ରେଙ୍ଗାଲି: ଗଡ଼ରକ୍ଷା ଏବଂ ଗଡ ଦଖଲ ପାଇଁ ତିନି ପ୍ରମୁଖ ଦଳ ମଧ୍ୟରେ ଜୋର୍ଦାର୍ କସରତ
ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଳକରେ ଚାଲିଥିବା ଜିଲ୍ଲା ପରିଷଦ ନିର୍ବାଚନ ଯୋଗୁଁ ବ୍ଳକର ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି। କଂଗ୍ରେସ ଏବଂ ବିଜେଡିକୁ ବାଜିମାତ୍ ଦେଇ ୨୦୧୭ ନିର୍ବାଚନରେ ବିଜେପି ରେଙ୍ଗାଲି ବ୍ଳକର ଦୁଇଟି ଯାକ ଜିଲ୍ଲା ପରିଷଦ ଆସନ ହାତେଇ ନେଇଥିଲା। ବିଜେଡି ବିଧାୟକ ଥାଇ ସୁଦ୍ଧା ବିଜେପି କ୍ଷମତାସୀନ ବିଜେଡି ଦଳକୁ ଚକ୍ମା ଦେଇ ଉଭୟ ଜିଲ୍ଲା ପରିଷଦ ଆସନ ହେତେଇ ନେବା ରାଜନୈତିକ ମହଲରେ ସେତେବେଳେ ମୁଖ୍ୟ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା। ଏହି ବ୍ଳକର ଜୋନ୍ (୧) ୯ଟି ଗ୍ରାମ ପଞ୍ଚାୟତ ଥିବା ବେଳେ ଜୋନ୍ (୨)ରେ ୭ଟି ଗ୍ରାମ ପଞ୍ଚାୟତ ରହିଛି। ୨୦୧୨ରେ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନ ରେ ଉଭୟ ଆସନ କଂଗ୍ରେସ ଦଖଲ କରିଥିଲା। ଏହା ପୂର୍ବରୁ ପ୍ରଥମ ଜିଲ୍ଲା ପରିଷଦ ନିର୍ବାଚନକୁ ଛାଡି ଦେଳେ କଂଗ୍ରେସ ଲଗାତାର ବିଜୟୀ ହୋଇଥିଲା।
ଚଳିତ ନିର୍ବାଚନ ବିଜେପି ଗଡ ରକ୍ଷା ପାଇଁ ଜୋରଦାର ପ୍ରୟାସ କରୁଥିବା ବେଳେ ବିଜେପିକୁ ବେଦଖଲ କରି ନିର୍ବାଚନ ଜିତିବାକୁ ବିଜେଡି ଏବଂ କଂଗ୍ରେସ ପକ୍ଷରୁ ଜୋରସୋର୍ ପ୍ରୟାସ ଜାରି ରହିଛି। ସଂପ୍ରତି ରେଙ୍ଗାଲି ନିର୍ବାଚନ ମଣ୍ଡଲିରେ ବିଜେପି ବିଧାୟକ ଥିବା ଦୃଷ୍ଟିରୁ ଏହି ନିର୍ବାଚନ ବିଧାୟକଙ୍କ ପାଇଁ ଆତ୍ମସମ୍ମାନର ପ୍ରଶ୍ନ ହୋଇଥିବା ବଳେ ଜୋନ୍ (୨) ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ପ୍ରାର୍ଥୀ ହୋଇଥିବାରୁ ବିଜେପି ଦଳ ଏବଂ ଶ୍ରୀ ବାରିକଙ୍କ ପାଇଁ ଏହି ନିର୍ବାଚନ ଅଗ୍ନିପରୀକ୍ଷା ଏବଂ ସମ୍ମାନ ପ୍ରଶ୍ନ ହୋଇଛି ବୋଲି ନିର୍ବାଚନ ବିଶାରଦ ଓ ରାଜନୈତିକ ବିଶାରଦ ମତପ୍ରକାଶ କରୁଛନ୍ତି। ଜିଲ୍ଲାପରିଷଦ ଜୋନ୍ (୧) ବିଜେଡି ସୁବିଧା ଜନକ ସ୍ଥିତିରେ ଥିବାର ପରିଲକ୍ଷିତ ହେଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଜୋନ୍(୧) ରେ ନିର୍ବାଚନ ପ୍ରଚାର ପାଇଁ ଆସି ଲପଙ୍ଗାରେ ନିର୍ବାଚନ ସଭା ଓ ପ୍ରଚାର ପରେ ବିଜେପିର ସ୍ଥିତିରେ ସମାନ୍ୟ ସୁଧାର ଆସୁଥିବାର କୁହାଯାଉଛି। ତେବେ ଏହି ଜୋନରେ ବିଜେଡି-ବିଜେପିର ଟକ୍କରରେ କଂଗ୍ରେସ ଓ କମ୍ୟୁନିଷ୍ଟ ପ୍ରାର୍ଥୀଙ୍କ ଭୋଟ ନିର୍ଣାୟକ ହେବ ବୋଲି ନିର୍ବାଚନ ବିଶେଷଜ୍ଞ ମତ।
ଅପର ପକ୍ଷରେ ଜୋନ୍ (୨)ରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେଡି ସୁବିଧା ଜନଳ ସ୍ଥିତିରେ ପ୍ରଚାର ପ୍ରସାର ଆଦି କ୍ଷେତ୍ରରେ ଆଗୁଆ ଥିବା ବଳେ ପରବର୍ତ୍ତି ସମୟରେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନରାୟଣ ମିଶ୍ର, ବିଧାୟକ ନାଉରି ନାଏକ, ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ ନିର୍ବାଚନ ପ୍ରଚାରର ମଙ୍ଗ ଧରି ପ୍ରଚାର ଅଭିଯାନକୁ ବ୍ୟାପକ କଲାପରେ ସମୀକରଣରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳୁଛି। କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପୂର୍ବତ ପିସିସି ମୁଖ୍ୟ ଶରତ ପଟ୍ଟନାୟକ, ପୂର୍ବତନ ଏଆଇସିସି ସମ୍ପାଦକ ଆଶଫ ଅଲ୍ଲି ଖାଁ, ପୂର୍ବତନ ବିଧାୟକ ଦୁର୍ଯୋଧନ ଗର୍ଡିଆ ପ୍ରମୁଖ ପ୍ରଚାର ଅଭିଯାନରେ ସାମିଲ ହୋଇ ନିର୍ବାଚନ ମାହୋଲକୁ ଆହୁରି ସରଗରମ କରିଦେଇଛନ୍ତି। ତେବେ ଏହି ଜୋନରେ ବିଜେପି ଏବଂ ବିଜେଡି ପ୍ରର୍ଥୀଙ୍କ ମଧ୍ୟରେ ମଧ୍ୟରେ କଡା ଟକ୍କର ହେଉଥିବା ବେଳେ କଂଗ୍ରେସ ପ୍ରାର୍ଥୀ ନିର୍ଣାୟକ ହେବେ ବୋଲି ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରୁଛନ୍ତି। ବିଜେଡିରେ ନୂଆ ପୁରୁଣାକୁ ନେଇ ରହିଥିବା ଅନ୍ତଃକଳହକୁ ଭୁଲି ସମସ୍ତେ ଏକଜୁଟ ହୋଇ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ କାମ କରିବାକୁ ବିଗତ ଦିନରେ ବିଜେଡି ରାଜ୍ୟ ପ୍ରଚାର କମିଟିର ଅଧ୍ୟକ୍ଷ ପ୍ରଣବ କିଶୋର ଦାସ ଲୁଧାପାଲିରେ ଆୟୋଜିତ ଦଳୀୟ ସଭାରେ ମନ୍ତ୍ରୀ ନବଦାସ ଏବଂ ସୁଶାନ୍ତ ସିଂହଙ୍କ ଉପସ୍ଥିତିରେ ଦଳରେ ଥିବା ଫାଟ ଯୋଡିବା ପାଇଁ କର୍ମୀ ମାନଙ୍କୁ ଦେଇଥିବା ଗୁରୁମନ୍ତ୍ର କାର୍ଯ୍ୟକ୍ଷେତ୍ରରେ କେତେ ଫଳପ୍ରଦ ହୋଇ ଭୋଟରେ ରୁପାନ୍ତରିତ ହେବ ତାହା ନିର୍ବାଚନ ଫଳାଫଳରେ ପ୍ରତିଫଳିତ ହେବ।
ଅପର ପକ୍ଷରେ ବିଜେପି ପ୍ରାର୍ଥୀ ରାଧେଶ୍ୟାମ ବାରିକ ଅନ୍ୟ ବ୍ଳକର ହୋଇଥିବାରୁ ଏହି ଜୋନରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ପ୍ରାର୍ଥୀ ନିରାଶ ହୋଇ ଅସନ୍ତୁଷ୍ଟ ଥିଲେ। ଅସନ୍ତୁଷ୍ଠ ମାନଙ୍କୁ ମନେଇ ବୁଝେଇ ଶ୍ରୀ ବାରିକଙ୍କ ବିଜୟକୁ ସୁନିଶ୍ଚିତ କରିବା ପାଇଁ ଦଳ ପ୍ରବୀଣ ନେତା ପୂର୍ବତନ ମନ୍ତ୍ରୀ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଅସୁସ୍ଥତତା ସତ୍ତ୍ବେ ନିର୍ବାଚନ ପ୍ରଚାରର ମଙ୍ଗ ଧରି ଲଇଡା କୁ୩ଥର ଗସ୍ତ କରିଥିବା ବେଳେ କୁସୁମଡିହିରେ ଏକ ନିର୍ବାଚନୀ ସଭାରେ କର୍ମୀ ଓ ସମର୍ଥକମାନଙ୍କୁ ଭାଷଣ ଦେଇ ଉତ୍ସାହିତ କରିଥିଲେ। ଜୟନାରାୟଣ ମିଶ୍ର ପ୍ରଚାର ଅଭିଯାନରେ ସାମିଲ ହେଲା ପରେ ଭୋଟ୍ ଗଣିତ ଓଲଟ ପାଲଟ ହୋଇଯାଇଛି ବୋଲି ନିର୍ବାଚନ ଗଣିତ ଉପରେ ରୁଚି ରଖୁଥିବା ବିଶେଷଜ୍ଞ ମତ ପ୍ରକାଶ କରୁଛନ୍ତି। ବିଜେଡି-ବିଜେପି ମଧ୍ୟରେ ୧୯-୨୦ର ଟକ୍କର ହେବା ଭଲି ସ୍ଥିତି ଦେଖାଦେଇଛି ବୋଲି କିଛି ଲୋକ ମତପ୍ରକାଶ କରୁଛନ୍ତି। ବିଜେଡି ଏବଂ ବିଜେପିରେ ଥିବା ଅସନ୍ତୁଷ୍ଟ ଗୋଷ୍ଠୀର ଗତି କୁଆଡେ ସଂପ୍ରତି ଏହା ଚର୍ଚ୍ଚାର ବିଷୟ ହୋଇଛି।
ବିଜେପି ପ୍ରାର୍ଥୀ ଶ୍ରୀ ବାରିକଙ୍କ ସହିତ ବିଧାୟକ ନାଉରି ନାଏକ ଦଳର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ଗାଁକୁ ଗସ୍ତ କରି ସଭା ସମିତି, ରାଲି କରିବା ସହିତ ଘର କୁଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ବିଜେଡି ପକ୍ଷରୁ ଜୋନ୍ (୨)ରେ ପୂର୍ବତନ ବିଧାୟକ ରମେଶ ପଟୁଆ, ଦଳର ନିର୍ବାଚନ ପର୍ଯ୍ୟବେକ୍ଷକ ପୂର୍ବତନ ଖଲ୍ଲିକୋଟ ବିଧାୟକ ପୂର୍ଣଚନ୍ଦ୍ର ସେଠୀ ନିର୍ବାଚନ ପ୍ରଚାର ମଙ୍ଗ ଧରି ପ୍ରାର୍ଥୀ ଦେ ନାରାୟଣ ତିୱାରୀଙ୍କ ସହିତ ପ୍ରତି ଦିନ ତୋଫାନୀ ଗସ୍ତ କରି ବିଭିନ୍ନ ଗାଁରେ ସଭାସମିତି ଏବଂ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରିବା ସହିତ ରୋଡ୍ ଶୋ ମାଧ୍ୟମରେ ନିର୍ବାଚନ ପ୍ରଚାରରେ ଲାଗିଛନ୍ତି। କଂଗ୍ରେସ ପ୍ରାର୍ଥୀ ସରୋଜ ପୂଜାରୀ ପୁର୍ବତ ବିଧାୟକ ଦୁର୍ଯୋଧନ ଗର୍ଡିଆ, ଜିଲ୍ଲା କଂଗ୍ରେସ ସମ୍ପାଦକ ସୁବାଷ ବିଶ୍ୱାଲ, ବରିଷ୍ଠ କଂଗ୍ରେସ ନେତା ଜିଲ୍ଲା କଂଗ୍ରେସ କୃଷକ ସେଲ୍ଫ ସଭାପତି ଦୁର୍ଗାଶଙ୍କର ବାଗ, ଗଣେଶରାମ କରାଲି, ପୂର୍ବତନ ସମିତି ସଭ୍ୟ ଭବାନୀ ଶଙ୍କର ଭୋଇ, ସନ୍ତୋଷ ଭୋଇ ସିପିଆଇ ନେତା ସର୍ବାନନ୍ଦ ସରାଫ ପ୍ରମୁଖଙ୍କ ଗହଣରେ ଗାଁକୁ ଗାଁ ଘରକୁ ଘର ଯାଇ ଭୋଟ୍ ଭିକ୍ଷା କରୁଛନ୍ତି।
Comments are closed.