‘କଳାଭୂମି’ ପରିସରରେ ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରୀ ଉଦ୍‌ଘାଟିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ଣରେ ଭୁବନେଶ୍ୱର ଗଣ୍ଡମୁଣ୍ଡାସ୍ଥିତ କଳାଭୂମି- ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ ପରିସରରେ ଥିବା ବହୁ ପ୍ରତୀକ୍ଷିତ ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରୀର ଉଦଘାଟନ କରିଛନ୍ତି। ଓଡିଶାର ବିଭିନ୍ନ ହସ୍ତତନ୍ତ ଓ ହସ୍ତଶିଳ୍ପ ଯାହା ଜଗନ୍ନାଥ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡିତ ଏହି ଜଗନ୍ନାଥ ସଂସ୍କୃତି ଗ୍ୟାଲେରୀରେ ପ୍ରଦର୍ଶିତ ହୋଇଛି। ଜଗନ୍ନାଥ ସଂସ୍କୃତି ସହିତ ଜଡିତ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ଯଥା ପଟ୍ଟଚିତ୍ର, କତା, ପିପିଲି ଚାନ୍ଦୁଆ, ଟେରାକୋଟା, ସୋଲାପୀଠ, ପିତ୍ତଳ ସାମଗ୍ରୀ, ବିଭିନ୍ନ ପ୍ରକାରର ଧାତୁରେ ନର୍ମିତ ହସ୍ତଶିଳ୍ପର ଅନନ୍ୟ କାରୁକାର୍ଯ୍ୟ ଏହି ଗ୍ୟାଲେରୀରେ ରହିଛି । ନୂତନ ଗ୍ୟାଲେରୀରେ ପ୍ରଭୁ ଜଗନ୍ନାଥଙ୍କର ଛଅଗୋଟି ପ୍ରଧାନ ବେଶ ପ୍ରଦର୍ଶିତ ହୋଇଛି । ଏହି ଗ୍ୟାଲେରୀରେ ଜଗନ୍ନାଥଙ୍କର ଦୁର୍ଲଭ ରଘୁନାଥ ବେଶ ସ୍ଥାନିତ ହୋଇଛି । ୧୯୦୫ ମସିହାରେ ଶେଷ ଥର ପାଇଁ ଜଗନ୍ନାଥଙ୍କର ରଘୁନାଥବେଶ କରାଯାଇଥିଲା। ଏତଦବ୍ୟତୀତ ଦୁଇଟି ପୁରାତନ ନୃତ୍ୟଶୈଳୀ ଓ ନୈପୁଣ୍ୟ ‘ମାହାରୀ’ ଓ ‘ଗୋଟିପୁଅ’ ଏହି ଗ୍ୟାଲେରୀ ରେ ସ୍ଥାନିତ ହୋଇ ମୁଖ୍ୟ ଆକର୍ଷଣ ହୋଇଛି । ମନ୍ଦିର ଅଗଣାରେ ବଡ ପଟ୍ଟଚିତ୍ର କଳା, ଅରୁଣ ସ୍ତମ୍ଭ ଓ ମେଘନାଦ ପାଚେରୀ ଆଦି ଦର୍ଶକ ମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ।
ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରୀ ବିଶ୍ୱର ପ୍ରତ୍ୟେକ ଜଗନ୍ନାଥପ୍ରେମୀଙ୍କ ନିମନ୍ତେ ଏକ ଉପହାର ସଦୃଶ। ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଜ୍ଞାନ ଆହରଣ କରିବାକୁ ଇଛୁକ ଥିବା ବ୍ୟକ୍ତିବିଶେଷ ଏହି ଗ୍ୟାଲେରୀ ମାଧ୍ୟମରେ ବହୁ ତଥ୍ୟ ଜାଣିପାରିବେ। ଏହି ଗ୍ୟାଲେରୀର କାନ୍ଥରେ ଆନୁଷ୍ଠାନିକ ରଥ ନିର୍ମାଣର ଅନୁପମ ଫଟୋଚିତ୍ର, ରଥଯାତ୍ରା ଓ ନବକଳେବରର ନିଖୁଣ ଛବି ପ୍ରଦର୍ଶିତ ହୋଇଛି। ଆଜି ଶ୍ରୀଜଗନ୍ନାଥ ସଂସ୍କୃତି ଗ୍ୟାଲେରୀର ଲୋକାର୍ପଣ ପରେ କଳାଭୂମି- ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ ସମସ୍ତଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ହୋଇପାରିଛି ।

prayash

ପ୍ରକାଶ ଯୋଗ୍ୟ ଯେ, କଳାଭୂମି- ଓଡିଶା ହସ୍ତଶିଳ୍ପ ସଂଗ୍ରହାଳୟ ୨୦୧୮ ମସିହା ମାର୍ଚ୍ଚ ୨୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭୁବନେଶ୍ୱରସ୍ଥିତ ଗଣ୍ଡମୁଣ୍ଡା ଠାରେ ଉଦ୍‌ଘାଟିତ ହୋଇଥିଲା। ଏହି ସଂଗ୍ରହାଳୟରେ ୯ଟି ଗ୍ୟାଲେରୀ ସହିତ ମୁକ୍ତାକାଶ ରଙ୍ଗମଞ୍ଚ, ପିଲାମାନଙ୍କ ଖେଳ ପ୍ରାଙ୍ଗଣ, କର୍ମଶାଳା, ସ୍ମରଣିକା ବିକ୍ରୟ କେନ୍ଦ୍ର, କ୍ୟାଣ୍ଟିନ ଓ କ୍ୟାଫେ ସୁବିଧାଗୁଡିକ ଉପଲବ୍ଧ ରହିଛି ।
ଏହି ଉତ୍ସବରେ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର୍‌. ବାଲ୍‌କି୍ରଷ୍ଣନ୍‌, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍‌, ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ଶାସନ ସଚିବ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

kalyan agarbati

Comments are closed.