ଭୁବନେଶ୍ୱର ଏମ୍‌ସରେ ଖୋଲିଲା ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର କ୍ଲିନିକ୍‌

ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ନିମନ୍ତେ ଏମ୍‌ସ ଭୁବନେଶ୍ୱରର ମେଡିସିନ୍‌(ଭେଷଜ) ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କ୍ଲିନିକ୍ ସେବା ଆରମ୍ଭ କରିଛି। ଚଳିତ ମାସ ପହିଲାରୁ କାର୍ଯ୍ୟାରମ୍ଭ କରିଥିବା ଏହି ସ୍ୱତନ୍ତ୍ର କ୍ଲିନିକ୍‌ ସପ୍ତାହର ପ୍ରତି ମଙ୍ଗଳବାର ଦିନ ୨ ଟାରୁ ସନ୍ଧ୍ୟା ୫ ଟା ପର୍ୟ୍ୟନ୍ତ କାର୍ଯ୍ୟ କରିବ। ଏମ୍‌ସ ଭୁବନେଶ୍ୱର ମେଡିସିନ୍‌ ବିଭାଗର ଅତିରିକ୍ତ ପ୍ରଫେସର ଡ. ରଶ୍ମୀ ରଞ୍ଜନ ମହାନ୍ତି ଏହି କ୍ଲିନିକ୍‌ର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଉଛନ୍ତି। ଏହି କ୍ଲିନିକ୍ ବାର୍ଦ୍ଧକ୍ୟଜନିତ ରୋଗର ସାମଗ୍ରୀକ ଚିକିତ୍ସା କ୍ଷେତ୍ରରେ ବିଶେଷ ସହାୟକ ହେବ ବୋଲି ଏମ୍‌ସ କର୍ତ୍ତୃପକ୍ଷ ଆଶା ରଖିଛନ୍ତି।
ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବାକୁ ଆଦୌ ଅଣଦେଖା କରିବା ଉଚିତ୍‌ ନୁହେଁ ବୋଲି କୋଭିଡ୍‌ ମହାମାରୀ ସମୟରେ ଏହା ସ୍ପଷ୍ଟ ହୋଇଛି। ଆସନ୍ତା ୨୦୩୧ ସୁଦ୍ଧା ଭାରତର ମୋଟ ଜନସଂଖ୍ୟାର ପ୍ରାୟ ୧୩.୧ ପ୍ରତିଶତ ବରିଷ୍ଠ ନାଗରିକଙ୍କ ଦ୍ବାରା ପୂର୍ଣ୍ଣ ହେବ। ତେଣୁ ସେମାନଙ୍କର ଚିକିତ୍ସା ତଥା ସ୍ବାସ୍ଥ୍ୟସେବାକୁ ଭୁବନେଶ୍ୱର ଏମ୍‌ସ ଗୁରୁତର ସହିତ ନେଇ ଏପରି ସେବା ଆରମ୍ଭ କରିଥିବା ଏହାର ମୁଖ୍ୟ ଡ. ମହାନ୍ତି ପ୍ରକାଶ କରିଛନ୍ତି।

prayash

ଏହି କ୍ଲିନିକ୍ ମାଧ୍ୟମରେ ବରିଷ୍ଠ ନାଗରିକଙ୍କର ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ, କୋଷ୍ଠକାଠିନ୍ୟ, ସିଓପିଡି, ବିଭିନ୍ନ ହୃଦ୍, ବୃକକ୍ ଏବଂ ମାନସିକ ରୋଗ ଭଳି ବିଭିନ୍ନ ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି ଡ. ରଶ୍ମୀ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। କ୍ରମବର୍ଦ୍ଧିଷ୍ଣୁ ସହରୀକରଣ ଏବଂ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ବାର୍ଦ୍ଧକ୍ୟଜନିତ ରୋଗର ଚିକିତ୍ସା କ୍ଷେତ୍ରରେ ଏକ ପ୍ରମୁଖ ଆହ୍ବାନ ପାଲଟିଛି। ଭୁବନେଶ୍ୱର ଏମ୍‌ସରେ ଏକ ସ୍ୱତନ୍ତ୍ର ଜେରିଆଟ୍ରିକ୍ କେୟାର କ୍ଲିନିକ୍ ଆରମ୍ଭ ହେବା ଦ୍ବାରା ରାଜ୍ୟର ଲୋକଙ୍କ ପାଇଁ ନିହାତି ଉତ୍ସାହଜନକ ବୋଲି ମତପ୍ରକାଶ ପାଇଛି।
ଏହି ଅବସରରେ ଜେରିଆଟ୍ରିକ୍ ଯତ୍ନର ବିଭିନ୍ନ ଦିଗ ଉପରେ ଆଲୋଚନା ପାଇଁ ଏକ ୱେବିନାର୍‌ର ଆୟୋଜନ କରାଯାଇଥିଲା। ଜେରିଆଟ୍ରିକ୍ ମେଡିସିନ୍‌ର ବିଶିଷ୍ଟ ଚିକିତ୍ସକ ତଥା ଏମ୍‌ସ ଦିଲ୍ଲୀ ଜେରିଆଟ୍ରିକ୍‌ ବିଭାଗର ପ୍ରତିଷ୍ଠାତା ପ୍ରଫେସର ଡ. ଏ ବି ଦେ ଏହି ଅବସରରେ ବିଶେଷ ବକ୍ତବ୍ୟ ପ୍ରକାଶ କରିଥିଲେ।
ଭୁବନେଶ୍ୱର ଏମ୍‌ସ ମେଡିସିନ୍‌ ବିଭାଗର ଡ. ଅନୁପମା ବେହେରା ଏବଂ ଡ. ଧ୍ରୁତୀ ସୁନ୍ଦର ଦାଶ ମଧ୍ୟ ଏହି ସ୍ୱତନ୍ତ୍ର କ୍ଲିନିକ୍‌ର ଅଂଶ ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ଦିଆଯାଇଛି।

kalyan agarbati

Comments are closed.