ଆଇନ ପେଷାକୁ ସେବା ଭାବେ ଗ୍ରହଣ କଲେ ଆତ୍ମସନ୍ତୋଷ ମିଳିଥାଏ : ମୁଖ୍ୟ ବିଚାରପତି
ରାଉରକେଲା ନୂଆ ଅଦାଲତ ଭବନ ପାଇଁ ଶିଳାନ୍ୟାସ, ଇ-ଅଦାଳତର ଉଦଘାଟନ
ରାଉରକେଲା: ଆଇନ ସେବାକୁ ଚାକିରି କିମ୍ବା କର୍ପୋରେଟ ବ୍ୟବସାୟ ଭାବିବା ଉଚିତ ନୁହେଁ ବରଂ ଏହାକୁ ସେବା ଭାବେ ଗ୍ରହଣ କଲେ ଗଭୀର ଆତ୍ମସନ୍ତୋଷ ମିଳିଥାଏ ବୋଲି ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡକ୍ଟର ଏସ. ମୁରଲୀଧର ମତବ୍ୟକ୍ତ କରିଛନ୍ତି। ଆଜି ରାଉରକେଲା ଗସ୍ତ ଅବସରରେ ମୁଖ୍ୟ ବିଚାରପତି ରାଉରକେଲା ବିଚାର ବିଭାଗୀୟ ଅଦାଲତ ପରିସରରେ ପ୍ରାୟ ୪୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏକ ଆଦର୍ଶ ଅଦାଲତ ଭବନର ଶିଳାନ୍ୟାସ କରିଛନ୍ତି। ଏହା ସହିତ ସେ ଏକ ଇ-ଅଦାଳତର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଚ୍ଚନ୍ୟାୟଳୟର ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ଜିଲା ଦୌରାଜଜ୍ ଶୁଭଦର୍ଶୀ ପଟ୍ଟନାୟକ ଓ ରାଉରକେଲା ବିଚାରବିଭାଗର ବିଚାରପତି ବୃନ୍ଦ, ଓକିଲ ସଂଘର ସଦସ୍ୟ ଉପସ୍ଥିତ ଥିଲେ। ଏହା ପରେ ଅଦାଲତ ପରିସରରେ ଥିବା ଉତ୍କଳ ଗୌରବ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।
ଓକିଲସଂଘ କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସଭା ଓ ଆଲୋଚନାରେ ଯୁବ ଆଇନଜୀବୀଙ୍କୁ ନୀତି ଓ ନୈତିକତା ଜ୍ଞାନ ପ୍ରଦାନ କରି ମୁଖ୍ୟ ବିଚାରପତି କହିଥିଲେ ଯେ ଜ୍ଞାନ ଓ ସାଧୁତାହିଁ ସଫଳତାର ଚାବି କାଠି। ସୁଖ୍ୟାତି ରହିଲେ ସଫଳତା ନିଶ୍ଚୟ ଆସିବ। ଏହି ପେଷାରେ ଗୋଟିଏ ପରେ ଗୋଟିଏ ସୋପାନ ସଫଳତାକୁ ନୂଆ ରୂପ ଦେଇଥାଏ। ପ୍ରଥମେ ଛାତ୍ର, ପରେ ଅଧ୍ୟାପକ ଏବଂ ପରବର୍ତ୍ତି ପର୍ଯ୍ୟାୟରେ ପ୍ରାଧ୍ୟାପକର ଦାୟିତ୍ୱ ସମ୍ପାଦନ ପରି ଯୁବ ଆଇନଜୀବୀମାନେ ପର୍ଯ୍ୟାୟକ୍ରମେ ସାଧୁତାର ସହିତ ନିଜର ଦାୟିତ୍ୱକୁ ସମ୍ପାଦନ କଲେ ସଫଳତାର ଶୀର୍ଷରେ ପହଞ୍ଚିପାରିବେ। ଉଭୟ ମହକିଲ ଓ ଆଇନଜୀବୀ ନିଜ କାର୍ଯ୍ୟରେ ସ୍ୱଚ୍ଛତା ଅବଲମ୍ବନ କଲେ ନ୍ୟାୟିକ ପ୍ରକ୍ରିୟା ବିଳମ୍ବିତ ହେବ ନାହିଁ। ଶିକ୍ଷା ସମାପ୍ତି ପରେ ଯୁବ ଆଇନଜୀବୀମାନେ କର୍ପୋରେଟ ହାଉସ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି। କାରଣ ଏଥିରେ ମୋଟା ଅଙ୍କର ଅର୍ଥ ମିଳିଥାଏ। କର୍ପୋରେଟ ଜଗତରେ ଆଇନ ସେବାକୁ ବ୍ୟବସାୟିକ ସେବା ଭାବେ ବ୍ୟବହାର କରାଯାଏ। ଏଥିରେ ଆଇନ ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇନଥାଏ। ଅଦାଲତରେ ଆଇନ ସେବା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ଜନସାଧାରଣଙ୍କୁ ଆଇନ ସେବା ପ୍ରଦାନ କ୍ଷେତ୍ରରେ ଆଇନଜୀବୀଙ୍କ ଭୂମିକା ଅତ୍ୟନ୍ତ ପ୍ରଶସ୍ତ ହୋଇଥାଏ। ସେମାନେ ପ୍ରକୃତ ଭାବେ ମାଧବ ସେବା କରିଥାନ୍ତି। ସେମାନେ ଭାବନାକୁ ସୁରକ୍ଷା ଦେଇଥାନ୍ତି। ଏଠାରେ ଅଳ୍ପ ପଇସାରେ ସାଧାରଣ ମଣିଷକୁ ନ୍ୟାୟ ପ୍ରଦାନ କରିବାରେ ଗଭୀର ଆତ୍ମ ସନ୍ତୋଷ ମିଳିଥାଏ। କର୍ପୋରେଟ ଜଗତରେ ମୋଟା ଅଙ୍କ ପାଉଥିବା ଆଇନଜୀବୀ ଏହି ଆତ୍ମସନ୍ତୋଷରୁ ବଞ୍ଚିତ ହୋଇଥାନ୍ତି। ଏଥିପାଇଁ ଯୁବ ଆଇନଜୀବୀମାନେ ଅର୍ଥ ପଛରେ ନପଡ଼ି ଆଇନସେବା ପାଇଁ ଯତ୍ନବାନ ହେବାକୁ ମୁଖ୍ୟ ବିଚାରପତି ଆହ୍ୱାନ ଦେଇଥିଲେ। ଭାରତୀୟ ପରମ୍ପରା ଓ ସଂସ୍କୃତିର ବିଭିନ୍ନ ଉଦାହରଣ ଦେଇ ଯୁବ ଆଇନଜୀବୀମାନେ ଅର୍ଥଭିତ୍ତିକ ବ୍ୟବସ୍ଥାକୁ ଅନୁସରଣ ନକରି କ୍ୟାରିୟରକୁ ସଫଳ କରିବା ପାଇଁ ମନୋନିବେଶ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ରାଉରକେଲା ଭଳି ସହରରେ ବିଚାର ବିଭାଗ ପାଇଁ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଏହି ଆବଶ୍ୟତାକୁ ଦୃଷ୍ଟିରେ ରଖି ରାଉରକେଲାଠାରେ ଏହି ଆଦର୍ଶ ଅଦାଲତ ଭବନର ପରିକଳ୍ପନା କରାଯାଇଛି ବୋଲି ମୁଖ୍ୟ ବିଚାରପତି କହିଥିଲେ।
ବିଚାରପତି ଡକ୍ଟର ବି.ଆର. ଷଡ଼ଙ୍ଗୀ ଆଇନ ସେବା ସମ୍ପର୍କରେ ଉପାଦେୟ ତଥ୍ୟ ଓ ପରାମର୍ଶ ପ୍ରଦାନ କରିଥିଲେ। ଜିଲା ଜଜ୍ ଶୁଭଦର୍ଶୀ ପଟ୍ଟନାୟକ ବକ୍ତବ୍ୟ ରଖି ସଂଘ ଓ ବିଚାର ବିଭାଗ ମଧ୍ୟରେ ସମନ୍ୱୟ ଓ ସୁସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଥିଲେ।
ସଂଘର ସଭାପତି ରମେଶଚନ୍ଦ୍ର ବଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ଅକ୍ଷୟ ସାହୁ ବିବରଣୀ ପ୍ରଦାନ କରିଥିଲେ। ସଂଘର ବରିଷ୍ଠ ସଭ୍ୟ କୈଳାସ ବେହେରା ଓ ସଭ୍ୟା ରାଜଶ୍ରୀ ନନ୍ଦ ବିଚାରପତିମାନଙ୍କୁ ଉପଢ଼ୌକନ ପ୍ରଦାନ କରିଥିଲେ। ଆଇନଜୀବୀ ସୌଦାମିନୀ ଦାସ, ବୈଜୟନ୍ତୀ ମିଂଜ, କୋମଲ ସାହୁ, ପଦ୍ମିନୀ ଦାସ, ରଞ୍ଜିତା ବାରିକ, ରାଇମଣି ମାଝି, ଶକୁନ୍ତଳା ବେହେରା ବିଚାରପତିମାନଙ୍କୁ ସ୍ୱାଗତ ଜଣାଇଥିଲେ। ଆଇନଜୀବୀ ରାମ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉପସଭାପତି ବିସ୍ମୟ ଦାସ ଧନ୍ୟବାଦ ଦେଇଥିଲେ। ଆଇନଜୀବୀ ରବି ମିଶ୍ର, ଅଶେଷ କୁମାର ମଣ୍ଡଳ, ସତ୍ୟ ଶର୍ମା, ବୁଲୁ ମିଶ୍ର, ସହସମ୍ପାଦକ ଦେବାନନ୍ଦ ତନ୍ତୀ, ଅନ୍ୟତମ ସମ୍ପାଦକ ଶ୍ରୀକାନ୍ତ ସାହୁ, ଆଇନଜୀବୀ କିରଣ ପ୍ରଜାପତି ସନ୍ତୋଷ ଭଦ୍ର, ରମେଶ ପାଲ, ହରି ଦୋରା, ଦିନେଶ ସାହୁ, ଯଶ୍ମିତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.