ରାଜସ୍ତାନରେ ଦେଢ଼ ଲକ୍ଷ ଟଙ୍କାରେ ଝାରସୁଗୁଡ଼ା ଯୁବତୀ ବିକ୍ରି, ୫ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ାର ଯୁବତୀଙ୍କୁ ରାଜସ୍ତାନରେ ବିକ୍ରି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି। ଜଣେ ବିବାହିତ ଯୁବତୀଙ୍କୁ ରାଜସ୍ତାନରୁ ଉଦ୍ଧାର ସହ ୫ଜଣଙ୍କୁ ଗିରଫ କରାଯାଇଛି ବୋଲି ଝାରସୁଗୁଡ଼ା ଏସପି ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଝାରସୁଗୁଡ଼ା ସହରାଞ୍ଚଳର ଜଣେ ୨୧ବର୍ଷୀୟା ଯୁବତୀଙ୍କୁ ବେଆଇନ ଭାବେ କ୍ରୟ ବିକ୍ରୟ କରିବା ଅଭିଯୋଗରେ ଝାରସୁଗୁଡ଼ା ପୁଲିସ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଝାରସୁଗୁଡ଼ା ଭୁଲିଆଟିକିରାର କିରଣ ସେଠୀ ଓରଫ ପୁଷ୍ପାଞ୍ଜଳି ବେହେରା, ହୃଷିକେଶ ସେଠୀ ଓ ବ୍ରଜରାଜନଗର ଇଏସଆଇ ଛକର ଦାନୀଶ ବେହେରା ଓରଫ ଆକାଶ । ଏ ତିନି ଜଣଙ୍କୁ ଗତ ୯ତାରିଖ ଗିରଫ କରାଯାଇଥିବା​‌ ବେଳେ ସେମାନଙ୍କ ଠାରୁ ପ୍ରାପ୍ତ ସୂଚନାନୁସାରେ ମଧ୍ୟସ୍ଥି ମଧ୍ୟପ୍ରଦେଶ ମନ୍ଦସୌରର ସୁପ୍ରିୟା ପ୍ରଜାପତି ଓରଫ ରଜନୀ ବାଇ(୨୫) ଏବଂ କ୍ରେତା​‌ ମଧ୍ୟପ୍ରଦେଶ ରାମପୁରାର ମନୋଜ ପ୍ରଜାପତି(୨୮)କୁ ପୁଲିସ ସେଠାକୁ ଯାଇ ଗିରଫ କରିଛି । ୧ ଲକ୍ଷ ୫୦ ହଜାର ଟଙ୍କାରେ ପୀଡ଼ିତାଙ୍କ କ୍ରୟ ବିକ୍ରୟ ହୋଇଥିବା ନେଇ ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାଶ ଜିଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ପୁଲିସ ସୂଚନାନୁସାରେ ଝାରସୁଗୁଡ଼ା ସହର ବାସିନ୍ଦା କ୍ରିଷ୍ଣ କୁମାର ଗତ ୭ତାରିଖରେ ଟାଉନ ଥାନାରେ ଏତଲା ଦେଇ ତାହାର ପତ୍ନୀ ମୁସ୍କାନଙ୍କୁ ବେଆଇନ ଭାବେ କ୍ରୟ ବିକ୍ରୟ କରାଯାଇଥିବା ନେଇ ଅଭିଯୋଗ କରିଥିଲା । ତାହାର କହିବା ଅନୁସାରେ ଦେଢ଼ ବର୍ଷ ପୂର୍ବେ କ୍ରିଷ୍ଣ କୁମାର ସମ୍ବଲପୁର ସାକ୍ଷୀପଡ଼ାର ମୂଳବାସିନ୍ଦା ତଥା ଝାରସୁଗୁଡ଼ା ମଙ୍ଗଳବଜାର ନିଜ ମାମୁଁ ଘରେ ରହୁଥିବା​‌ ମୁସ୍କାନଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟ ରାଉରକେଲାର ବୈଷ୍ଣୋଦେବୀ ମନ୍ଦିରରେ ବିବାହ କରିବା ପରେ ଝାରସୁଗୁଡ଼ାର ଏକ ଭଡ଼ାଘରେ ରହୁଥିଲେ । ପ୍ରାୟ ବର୍ଷକ ପରେ ମୁସ୍କାନ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ହେଁ ଜନ୍ମ ହେବା ମାତ୍ରେ ଶିଶୁକନ୍ୟାଟିର ମୃତ୍ୟୁ ହୋଇଯାଇଥିଲା । ତେବେ ଏହା ପରେ ଉଭୟ ପତି ପତ୍ନୀଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଉପୁଜିବାରୁ ମୁସ୍କାନ ଘରୁ ଚାଲିଯାଇ ଝାରସୁଗୁଡ଼ା ଭୁଲିଆଟିକିଆର କିରଣ ସେଠୀ ଓରଫ ପୁଷ୍ପାଞ୍ଜଳୀ ବେହେରା ନାମକ ଜଣେ ମହିଳାଙ୍କ ଘରେ ରହୁଥିଲେ । ହେଲେ ପ୍ରାୟ ୧୫ଦିନ ପରେ କ୍ରିଷ୍ଣ କୁମାର ନିଜ ପତ୍ନୀ ମୁସ୍କାନ ବିଷୟରେ ଘର ମାଲିକାଣିଙ୍କୁ ପଚାରିବା ବେଳକୁ ସେ ଘରୁ କୁଆଡ଼େ ଚାଲି ଯାଇଛି କହିଥିଲେ । କିନ୍ତୁ ଗତ ୩ତାରିଖ ମୁସ୍କାନ ନିଜର ଜ​‌େ​‌ଣ ବନ୍ଧୁ ଅସ୍‌ରଫଙ୍କ ମୋବାଇଲରୁ ଫୋନ କରି ଘର ମାଲିକାଣି କିରଣ ସେଠୀ ନିଜ ପୁରୁଷ ବନ୍ଧୁ ହୃଷିକେଶ ସେଠୀ ଓ ଜ​‌େଣ ସମ୍ପର୍କୀୟ ଯୁବକ ଦାନୀଶ ବେହେରାଙ୍କ ସହାୟତାରେ ରାଜସ୍ଥାନର ଜଣେ ବ୍ୟକ୍ତିଙ୍କୁ ଦେଢ଼ ଲକ୍ଷ ଟଙ୍କ​‌ାରେ ବିକ୍ରି କରିଥିବା କହିଥିଲା । ତାକୁ କିଣିଥିବା ବ୍ୟକ୍ତି ନିଜ ପୁଅ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିବା ବେଳେ ସେ ଅରାଜି ହେବାରୁ ହତ୍ୟା ଧମକ ଦେଇ ଥିବା ନେଇ ମୁସ୍କାନ କରିଥିଲେ । ଏହି ସୂଚନା ଆଧାରରେ କ୍ରିଷ୍ଣ କୁମାର ଟାଉନ ଥାନାରେ ଏତଲା ଦାୟର କରି ନିଜ ପତ୍ନୀଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ ।

prayash

ଏନେଇ ଟାଉନ ଥାନାଧିକାରୀ ସାବିତ୍ରୀ ବଳ ଥାନା ଏତଲା ସଂଖ୍ୟା ୧୯୪/୭.୪.୨୦୨୨ରେ ଧାରା​‌ ୩୭୦/୫୦୬/୧୨୦-ବି ଆଇପିସିରେ ମାମଲା ଦାୟର କରି ଏସଡିପିଓ ନିର୍ମଳ ମହାପାତ୍ରଙ୍କ ତତ୍ତ୍ବାବଧାନରେ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ଯୁବତୀଙ୍କୁ ବିକ୍ରି କରିଥିବା କିରଣ ସେଠୀଙ୍କ ବଲାଙ୍ଗୀର ଷ୍ଟେଟବ୍ୟାଙ୍କରେ ଜମାଖାତାକୁ ଫ୍ରିଜ କରାଯାଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତଙ୍କର ମଧ୍ୟ ବ୍ୟାଙ୍କ ଜମାଖାତା ଫ୍ରିଜ କରାଯାଇଥିଲା । ମୁସ୍କାନକୁ ବିକ୍ରି କରିବା ପରେ ତିନି ହେଁ ୫୦ହଜାର ଟଙ୍କା ଲେଖାଏଁ ଭାଗ ନେଇଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସେମାନଙ୍କ ସୂଚନା ଆଧାରରେ ଝାରସୁଗୁଡ଼ା ଥାନାଧିକାରୀ ଶ୍ରୀମତୀ ବଳଙ୍କ ନେତୃତ୍ବରେ ଏସଆଇ ମହେଶ୍ବର ପାଣିଗ୍ରାହୀ, କନଷ୍ଟେବଲ କରୀନା ପାଣ୍ଡେ ଓ ଲୋଚନ ସା ଅଭିଯୋଗକାରୀ କ୍ରିଷ୍ଣ କୁମାର ସହିତ ମଧ୍ୟପ୍ରଦେଶର ନିମୁଚ ଓ ରାଜସ୍ଥାନର କୋଟା ସହ​‌ର ଯାଇ ଅଧିକ ତଦନ୍ତ କରିଥିଲେ । ୧୨ ତାରିଖ ମଧ୍ୟପ୍ରଦେଶରେ ନିମୁଚ ଜିଲାର ରାମପୁରା ନାମକ ଏକ ଜାଗାରୁ ପୀଡ଼ିତା ମୁସ୍କାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେହିଦିନ ହିଁ ମଧ୍ୟସ୍ଥି ସୁପ୍ରିୟା ପ୍ରଜାପତି ଓ କ୍ରେତା ମନୋଜ ପ୍ରଜାପତିଙ୍କୁ ଗିରଫ କରିଥିଲେ। ଉଭୟଙ୍କୁ ସେଠାକାର ଅଦାଲତରେ ହାଜର ପରେ ରିମାଣ୍ଡରେ ଅଣାଯାଇ ଝାରସୁଗୁଡ଼ା ଏସଡିଜେଏମ କୋର୍ଟ ଚାଲାଣ କରାଯାଇଥିବା ଏସପି ଶ୍ରୀ ଦାଶ ସୂଚନା​‌ ଦେଇଛନ୍ତି । ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୫ଟି ମୋବାଇଲ ଜବତ କରିବା ସହ ପୀଡ଼ିତା ଓ କ୍ରେତା ମନୋଜ ପ୍ରଜାପତିର ବିବାହ ଫଟୋ ମଧ୍ୟ ଜବତ କରିଛି । ଏ ଘଟଣାକୁ ପୁଲିସ ଗୁରୁତ୍ବର ସହ ଗ୍ରହଣ କରିଛି ଓ ଅଭିଯୁକ୍ତମାନେ ଅନ୍ୟ କୌଣସି ମାନବ ତସ୍କରୀରେ ସାମିଲ ଅଛନ୍ତି କି ନେଇ ଯାଞ୍ଚ ଚାଲିଛି । ଏହି କ୍ରୟ ବିକ୍ରୟ ମାମଲାର ମଧ୍ୟସ୍ଥି ସୁପ୍ରିୟା ପ୍ରଜାପତି ରାଜସ୍ଥାନର ମୂଳ ବାସିନ୍ଦା ବୋଲି ଜଣାପଡ଼ିଛି । ତେବେ ଯୁବତୀଙ୍କୁ କ୍ରୟ କରିଥିବା ମନୋଜ ପ୍ରଜାପତି ବିବାହ କରିବା ପରେ ପୀଡ଼ିତା ମୁସ୍କାନ ପୂର୍ବରୁ ବିବାହିତା ଓ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ବିଷୟ ଜାଣିବା ପରେ ଗଣ୍ଡଗୋଳ ଉପୁଜିଥିବା ଓ ବିକ୍ରୟ କରିଥିବା ଝାରସୁଗୁଡ଼ାର ଅଭିଯୁକ୍ତମାନଙ୍କୁ ଟଙ୍କା ଫେରାଇବାକୁ ଚାପ ପ୍ରୟୋଗ କରିବାକୁ ଗଣ୍ଡଗୋଳ ଉପୁଜିଥିବା ନେଇ ପୁଲିସ ତଦନ୍ତରେ ଜାଣିବାକୁ ପାଇଛି ।

kalyan agarbati

Comments are closed.