ବିଶ୍ଵ ଜଳ ଦିବସରେ ଆଡି ବନ୍ଧ ନିର୍ମାଣ ଓ ପୋଖରୀ ସଫା କଲେ ଇକୋ ସେଭର ନେଟୱାର୍କ ସଦସ୍ୟ
ପାଟଣା: ଆଜି ବିଶ୍ୱ ଜଳ ଦିବସକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲ୍ସ କଲଚରାଲ ସେଣ୍ଟର (ପିକକ)ର ସମସ୍ତ ପ୍ରକଳ୍ପ କ୍ଷେତ୍ରରେ ପିଲା ଓ ଯୁବକମାନେ ଉତ୍ସାହର ସହିତ ପାଳନ କରିଥିଲେ। ଏହି ଅବସରରେ ପାଟଣା ବ୍ଲକ ଅନ୍ତର୍ଗତ ରୋହିଣୀଦୁମାରେ ନିର୍ଜୀବ ହୋଇ ପଡି ରହିଥିବା ଝରଣାରେ ଇକୋ ସେଭର ସଦସ୍ୟ ସଦସ୍ୟାମାନେ ଆଡି ବନ୍ଧ ନିର୍ମାଣ କରିଥିଲେ। ସେହିପରି ଖିମିର୍ଦାପଶି ଓ ଗୋଡ଼ିପୋଖାରୀ ଗ୍ରାମରେ ବିଭିନ୍ନ ବୃକ୍ଷରେ ପକ୍ଷୀମାନଙ୍କ ପାଇଁ ଜଳ ପୂର୍ଣ୍ଣ ଠେକି ସ୍ଥାପନ କରିଥିଲେ। ଅନ୍ୟ ପକ୍ଷରେ ବର୍ଜ୍ୟ ହୋଇ ପଡିରହିଥିବା ପୋଖରୀକୁ ସଦସ୍ୟ ସଦସ୍ୟାମାନେ ସଫା କରିଥିଲେ।
ଏହି ଅବସର ଉପଲକ୍ଷେ ବିଭିନ୍ନ ସଚେତନତା ମୁଳକ କାର୍ଯ୍ୟକ୍ରମ ଚିତ୍ରାଙ୍କନ, ସଚେତନତା ବାର୍ତ୍ତା ଦେବା, ରଚନା ଲେଖିବା, ପଶୁ ପକ୍ଷୀମାନଙ୍କ ନିମନ୍ତେ ଜଳ ରଖିବା, ସଚେତନତା ଶୋଭାଯାତ୍ରା, ଜଳର ଉତ୍ସକୁ ସଫା କରିବା, ହାତ ଧୁଆ, ଧଳା କପଡା ଉପରେ ନୀଳ ରଙ୍ଗର ହାତ ଛାପ ଦେବା, ପାଣିକୁ ରୋକିବା ପାଇଁ ପଥର ଦ୍ୱାରା ବନ୍ଧ ବାନ୍ଧିବା, ହାତଧୁଆ ପାଣିକୁ ବାଡିରେ ଥିବା ବଗିଚାକୁ ଦେବା ପାଇଁ ନଳା କାଟିବା ଇତ୍ୟାଦିର ଆୟୋଜନ କରାଯାଇଥିଲା। ୫୦୦ରୁ ଉର୍ଦ୍ଧ୍ୱ ପିଲା ଓ ଯୁବକମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖ ଦିନ ବିଶ୍ୱ ଜଳଦିବସ ସାରା ପୃଥିବୀରେ ପାଳନ କରାଯାଉଅଛି। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ମଧୁରଜଳର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରିବା। ୧୯୯୨ ମସିହାରେ ମିଳିତ ଜାତିସଂଘର ରିଓ ଡି ଜେନେରୋରେ ଆୟୋଜିତ ପରିବେଶ ଓ ବିକାଶ ସମ୍ମିଳନୀରେ ବିଶ୍ୱ ଜଳ ଦିବସ ପାଳନ ନିମନ୍ତେ ବିଚାର କରାଯାଇଥିଲା। ସେହି ବର୍ଷ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ଏକ ପ୍ରସ୍ତାବ ଦ୍ୱାରା ୨୨ ମାର୍ଚ୍ଚକୁ ବିଶ୍ୱ ଜଳ ଦିବସ ପାଳନ ନିମନ୍ତେ ଘୋଷଣା କରାଯାଇଥିଲା ଓ ଏହା ୧୯୯୩ ମସିହାରୁ ପାଳନ କରାହେବ ବୋଲି ସ୍ଥିର କରାଯାଇଥିଲା।
ବିଶ୍ୱ ଜଳ ଦିବସ ପାଳନର ପ୍ରମୁଖ ଉଦ୍ଦେଶ୍ୟ ଥିଲା ନିରନ୍ତର ବିକାଶର ଲକ୍ଷ୍ୟ। ୨୦୩୦ ସୁଦ୍ଧା ସମସ୍ତଙ୍କ ନିମନ୍ତେ ଜଳ ଓ ପରିମଳର ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା। ଏହି ବର୍ଷର ମୁଖ୍ୟ ବିଷୟ ହେଲା ‘ଭୂଗର୍ଭ ଜଳ: ଅଦୃଶ୍ୟକୁ ଦୃଶ୍ୟ କରିବା’। ଭୂଗର୍ଭ ଜଳର ଉପସ୍ଥିତି ବିନା ଜୀବନ ଅସମ୍ଭବ ଏବଂ ଏହା ଆମର ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଜଳର ମୁଖ୍ୟ ଉତ୍ସ । ଏଥି ସହିତ ଏହା ମଧ୍ୟ ଏକ ସୁସ୍ଥ ପରିବେଶ ଓ ଏହାର କାର୍ଯ୍ୟଦକ୍ଷତା ବୃଦ୍ଧିରେ ସହାୟକ ହୋଇଥାଏ। ଭୂତଳ ଜଳର ସରକ୍ଷଣ ଓ ଏହାର ଅପବ୍ୟବହାରକୁ ରୋକିବା ଦ୍ୱାରା ଆମେ ଭବିଷ୍ୟତରେ ଜଳବାୟୁ ପରିବର୍ତ୍ତନ ଓ ଜନସଂଖ୍ୟା ବୃଦ୍ଧି ଯୋଗୁ ସୃଷ୍ଟି ହେବାକୁଥିବା ପରିସ୍ଥିତିକୁ ମୁକାବିଲା କରିପାରିବା। ବିଶ୍ୱରେ ଆଜି ବି ୨.୨ ବିଲିୟନ ଲୋକ ନିରାପଦ ପାନୀୟ ଜଳ ପାଇବାରୁ ବଞ୍ଚିତ, ଆମେ ଆଜିଠାରୁ ଯଦି ଏ ବିଷୟରେ ସଚେତନ ହେବା ତେବେ ଭବିଷ୍ୟତକୁ ଉତ୍କଟ ଜଳ ସମସ୍ୟାରୁ ରକ୍ଷା କରିପାରିବା ଲକ୍ଷ୍ୟ ନେଇ ବିଶ୍ଵ ଜଳ ଦିବସ ପାଳନ କାର୍ଯ୍ୟକ୍ରମକୁ ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଓ ସଂପାଦକ ରଞ୍ଜନ କୁମାର ମହାନ୍ତିଙ୍କ ପରାମର୍ଶରେ ପାଟଣା ବ୍ଲକ ଇକୋ ସେଭର ନେଟୱାର୍କର ସଦସ୍ୟ ସଦସ୍ୟାମାନେ ବ୍ୟବହାରିକ ଭାବେ ପାଳନ କରିଛନ୍ତି।
Comments are closed.