ନୂଆଦିଲ୍ଲୀ: ୟୁକ୍ରେନରେ ଫସିଥିବା ତାମିଲ ଛାତ୍ରଙ୍କୁ ଫେରାଇ ଆଣିବା ଖର୍ଚ୍ଚ ବହନ କରିବେ ତାମିଲନାଡ଼ୁ ସରକାର। ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍। ଗତକାଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ପତ୍ର ଲେଖି ୟୁକ୍ରେନରେ ଫସି ରହିଥିବା ତାମିଲମାନଙ୍କୁ ଉଦ୍ଧାର କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍। ଆଜି ସେ ଘୋଷଣା କରିଛନ୍ତି ଯେ, ଛାତ୍ରମାନଙ୍କୁ ଫେରାଇ ଆଣିବାରେ ଯାହା ଖର୍ଚ୍ଚ ହେବ ତାହା ତାମିଲନାଡ଼ୁ ସରକାର ବହନ କରିବେ।
ଷ୍ଟାଲିନ୍ ତାଙ୍କ ପତ୍ରରେ ଲେଖିଥିଲେ ଯେ, ତାମିଲନାଡୁର ପ୍ରାୟ ୫୦୦୦ ଛାତ୍ର ଏବଂ ଅନ୍ୟ ପ୍ରବାସୀମାନେ ବର୍ତ୍ତମାନ ୟୁକ୍ରେନରେ ଫସି ରହିଛନ୍ତି। ସେଠାରେ ଫସିରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଉଡ଼ାଣ ମିଶନର ବ୍ୟବସ୍ଥା କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ତାମିଲ ଛାତ୍ରଛାତ୍ରୀଙ୍କ ବିମାନ ଉଡ଼ାଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।



