ଯୁଦ୍ଧ ଭିତରେ ପ୍ରେମ: ଚେକ୍‌ ପଏଣ୍ଟରେ ବାହାହେଲେ ସୈନ୍ୟ ଦମ୍ପତି, ପୁଣି ସମ୍ଭାଳିଲେ ଯୁଦ୍ଧର କାର୍ଯ୍ୟଭାର

କିଭ୍‌: ଜଳୁଛି ୟୁକ୍ରେନ। ଗତ ୧୨ ଦିନ ଧରି ରୁଷ୍‌ର କ୍ଷେପଣାସ୍ତ୍ର, ବୋମା ବିସ୍ଫୋରଣ ଓ ଟ୍ୟାଙ୍କର ଶବ୍ଦରେ କମ୍ପୁଛି ଏହି ଦେଶ। ତେବେ ରୁଷର ଅସୀମ ଶକ୍ତି ଆଗରେ ୟୁକ୍ରେନ ସୈନିକମାନେ ଯେଉଁ ସାହସ ଦେଖାଇଛନ୍ତି, ତାହା ଭ୍ଲାଦିମିର ପୁତିନଙ୍କୁ ନିଜ ରଣନୀତି ବଦଳାଇବାକୁ ବାଧ୍ୟ କରିଛି। ଏହି ଯୁଦ୍ଧରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ୟୁକ୍ରେନ ସୈନିକମାନଙ୍କର ସାହସ, ଯାହାକୁ ବଡ଼ ବଡ଼ ଟ୍ୟାଙ୍କ ଏବଂ ଅତ୍ୟାଧୁନିକ ବିମାନ ମଧ୍ୟ ଡରାଇ ପାରିନାହିଁ। ୟୁକ୍ରେନରେ ଯୁଦ୍ଧ ମଧ୍ୟରେ ଏଭଳି ଏକ ଫଟୋ ସାମ୍ନାକୁ ଆସିଛି, ଯାହା ରୁଷ କ’ଣ ଯେକୌଣସି ଆକ୍ରମଣକାରୀକୁ ଟିକିଏ ଚିନ୍ତା କରିବାକୁ ବାଧ୍ୟ କରିବ। ୟୁକ୍ରେନ ସେନାର ଏକ ପ୍ରେମୀ ଯୁଗଳଙ୍କ ଫଟୋ ସାମ୍ନାକୁ ଆସିଛି। ଏଥିରେ ଦୁହେଁ ବିବାହ କରିଥିବା ଦେଖିବାକୁ ମିଳିଛି। ଏହି ଦମ୍ପତିଙ୍କ ମୁହଁରେ ନା କୌଣସି ପ୍ରକାରର ଅନୁତାପ ଅଛି ନା ରୁଷ୍‌ ଆକ୍ରମଣର ଭୟ। ବରଂ ସେମାନଙ୍କ ସାହସ ଆଗରେ ରୁଷ୍‌ ମୁଣ୍ଡ ନୁଆଁଇବ।
ୟୁକ୍ରେନର ପ୍ରେମୀ ଯୁଗଳ ଭଲେରୀ ଓ ଲେସିଆଙ୍କ ବିବାହର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ତାଙ୍କୁ ସାଥୀ ସୈନିକମାନେ ଘେରି ରହିଥିବା ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ, କିଭ୍‌ ଉପକଣ୍ଠର ଏକ ଚେକ୍‌ ପଏଣ୍ଟରେ ଦୁହେଁ ବିବାହ କରିଛନ୍ତି। ଭଲେରୀ ଓ ଲେସିଆ ସେନା ପୋଷାକରେ ନଜର ଆସିଛନ୍ତି। ଏହି ସୈନିକ ଯୋଡ଼ିଙ୍କ ବିବାହ ପାଇଁ ୟୁକ୍ରେନ ସୈନିକଙ୍କ ପକ୍ଷରୁ ଏକ ଛୋଟିଆ ଆୟୋଜନ କରାଯାଇଥିଲା। ଏଥିରେ କିଭ୍‌ର ମେୟର ମଧ୍ୟ ସାମିଲ ହୋଇଥିଲେ।
ବିବାହ ପରେ ଦୁହେଁ ଦୁହିଁଙ୍କୁ ୱାଇନ୍‌ ପିଆଇଥିଲେ। ପ୍ରେମୀ ଯୁଗଳ ଏକ ଛୋଟିଆ ସମାରୋହରେ ବିବାହ କରିବା ପରେ ପୁଣି ଯୁଦ୍ଧରେ ନିଜ କାର୍ଯ୍ୟଭାର ସମ୍ଭାଳିଥିଲେ। ଏହି ଦମ୍ପତି ୟୁକ୍ରେନ ରାଜଧାନୀ କିଭ୍‌ର ସୁରକ୍ଷା କାର୍ଯ୍ୟରେ ନିୟୋଜିତ।

Comments are closed.