ମନ୍ତ୍ରୀଙ୍କ ଦ୍ୱାରା ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟର ସମୀକ୍ଷା, ଏପ୍ରିଲ ୧୯ ସୁଦ୍ଧା ୨୨ଟି ସ୍କୁଲର କାର୍ଯ୍ୟ ସଂପୂର୍ଣ୍ଣ ପାଇଁ ନିର୍ଦେଶ

ଆଠଗଡ: ଆଠଗଡ, ତିଗିରିଆ, ଟାଙ୍ଗି ଓ ଚୌଦ୍ୱାର ବ୍ଲକର ୨୨ଟି ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ୫-ଟି ବିଭାଗର ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମୀକ୍ଷା କରିବା ସହ ଆସନ୍ତା ଏପ୍ରିଲ ୧୯ସୁଦ୍ଧା କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ମଙ୍ଗଳବାର ସ୍ଥାନୀୟ ବ୍ଲକ ପ୍ରେକ୍ଷାଗୃହରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ବ୍ୟତୀତ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ, ତହସିଲଦାର ପ୍ରିୟବ୍ରତ ଦାସ, ସହକାରୀ ବ୍ଲକ ଶିକ୍ଷାଧିକାରୀ ନିତ୍ୟାନନ୍ଦ ବେହେରାଙ୍କ ସମେତ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ରହି ବିଦ୍ୟାଳୟଗୁଡିକର ରୂପାନ୍ତରିକରଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଆଠଗଡ ବ୍ଲକ ଅନ୍ତର୍ଗତ ସମସରପୁରସ୍ଥିତ ସାବିତ୍ରୀ ରଥ ନୋଡାଲ ବିଦ୍ୟାପୀଠ, ଅରଖପାଟଣାର ଲୋକନାଥ ନୋଡାଲ ବିଦ୍ୟାପୀଠ, ଯୋରନ୍ଦାର ମାଧବ ସାମନ୍ତ ସିଂହାର ବିଦ୍ୟାପୀଠ, ଖୁଣ୍ଟକଟା ନୋଡାଲ ଉଚ୍ଚ ବିଦ୍ୟାଳୟ, ବାଳିର ଶାନ୍ତିଦୂତ ଶାସ୍ତ୍ରୀଜୀ ବିଦ୍ୟାପୀଠ, ଖୁଣ୍ଟୁଣୀର ରାଧାନାଥ ନୋଡାଲ ବିଦ୍ୟାପୀଠ, ଗୁରୁଡିଝାଟିଆର କବିଚନ୍ଦ୍ର ଭୁବନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ, କୁମାରପୁର ନୋଡାଲ ଉଚ୍ଚ ବିଦ୍ୟାଳୟ, ପାଟେଣିଗାଁ ସ୍ଥିତ ସର୍ପେଶ୍ୱର ବିଦ୍ୟାପୀଠ, ବେଣ୍ଟପଦା ନୋଡାଲ ଉଚ୍ଚ ବିଦ୍ୟାଳୟ ଏବଂ ଆଠଗଡର ସହକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ତିଗିରିଆର ୬ଟି ଏବଂ ଟାଙ୍ଗି-ଚୌଦ୍ୱାର ବ୍ଲକର ୪ଟି ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ରୂପାନ୍ତରିକରଣ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ ମନ୍ତ୍ରୀ ଶ୍ରୀ ସ୍ୱାଇଁ।

 

prayash

ସଂପୃକ୍ତ ବିଦ୍ୟାଳୟ ଗୁଡିକରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଶୌଚାଳୟ, ଖେଳପଡିଆ, ବଗିଚା ଓ ଅସଂପୂର୍ଣ୍ଣ ଶ୍ରେଣୀ କକ୍ଷର କାର୍ଯ୍ୟ ଆସନ୍ତା ଏପ୍ରିଲ ୧୯ତାରିଖ ସୁଦ୍ଧା ଶେଷ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ମାର୍ଚ୍ଚ ୫ତାରିଖ ସୁଦ୍ଧା କାର୍ଯ୍ୟ ଶେଷ ପାଇଁ ନିର୍ଦେଶ ଦିଆଯାଇଥିବାବେଳେ ଅଧିକାଂଶ ସ୍କୁଲରେ କାର୍ଯ୍ୟ ସେହି ଅବଧି ମଧ୍ୟରେ ଶେଷ ହୋଇନଥିବାରୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥି ସହିତ ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କଲେଜ ଗୁଡିକରେ ବାକି ରହିଥିବା ଅନୁଦାନକୁ ସଠିକ୍‍ ଓ ଯଥାଶୀଘ୍ର ଖର୍ଚ୍ଚ କରି କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ କଲେଜ ଗୁଡିକରେ ଖାଲି ପଡିଥିବା ଅଧ୍ୟାପକ ଓ କର୍ମଚାରୀଙ୍କ ପଦବୀଗୁଡିକ ପୂରଣ କରିବା ପ୍ରକ୍ରିୟା ଆରମ୍ଭ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତତ୍‍ସହିତ ରେଙ୍ଗାଲି ଦକ୍ଷିଣ କେନାଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମୀକ୍ଷା କରିବା ସହ ଉପସ୍ଥିତ ବିଭାଗୀୟ ଯନ୍ତ୍ରୀଙ୍କୁ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ରୂପାନ୍ତରିକରଣ କରାଯାଉଥିବା ହାଇସ୍କୁଲଗୁଡିକରେ ପ୍ରଧାନଶିକ୍ଷକ, ବିଭିନ୍ନ କଲେଜର ଅଧ୍ୟକ୍ଷ ଏବଂ ରେଙ୍ଗାଲି ଦକ୍ଷିଣ କେନାଲ ଡିଭିଜନର ବରିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହିଥିଲେ।

kalyan agarbati

Comments are closed.