ଦୁଷିତ ହେଉଛି ଐତିହ୍ୟକୁଣ୍ଡ
ଭୁବନେଶ୍ୱର: ମନ୍ଦିରମାଳିନୀ ନଗରୀରେ ଥିବା ପ୍ରାଚୀନ ପୀଠର ସମାନୁପାତରେ ରହିଛି କୁଣ୍ଡ ବା ଜଳାଶୟ। ଏହି କୁଣ୍ଡଗୁଡ଼ିକରେ ସେବାୟତ ଓ ଶ୍ରଦ୍ଧାଳୁମାନେ ସ୍ନାନ କରିବା ସହିତ ଦେବାଦେବୀଙ୍କର ରୀତିନୀତି ସମ୍ପନ୍ନ କରିଥାନ୍ତି । ବହୁ ଐତିହ୍ୟ ସମ୍ପନ୍ନ କୁଣ୍ଡ ବିଲୁପ୍ତ ହୋଇଯାଉଥିବାବେଳେ ଏବେ ଅନେକ ପୋତି ହେବା ସାଙ୍ଗଗୁ ପ୍ରଦୁଷିତ ଓ ଅପରିସ୍କାର ହେବାରେ ଲାଗିଛ। ସେଥିମଧ୍ୟରୁ କେଦାରଗୌରୀ ମନ୍ଦିରରେ ଥିବା ଚାରୋଟି ଐତିହାସିକ ପବିତ୍ରକୁଣ୍ଡ ଅନ୍ୟତମ। କେଦାରଗୌରୀ ମନ୍ଦିର ଚତୁଃପାଶ୍ୱର୍ରେ କୋଠାବାଡ଼ି ନିର୍ମାଣ ଓ ଗଭୀର ନଳକୂପ ଖନନ ଯୋଗୁଁ ଏଠାରେ ଥିବା କୁଣ୍ଡଗୁଡ଼ିକରେ ପୂର୍ବଭଳି ଆଉ ପାଣିରହୁ ନାହିଁ। ଫଳରେ କୁଣ୍ଡଗୁଡ଼ିକର ଜଳସ୍ତର ହ୍ରାସ ପାଉଛି। ରକ୍ଷଣା ବେକ୍ଷଣ ଅଭାବରୁ କୁଣ୍ଡଗୁଡ଼ିକ ଏବେ ଅପରିସ୍କାର ହୋଇ ଏହାର ପାଣି ପ୍ରଦୂଷିତ ହେଉଛି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ଦୀର୍ଘ ବର୍ଷ ହେଲା କୁଣ୍ଡଗୁଡ଼ିକର ମରାମତି ଓ ଏଗୁଡ଼ିକୁ ପରସ୍କାର ପରିଚ୍ଛନ୍ନ ରଖିବା ପାଇଁ ଦାବି କରାଯାଉଥିଲେ ମଧ୍ୟ ତାହା କର୍ତ୍ତୃପକ୍ଷଙ୍କ ନିକଟରେ କୁମ୍ଭିର କାନ୍ଦଣା ସଦୃଶ ହେଉଛି ବୋଲି ଅଭିଯୋଗ କରିବା ସହ ଐତିହାସିକ କେଦାରଗୌରୀ ମନ୍ଦିର ପରିସରରେ ଥିବା କୁଣ୍ଡଗୁଡ଼ିକର ପୁନଃଉଦ୍ଧାର ଏବଂ ପ୍ରଦୂଷଣମୁକ୍ତ କରାଯିବା ପାଇଁ ସେମାନେ ନିବେଦନ କରିଛନ୍ତି।
ବର୍ତ୍ତମାନ ରାଜଧାନୀରେ ଐତିହ୍ୟ ସମ୍ପନ୍ନ ପ୍ରାୟ ୭୫ଟି କୁଣ୍ଡ ରହିଛି ବୋଲି ଏକ ଆକଳନରୁ ଜଣାଯାଇଛି। ସେଥିମଧ୍ୟରୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା କେଦାରଗୌରୀ ମନ୍ଦିର ପରିସରରେ ଥିବା ଚାରିଟି ପ୍ରାଚୀନ କୁଣ୍ଡ ରହିଛି। ସେଗୁଡ଼ିକ ହେଲା ଦୁଧ କୁଣ୍ଡ, କେଦାର କୁଣ୍ଡ, ଗୌରୀ କୁଣ୍ଡ ଓ ଦାନ୍ତଘଷା କୁଣ୍ଡ ବା ସ୍ନାନ କୁଣ୍ଡ। ଐତିହାସିକଙ୍କ ମତରେ ପ୍ରାୟ ଏକ ହଜାର ବର୍ଷ ତଳର ଏହି କୁଣ୍ଡର ପାଣି ବ୍ୟବହାର କରାଯାଇ ଠାକୁରଙ୍କ ରୀତିନୀତି ସମ୍ପନ୍ନ ହୋଇଥାଏ। ଦୁଧ କୁଣ୍ଡରୁ ପାଣି କେଦାରଶ୍ୱର ମହାଦେବଙ୍କ ମନ୍ଦିର ଭିତରେ ଦେଇ କେଦାର କୁଣ୍ଡକୁ ଓ ଗୌରୀ କୁଣ୍ଡରୁ ଦାନ୍ତଘଷା କୁଣ୍ଡ ବା ସ୍ନାନ କୁଣ୍ଡକୁ ପାଣି ଯାଇଥାଏ। ଏହି କୁଣ୍ଡଗୁଡ଼ିକର ବିଶେଷତ୍ୱ ହେଲା ଦୁଧ କୁଣ୍ଡର ପାଣି ଗଙ୍ଗାଜଳ ଭଳି ପବିତ୍ର। ଏହି ପାଣି ନିୟମିତ ଭାବେ ପ୍ରାୟ ଦୁଇ ମାସ ପିଇଲେ ଗ୍ୟାସ୍ଟିକ୍, ଅଗ୍ନିମାନ୍ଦ୍ୟ ଦୂର ହୁଏ ବୋଲି ଅନେକଙ୍କ ଅଖଣ୍ଡ ବିଶ୍ୱାସ ରହିଛି। ଖାସ୍ ଏଥିପାଇଁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି ରାଜ୍ୟର ପର୍ଯ୍ୟଟକ ଏଠାକାର ପବିତ୍ର ପାଣି ସାଙ୍ଗରେ ନେଉଥିବା ଦେଖାଯାଏ। ସେହିପରି କେଦାର କୁଣ୍ଡର ପାଣି କେବଳ ଠାକୁରଙ୍କ ରୀତିନୀତି ଓ ପ୍ରସାଦ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଇଥାଏ। ଏହି କୁଣ୍ଡର ପାଣି ସାଧାରଣରେ ବ୍ୟବହାର, ସ୍ନାନ ଓ ଅନ୍ୟାନ୍ୟ କାର୍ଯ୍ୟପାଇଁ କଟକଣା ଜାରି କରାଯାଇଛି।
ମା’ ଗୌରୀଙ୍କ ସମ୍ମୁଖରେ ରହିଛି ଗୌରୀ କୁଣ୍ଡ। ଏହି କୁଣ୍ଡ ଦିନେ କାଚକେନ୍ଦୁ ଭଳି ସ୍ୱଚ୍ଛଜଳ ପାଇଁ ପ୍ରସିଦ୍ଧ ଲାଭ କରିଥିଲା। ପ୍ରତିଦିନ ଏଠାରେ ସେବାୟତ ଓ ଶ୍ରଦ୍ଧାଳୁମାନେ ସ୍ନାନ କରି କେଦାରଶ୍ୱର ମହାଦେବ ଓ ମା’ ଗୌରୀଙ୍କ ପୂଜାର୍ଚ୍ଚନା କରିଥାନ୍ତି। ଏଥିରେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ସ୍ନାନ କଲେ ଚର୍ମରୋଗ ଭଲ ହୁଏ ବୋଲି ବିଶ୍ୱାସ ରହିଛି। ଏହି କୁଣ୍ଡରେ ସ୍ନାନ କଲାବେଳେ ଲୁଗା ସଫାକରିବା, ସାବୁନ ଲଗାଇବା କିମ୍ବା ଦାନ୍ତ ଘସିବା ପାଇଁ ବାରଣ କରାଯାଇଛି । ଗୌରୀ କୁଣ୍ଡରେ ଥିବା ରାକ୍ଷାସ ମୁହଁ ଦେଇ ଦାନ୍ତଘଷା କୁଣ୍ଡକୁ ପାଣି ଯାଏ। ଦାନ୍ତଘଷା କୁଣ୍ଡରେ ଲୁଗା ସଫାଠାରୁ ଆରମ୍ଭ କରି ସାବୁନ ଲଗାଇ ଗଧୋଇବା ଉପରେ ବାରଣ ନାହିଁ । ପ୍ରାକୃତିକ ଝରଣା ଏହି କୁଣ୍ଡ ମଧ୍ୟ ଦେଇ ପ୍ରବାହିତ ହେଉଥିବା କୁହାଯାଉଥିବାବେଳେ ଏବେ ତାହା ଦେଖିବାକୁ ମିଳୁନାହିଁ। ଦୁଧ କୁଣ୍ଡ ଓ କେଦାର କୁଣ୍ଡରେ ରଙ୍ଗବେରଙ୍ଗର ମାଛ ଓ କଇଁଛ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷଣ କରିଥାନ୍ତି। ଗଛଗୁଡ଼ିକରେ ପତ୍ର ଝଡ଼ି କୁଣ୍ଡରେ ପଡୁଥିବାବେଳେ ତାହା କାଢ଼ି ଦିଆଯାଉ ନାହିଁ। ସେହିପରି କିଛି ଶ୍ରଦ୍ଧାଳୁ ପୂଜାରେ ବ୍ୟବହୃତ ଫୁଲ, ଫଳଚୋପା, ନଡ଼ିଆ ଖୋଳ ଆଦି ଫୋପାଡ଼ି ଦେଉଥିବା ଦେଖିବାକୁ ମିଳୁଛି। ସାବୁନ ଲଗାଇବା କଟକଣାକୁ କେତେକ ମାନୁନାହାଁନ୍ତି। ଫଳରେ କୁଣ୍ଡଗୁଡ଼ିକର ପାଣି ଦିନକୁ ଦିନ ପ୍ରଦୁଷିତ ହେବା ସହିତ ଅପରିସ୍କାର ହେଉଥିବା ପରିଲକ୍ଷିତ ହେଉଛି।
କେଦାରଗୌରୀ ମନ୍ଦିର ପରିସରରେ ଥିବା ଏହି ଚାରୋଟି କୁଣ୍ଡ ଏବେ ପ୍ରଦୂଷିତ ହେବାରେ ଲାଗିଛି । ତେଣୁ ଏଠାକୁ ଆସୁଥିବା ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଯେଭଳି ଏହାକୁ ଅପରିସ୍କାର ନ କରିବେ ସେଥିପ୍ରତି ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ଉତ୍କଳୀୟ ସଂସ୍କୃତିର ଅନେକ ବାର୍ତ୍ତା ବହନ କରୁଥିବା କୁଣ୍ଡଗୁଡ଼ିକ ପର୍ଯ୍ୟଟନ ବିଭାଗର ଅବହେଳା ଓ ଜନସଚେତନତା ଅଭାବରୁ ପ୍ରଦୂଷିତ ହେବାରେ ଲାଗିଛି । ପରବର୍ତ୍ତୀ ସମୟରେ ଏଗୁଡ଼ିକ ବ୍ୟବହାର ଉପଯୋଗୀ ନ ହେବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି।
Comments are closed.