିଜେପି ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଦଳୀୟ କର୍ମୀମାନେ ତାଙ୍କୁ ଏକ ଶୋଭାଯାତ୍ରାରେ ଆଣି ସ୍ଥାନୀୟ ସର୍କିଟ ହାଉସରେ ପହଞ୍ଚିଥିଲେ। ସେଠାରେ ଦଳୀୟ କର୍ମୀଙ୍କ ସହ ମନ୍ତ୍ରୀ ଆଲୋଚନା କରିବା ପରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନ ଏବଂ ଜନ ପ୍ରତିନିଧି ମାନଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ ଓ ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ। ଆକାଂକ୍ଷୀ ଜିଲା ମାନଙ୍କ ପାଇଁ କେନ୍ଦ୍ର ସରକାର ଦେଉଥିବା ଅନୁଦାନର ବିନିଯୋଗ ଉପରେ ଆଲୋଚନା କରିଥିଲେ। ଏହି ଯୋଜନାରେ ପଛୁଆ ଜିଲା ମାନଙ୍କରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଆର୍ଥିକ ବିକାଶ ଏବଂ ଭତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯାଉଥିବା ପ୍ରକାଶ କରି କେନ୍ଦ୍ର ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ଯୋଜନାକୁ ସଫଳତାର ସହ ଲାଗୁ କରିବାକୁ ସେ ପରାମର୍ଶ ଦେଇଥିଲେ। ଜିଲାର ବିଭିନ୍ନ ମେଡିକାଲରେ ଡାକ୍ତର ଅଭାବ, ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷକ ତଥା ଅଧ୍ୟାପକ ଅଭାବ ନେଇ ଉଦବେଗ ପ୍ରକାଶ କରିଥିଲେ। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଜିଲାରେ ରୋଗୀଙ୍କ ପାଇଁ ଅଲଟ୍ରା ସାଉଣ୍ଡ ପରୀକ୍ଷା ବ୍ୟବସ୍ଥା ନ ଥୁିବାରୁ ଫୁଲବାଣୀ, ଟିକାବାଲି, ଦାରିଙ୍ଗବାଡି ଏବଂ ବାଲିଗୁଡା ମେଡିକାଲରେ ୪ଟି ଅଲଟ୍ରା ସାଉଣ୍ଡ ମେସିନ ବସାଇବାକୁ ସୁପାରିଶ କରିବେ ବୋଲି କହିଥିଲେ। ସେହିଭଳି ଜିଲାର ୨୫୦୬ ଗ୍ରାମରୁ ୬୪୯ ଗ୍ରାମକୁ ରାସ୍ତା ନ ଥିବାରୁ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଏହି ଗ୍ରାମକୁ ସାମିଲ କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଜିଲାରେ ଅଧିକ ସଂଖ୍ୟାରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲିବା ଉପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
କନ୍ଧମାଳ ଜିଲାରେ ପର୍ଯ୍ୟଟନର ଯଥେଷ୍ଟ ସୁବିଧା ଥିବାରୁ ଏହାର ବିକାଶ କଲେ ଲୋକଙ୍କ ଆର୍ଥିକ ଉନ୍ନତି ହୋଇ ପାରିବ ବୋଲି ମତ ରଖିଥିଲେ। କନ୍ଧମାଳ ଜିଲାରେ ହଳଦୀ, ଆମ୍ବ ଭଳି ବିଭିନ୍ନ ପ୍ରକାର କୃଷି ଜାତ ଦ୍ରବ୍ୟ ପ୍ରଚୁର ପରିମାଣରେ ଉତ୍ପାଦିତ ହେଉଥିବାରୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କରାଗଲେ ଜିଲାର କୃଷକ ମାନଙ୍କ ଉନ୍ନତି ହେବ ବୋଲି କହିଥିଲେ। ସେହିପରି କନ୍ଧମାଳ ଜୈବିକ ଫସଲର ଚାହିଦା ରହିଥିବାରୁ ଏହାକୁ ଅଗ୍ରାଧିକାର ଦିଆଯିବା ଆବଶ୍ୟକ। ବିଭିନ୍ନ ଯୋଜନା ପାଇଁ କେନ୍ଦ୍ର ସରକାର ଦେଉଥିବା ଅନୁଦାନର ସଠିକ ବିନିଯୋଗ କଲେ ଆକାଂକ୍ଷୀ ଜିଲା ହିସାବରେ କନ୍ଧମାଳର ଉନ୍ନତି ହେବ ବୋଲି ପ୍ରକାଶ କରିଥିଲେ। ସମୀକ୍ଷା ବୈଠକରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି, ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ବିଶ୍ୱରଞ୍ଜନ ନାୟକଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନା ଭାଗ ନେଇଥିଲେ। ଅପରାହ୍ନରେ ମନ୍ତ୍ରୀ ନିର୍ମାଣଧିନ ଥିବା ମେଡ଼ିକାଲ୍ କଳେଜ ଓ ଜବାହାର ନବୋଦୟ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ଏଠାରେ ରହିଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସେ ଜିଲା ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରାଇଫେଡର ଉପାଧ୍ୟକ୍ଷ ପବିତ୍ର କହଁର ମଧ୍ୟ ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କ୍ଷେତ୍ର ପରିଦର୍ଶନ ପରେ ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ବିିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତରଦେଇଥିଲେ ଓ ସାମ୍ବାଦିକ ସମ୍ମିଳନୀ ପରେ ପରେ ବିଜେପି ପକ୍ଷରୁ ଏକ ଜିଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲା ସଭାପତି ଜଗନ୍ନାଥ ସାହୁଙ୍କ ସମେତ ପ୍ରଭାରି ବିରଞ୍ଚି ତ୍ରିପାଠୀ ଓ ଅନ୍ୟ ଦଳୀୟନେତା ଓ କର୍ମୀମାନେ ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
Comments are closed.