ପିପିଲି ଏନ୍ଏସିରେ ବିଜେଡିର ବାଜିମାତ: ୧୩ କାଉନ୍ସିଲର ଆସନରେ ବିଜେଡି, ୨ଟିରେ ବିଜେପି ଓ ଗୋଟିଏରେ ସ୍ୱାଧୀନ ବିଜୟୀ
ପୌରାଧ୍ୟକ୍ଷ ଆସନରେ ସେକ୍ ବାବୁ ବିଜୟୀ
ପିପିଲି:ବିରୋଧିଙ୍କ ସବୁ ଅଙ୍କକଷାକୁ ଭୁଲ ପ୍ରମାଣିତ କରି ଶେଷରେ ପିପିଲି ଏନ୍ଏସିରେ ବିଜେଡି ବାଜିମାତ କରିଛି। ପିପିଲି ଏନଏସି ନିର୍ବାଚନରେ ପୌର ଶାସନ କିଏ ଦଖଲ କରିବ ତାହାକୁ ନେଇ ଚାଲିଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜୟ ବାନା ଉଡାଇବାରେ ବିଜେଡି ସଫଳ ହୋଇଛି। ପୌରାଧ୍ୟକ୍ଷ ଆସନ ସମେତ ୧୩ଟି କାଉନ୍ସିଲର ଆସନରେ ବିଜେଡିର ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ବିଜୟୀ ହୋଇଥିବା ବେଳେ ୨ଟି କାଉନ୍ସିଲର ଆସନରେ ଭାଜପା ଓ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜେଡିର ନଗରପାଳ ପ୍ରାର୍ଥୀ ସେକ୍ ବାବୁ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ତଥା ଭାଜପାର ସୁକାନ୍ତ ଭଟ୍ଟଙ୍କ ଠାରୁ ୨୧୦୪ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇ ଦ୍ୱିତୀୟ ଥର ପାଇଁ ପୌରାଧ୍ୟକ୍ଷ ହେବାର ସୌଭାଗ୍ୟଲାଭ କରିଛନ୍ତି। କଂଗ୍ରେସର ଗଡ କୁହାଯାଉଥିବା ପିପିଲି ଏନ୍ଏସିକୁ ବିଜେଡି ଦ୍ୱିତୀୟ ଥର ପାଇଁ ଦଖଲ କରିଥିବା ବେଳେ ଏଥିପାଇଁ ଦଳୀୟ ନେତା, କର୍ମୀ ଓ ସମର୍ଥକଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି।
ଶନିବାର ସକାଳ ୮ଟାରୁ ସ୍ଥାନୀୟ ଜବାହର ବିଦ୍ୟାପୀଠ ପରିସରରେ କଡା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି କରାଯାଇଥିଲା। ପୌରାଧ୍ୟକ୍ଷ ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡିର ପ୍ରାର୍ଥୀ ସେକ୍ ବାବୁ ୫୬୪୯ ଭୋଟ ପାଇଥିବା ବେଳେ ଭାଜପାର ପ୍ରାର୍ଥୀ ସୁକାନ୍ତ ଭଟ୍ଟ ୩୫୪୫ ଭୋଟ ପାଇଥିଲେ। ସେହିପରି କଂଗ୍ରେସ ଦଳର ପ୍ରାର୍ଥୀ ଗୁଣନିଧି ପ୍ରଧାନ ୧୪୬୨ ଭୋଟ ପାଇଥିବା ବେଳେ ସ୍ୱାଧିନ ପ୍ରାର୍ଥୀ ଦେବାଶିଷ ଦିକ୍ଷୀତ ୨୭୮ ଏବଂ ଆମ୍ ଆଦମି ପାର୍ଟିର ପ୍ରାର୍ଥୀ ବାଦଲ ଖାଁ ୭୦ ଭୋଟ ପାଇଥିଲେ। ନୋଟାକୁ ୭୩ ଟି ଭୋଟ ମିଳିଥିଲା। ୨୧୦୪ ଖଣ୍ଡ ଭୋଟ ବ୍ୟବଧାନରେ ସେକ୍ ବାବୁ ବିଜୟୀ ହୋଇଛନ୍ତି। ସେହିପରି ୧୬ଟି କାଉନ୍ସିଲର ଆସନ ମଧ୍ୟରୁ ୧୩ଟି ଆସନରେ ବିଜେଡିର ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନେ ବିଜୟୀ ହୋଇଥିବା ବେଳେ ୨ଟି ଆସନରେ ଭାଜପାର ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଗୋଟିଏ ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜୟୀ ହୋଇଥିବା ବିଜେଡି କାଉନ୍ସିଲରମାନେ ହେଲେ ୧ନଂ ୱାର୍ଡରୁ ମମତା ମଙ୍ଗରାଜ, ୨ନଂ ୱାର୍ଡରୁ ବଳରାମ ମହାପାତ୍ର, ୩ନଂ ୱାର୍ଡରୁ ସୁର ନାୟକ, ୪ନଂ ୱାର୍ଡରୁ ରସ୍ନାରା ବେଗମ, ୬ନଂ ୱାର୍ଡରୁ ରୀତା ବେହେରା, ୭ନଂ ୱାର୍ଡରୁ ଅନୁୱାରୀ ବେଗମ, ୮ନଂ ୱାର୍ଡରୁ ମାନସୀ ବେହେରା, ୯ନଂ ୱାର୍ଡରୁ ଚନ୍ଦନ ସେଠୀ, ୧୦ନଂ ୱାର୍ଡରୁ ଭାଗ୍ୟବତୀ ମହାରଣା, ୧୨ନଂ ୱାର୍ଡରୁ ରଞ୍ଜୁକ୍ତା ବରାଳ, ୧୩ ନଂ ୱାର୍ଡରୁ ସୌମ୍ୟରଞ୍ଜନ ସ୍ୱାଇଁ, ୧୪ନଂ ୱାର୍ଡରୁ ଅପ୍ରତିଦ୍ୱନ୍ଦି ପ୍ରାର୍ଥୀ ଲିଲିତା ପାତ୍ର, ୧୫ନଂ ୱାର୍ଡରୁ କବିରାଜ ବରାଳ ବିଜୟୀ ହୋଇଛନ୍ତି। ସେହିପରି ଭାଜପାର ୫ନଂ ୱାର୍ଡର ପ୍ରାର୍ଥୀ ବିଭୂତି ଭୂଷଣ ବାରିକ ଓ ୧୬ ନଂ ୱାର୍ଡର ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପ୍ରଧାନ ବିଜୟୀ ହୋଇଥିବା ବେଳେ ୧୧ନଂ ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବେହେରା ବିଜୟୀ ହୋଇଛନ୍ତି।
ବିଜେଡିର ବିପୁଳ ବିଜୟ ପରେ ଦଳୀୟ ନେତା, କର୍ମୀ ଓ ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ମଳ ଓ ସ୍ୱଚ୍ଛ ଭାବମୁର୍ତ୍ତି ସାଙ୍ଗକୁ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ବଳିଷ୍ଠ ନେତୃତ୍ୱ ପାଇଁ ଏହି ବିଜୟ ସମ୍ଭବ ହୋଇଥିବା ସେକ୍ ବାବୁ ନିଜର ପ୍ରତିକ୍ରୀୟାରେ ପ୍ରକାଶ କରିବା ସହ ପିପିଲି ପୌରବାସୀଙ୍କ ନିକଟରେ କୃତଜ୍ଞତା ଅର୍ପଣ କରିଛନ୍ତି। ପିପିଲି ଏନ୍ଏସିରେ ବିକାଶ ଧାରା ଜାରି ରହିବ ବୋଲି ସେ କହିଛନ୍ତି। ସେକ୍ ବାବୁଙ୍କ ସମେତ ଦଳର ସମସ୍ତ ବିଜୟୀ କାଉନ୍ସିଲରମାନେ ଦଳୀୟ କାର୍ଯ୍ୟାଳୟକୁ ଯାଇ ସେଠାରେ ବିଧାୟକ ଶ୍ରୀ ମହାରଥୀଙ୍କୁ ଭେଟିଥିଲେ। ଶ୍ରୀ ମହାରଥୀ ସମସ୍ତଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ। ପିପିଲି ପୌରାଞ୍ଚଳରେ ଶାନ୍ତି ଓ ପ୍ରଗତୀର ଧାରା ବଜାୟ ରହିବା ସହ ଏହାକୁ ରାଜ୍ୟର ଏକ ନମ୍ବର ପୌରାଞ୍ଚଳରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିବ ବୋଲି ଶ୍ରୀ ମହାରଥୀ ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ଓ ଭରସା ରଖି ବିଜେଡିକୁ ଏହି ସଫଳତା ଦେଇଥିବାରୁ ପିପିଲି ପୌରବାସୀଙ୍କୁ ଶ୍ରୀମହାରଥୀ କୃତଜ୍ଞତା ଜଣାଇଛନ୍ତି। ଦଳୀୟ କାଉନ୍ସିଲରମାନେ ବିଜୟ ଶୋଭାଯାତ୍ରାରେ ବିଭିନ୍ନ ୱାର୍ଡ ବୁଲି ସ୍ଥାନୀୟ ଅଧିବାସୀଙ୍କ ଆର୍ଶିବାଦ ଲୋଡିଥିଲେ।
Comments are closed.