ବାରମ୍ବାର ପାଇପ ଫାଟି ପାତ୍ରପୁର ଗ୍ରାମକୁ ଜଳଯୋଗାଣ ବ୍ୟାଘାତ

ପାତ୍ରପୁର: ଗତ କିଛିଦିନ ହେଲା ପାତ୍ରପୁର ଅଂଚଳରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇଛି। ଯାହା ଫଳରେ ଏବେ ଅଂଚଳରେ ପ୍ରବାହିତ ନଦୀ ବଗି, ପୋଇଚାନ୍ଦିଆ, ମହେନ୍ଦ୍ରତନୟା ପ୍ରଭୃତି ଶୁଖି ଯାଇଥିବା ଯୋଗୁଁ ଜଳକଷ୍ଟ ଅନୁଭୂତ ହେଉଛି । ନଦୀ ତଡ଼ିଆ ଗ୍ରାମର ଲୋକମାନେ ଗୃହ ପାଳିତ ପଶୁଙ୍କ ସ୍ନାନ ସହିତ ମଣିଷଙ୍କ ସ୍ନାନ ଶୌଚ ପାଇଁ ନଦୀ ନାଳ ଉପରେ ନିର୍ଭର କରିଥାନ୍ତି। ନଦୀର ଜଳସ୍ତର କମିବା ପରେ ଘରମାନଙ୍କରେ ଖୋଳିଥିବା ବୋରୱେଲର ଜଳସ୍ତର ବହୁ ଗ୍ରାମରେ ଶୁଖିଯାଇଛି। ତେବେ ଅଞ୍ଚଳର କେନ୍ଦ୍ର ସ୍ଥଳ ପାତ୍ରପୁର ଗ୍ରାମରେ ଏବେ ମଣିଷକୃତ ଜଳ ସଙ୍କଟ ଦେଖା ଦେଇଛି। ଯାହାରି ପାତ୍ରପୁରବାସୀ ପାଣି ପାଇଁ ଡହଳ ବିକଳ ହେବାକୁ ପଡୁଛି।

ପାତ୍ରପୁର ଗ୍ରାମଟି ଏହି ଅଞ୍ଚଳର କେନ୍ଦ୍ର ସ୍ଥଳ। ଏହି ଗ୍ରାମରେ ବଡ଼ଖତାଡୀ, ଗୋପାଳସାଗର, ଗୁରୁସେଠୀ ଏବଂ ପାତ୍ରପୁର ମୌଜା ରହିଛି। ଗ୍ରାମର ବିଭିନ୍ନ ସାହିରେ ୭ ହଜାରରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି। ଏହି ଗ୍ରାମରେ ବ୍ଲକ, କୋର୍ଟ, ତହସିଲ, ଡାକ୍ତରଖାନା, ବ୍ୟାଙ୍କ ସହିତ ବିଭିନ୍ନ କାର୍ଯ୍ୟାଳୟ ରହିଛି। ନିୟମିତ ବିଭିନ୍ନ ଅଞ୍ଚଳରୁ ଏହି ଗ୍ରାମକୁ ଲୋକମାନେ କାମ, ବଜାର, ସଉଦା ପାଇଁ ଆସିଥାନ୍ତି। ଗ୍ରାମର ଲୋକମାନଙ୍କ ପାଇଁ ତିନି ଗୋଟି ପାନୀୟ ଜଳ ପ୍ରକଳ୍ପ ରହିଛି। ତେବେ ଏହି ତିନି ପ୍ରକଳ୍ପ ମଧ୍ୟରୁ ମାତ୍ର ଗୋଟିଏ କାର୍ଯ୍ୟ କରିବା ଫଳରେ ଜଳକଷ୍ଟ ଲାଗିରହୁଛି। ଲୋକମାନଙ୍କ ସ୍ନାନ, ଶୌଚ, ପଶୁ ପକ୍ଷୀଙ୍କ ବ୍ୟବହାର ପାଇଁ ଗ୍ରାମର ଲୋକମାନେ ପୋଖରୀ ପାଣି ଉପରେ ନିର୍ଭର କରି ଥାଆନ୍ତି। ଏହି ଗ୍ରାମର ଭୂତଳ ପାଣି କ୍ଷାରଯୁକ୍ତ ରହିଥିବାରୁ ଲୁଗା ସଫା କରିବା ପାଇଁ ପୋଖରୀ ପାଣି ବ୍ୟବହାର କରାଯାଏ। ଗ୍ରାମରେ ବହୁ ପୋଖରୀ ରହିଛି। ଏଥି ମଧ୍ୟରୁ ବ୍ଳକ ନିକଟରେ ଥିବା ଗୋପାଳ ବନ୍ଧ, ବାଡିବନ୍ଧ, ନିମାତି ବନ୍ଧ, ଜ।ଗବନ୍ଧରେ ଲୋକମାନେ ସ୍ନାନ ଶୌଚ କରି ଥାଆନ୍ତି। ପେଦିକାବନ୍ଧରେ ଲୁଗା ପଟା ସଫା କରୁଛନ୍ତି। ଏହା ବ୍ୟତୀତ ଗ୍ରାମଠାରୁ ଅନତି ଦୂରରେ ଦେଉଳିଆ ବନ୍ଧ ରହିଛି। ଗୋପାଳବନ୍ଧ ଉପରେ ବହୁ ସଂଖ୍ୟକ ଲୋକ ନିର୍ଭର କରୁଛନ୍ତି। ଏହି ଗ୍ରାମର କ୍ଷାର ଯୁକ୍ତ ଜଳକୁ ଦେଖି ୨୩ ବର୍ଷ ପୂର୍ବେ ଜଳଯୋଗାଣ ଉଦ୍ୟମ ଆରମ୍ଭ ହୋଇଥିଲା।

ଗ୍ରାମଠାରୁ ୭ କିଲୋମିଟର ଦୂର ଚିକିଟି ବ୍ଳକ ବାହୁଦା ନଦୀରେ ପମ୍ପ ହାଉସ ବସାଇ ପାତ୍ରପୁର ସମେତ ଘେଡେଇଗାଁ, ସପଙ୍ଗ, ନାରାୟଣପୁର ଗ୍ରାମକୁ ପାଣି ଯୋଗାଯାଉଥିଲା। ଏପରିକି କଲୁହାବନଦୁର୍ଗା ପାହାଡରେ ଏକ ଓଭର ହେଡ ଟେଙ୍କ ନିର୍ମାଣହୋଇ ଦିନଟିଏ ପାଇଁ ମଧ୍ୟ ଚଳୁ ହୋଇ ନଥିଲା। ତେବେ ଲୋକଙ୍କୁ ଠିକ ଭାବେ ପାଣି ମିଳୁ ନଥିବା ଦେଖି ଏହା ମଧ୍ୟରେ ଅନ୍ୟ ଦୁଇଟି ପ୍ରକଳ୍ପ ନିର୍ମାଣ କରିବା ସହ ପାଣି ଗଚ୍ଛିତ ପାଇଁ ଦୁଇଟି ଓଭର ହେଡ ଟ୍ୟାଙ୍କ ନିର୍ମାଣ ହୋଇଛି। ତେବେ ବିଭିନ୍ନ ସମୟରେ ତିନିଗୋଟି ଟ୍ୟାଙ୍କକୁ ପାଣି ଉଠା ଯାଉନାହିଁ। ଗ୍ରାମକୁ ଗତ କିଛିଦିନ ହେଲା ଠିକ ଭାବେ ପାଣି ଆସୁନାହିଁ। ଫଳରେ ବହୁ ଲୋକ ବ୍ଳକ କାର୍ୟ୍ୟାଳୟ ଏବଂ ଏକ ମନ୍ଦିରରେ ଥିବା ପୁରୁଣା କୂଅରୁ ପିଇବା ପାଣି ସଂଗ୍ରହ କରୁଛନ୍ତି। ଗ୍ରାମର ଦୁଇ ତିନୋଟି ସାହି ଉଚ୍ଚରେ ଥିବାରୁ ପାଣି ପହଞ୍ଚି ପାରୁନାହିଁ। ଗତ ପାଞ୍ଚ ଦିନ ପୂର୍ବେ ନାରାୟଣପୁର ରାସ୍ତାରେ କେହି ପାଇପ ଫଟେଇ ଦେବା ଯୋଗୁଁ ଜଳ ଯୋଗାଣ ବନ୍ଦ ରହିଥିଲା। ବିଭାଗ ଏହାକୁ ସଜାଡି ପାଣି ଛାଡିବାକୁ ଉଦ୍ୟମ କରିଥିଲେ।ତେବେ ଗତ ରାତିରେ ପୁଣି ମଇସାନପୁର ଗ୍ରାମ ନିକଟରେ ଏକ ନିର୍ମାଣ କାର୍ଯ୍ୟରେ ମାଟି ଖୋଳି ପାଣି ପଥ ଭାଙ୍ଗି ପଡିଛି। ଯାହା ଫଳରେ ଯୋଗାଣ ବନ୍ଦ ରହିଥିବା ବେଳେ ସ୍ୱାଭାବିକ କରିବା ଉଦ୍ୟମ ଜାରି ରହିଛି। ତେବ ପାତ୍ରପୁର ଗ୍ରାମକୁ ଆସିଥିବା ଜଳ ପଥ ମାଟି ତଳେ ଥିବାରୁ ବିଭିନ୍ନ ସମୟରେ ଅନ୍ୟ ବିଭାଗ ନିର୍ମାଣ ବେଳେ ଏହି ବିଭାଗକୁ ସୂଚନା ନଦେଇ ନିର୍ମାଣ ଯୋଗୁଁ ପାଇପ ନଷ୍ଟ ହୋଇ ଜଳ ଯୋଗାଣ ବନ୍ଦ ରହୁଛି। ତେବେ ତୁରନ୍ତ ସଜାଡ଼ିବା ସହିତ ଆଗାମୀ ସପ୍ତାହରେ ଓଭର ହେଡ ଟ୍ୟାଙ୍କ ମାଧ୍ୟମରେ ଜଳ ଯୋଗାଣ କରି ଲୋକଙ୍କ ଦୀର୍ଘ ଦିନର ଅସୁବିଧା ଦୂର କରାଯିବ ବୋଲି ସହକାରୀ ଯନ୍ତ୍ରୀ ରାବେରୀ ପ୍ରଧାନ ପ୍ରକାଶ କରିଛନ୍ତି।

Comments are closed.