କାର୍ଯ୍ୟରେ ଲାଗୁନି କୋଟପା ଆଇନ, ଘୋଷଣାରେ ‘ଧୂମପାନ ମୁକ୍ତ ଅଭିଯାନ’
ବଢ଼ୁଛି କର୍କଟ, ଯକ୍ଷ୍ମା, ହୃଦ୍ଘାତ ଓ ଫୁସ୍ଫୁସ୍ ରୋଗ
ଭୁବନେଶ୍ୱର: ରାଜ୍ୟରେ ମାଦକ ଦ୍ରବ୍ୟସେବନକୁ ହ୍ରାସ କରିବା ଏବଂ ଏକ ଧୂମପାନମୁକ୍ତ ଓଡ଼ିଶା ଗଠନ ଲାଗି ସରକାର ପ୍ରଣୟନ କରିଛନ୍ତି କୋଟପା (ସିଗାରେଟ୍ ଅଦର ଟବାକୋ ଆକ୍ଟ) ଆଇନ । ମାତ୍ର ଏହାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଉନି। ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ଥାନାର ୧୦୦ ମିଟର ପରିସରରେ ପାନ, ବିଡ଼ି ଦୋକାନ ନରହିବା ନିୟମ ରହିଛି। ସର୍ବସାଧାରଣ ସ୍ଥାନରେ ଧୂମପାନ କଲେ ଜୋରିମାନା ଆଦାୟ କରିବା ଆଇନରେ ରହିଛି। ସ୍ବାସ୍ଥ୍ୟ ବିଭାଗ, ପୁଲିସ ପ୍ରଶାସନ ଓ କେତେକ ସ୍ବେଚ୍ଛାସେବୀ ସଂଗଠନଙ୍କୁ ନେଇ ଭୁବନେଶ୍ବର ସମେତ ଅନ୍ୟ କେତେକ ସହରକୁ ଧୂମପାନମୁକ୍ତ ସହର ଗଠନ ଲାଗି ୨୦୧୦ ମସିହାରେ ଘୋଷଣା କରାଯାଇଥିଲା। ମାତ୍ର ଧୂମପାନମୁକ୍ତ ସହର ପରିବର୍ତ୍ତେ ଜନବସତି ଗୁଡିକ ଧୂମପାନଯୁକ୍ତ ହେବାରେ ଲାଗିଛି। ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଭଳି ସମ୍ବେଦନଶୀଳ ତଥା ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅବାଧରେ ସିଗାରେଟ୍, ଗୁଟଖା ବିକ୍ରି ହେଉଛି। ଫଳରେ ଆଇନ ପ୍ରଣୟନ ପରେ ଧୂମପାନବିହୀନ ସହର ଲାଗି ଯେଉଁ ଲକ୍ଷ୍ୟ ରହିଥିଲା ତାହା ସଫଳ ହୋଇପାରିନି।
ଧୂମମୁକ୍ତ ସହର ଗଢ଼ିବାକୁ ସ୍ବାସ୍ଥ୍ୟ ବିଭାଗ ମଙ୍ଗ ଧରିଥିଲା। କମିସନରେଟ ପୁଲିସ ସ୍ବତନ୍ତ୍ର ଦଳ ଗଢିଥିଲା। ଜଣେ ବରିଷ୍ଠ ପୁଲିସ ଅଧିକାରୀ ନୋଡାଲ ଅଧିକାରୀ ରହିଥିଲେ। ବିଭିନ୍ନ ଦୋକାନରେ ପୁଲିସ ଚଢ଼ଉ କରି ଗୁଟଖା, ସିଗାରେଟ୍, ବିଡି ଭଳି ବସ୍ତା ବସ୍ତା ମାଦକଦ୍ରବ୍ୟ ଜବତ କରୁଥିଲେ। ମାଦକଦ୍ରବ୍ୟ ବିଜ୍ଞାପନ ହୋର୍ଡିଂକୁ କଢ଼ାଯିବା ସହ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା। ସର୍ବସାଧାରଣରେ ଧୂମପାନ କଲେ, ପୁଲିସ ୨୦୦ ଟଙ୍କା ଜୋରିମାନା ଆଦାୟ କରୁଥିଲା। ପୁଲିସ ଗାଡ଼ି ଦେଖିଲେ ଲୋକେ ସିଗାରେଟ ଫିଙ୍ଗି ଦୌଡୁଥିଲେ। ଲୁଚି ଛପି ଧୂମପାନ କରୁଥିଲେ। ରାଜଧାନୀର ୨୨୬ଟି ଛକ, ଜନଗହଳି ସ୍ଥାନ ଓ ଶିକ୍ଷାନୁଷ୍ଠାନ ନିକଟରେ ବିଡ଼ି ଓ ସିଗାରେଟ୍ ଟାଣିବା କଟକଣା ଥିଲା। ବିଡ଼ି ଓ ସିଗାରେଟ୍ରୁ ନିର୍ଗତ ଧୂଅାଁ ଦ୍ବାରା କର୍କଟ, ଯକ୍ଷ୍ମା, ହୃଦ୍ଘାତ ଓ ଫୁସ୍ଫୁସ୍ ଭଳି ମାରାତ୍ମକ ରୋଗରେ ଲୋକେ ପୀଡିତ ହେଉଛନ୍ତି। ଧୂମପାନ ଫଳରେ ବର୍ଷକୁ ୫୦ ହଜାରରୁ ଅଧିକ ଲୋକଙ୍କ ଜୀବନ ହାନି ଘଟୁଥିବା ଏକ ରିପୋର୍ଟରୁ ଜଣାପଡିଛି।
ଏକ ସର୍ଭେ ରିପୋର୍ଟ ଅନୁଯାୟୀ, ସବୁଠୁ ଚିନ୍ତାଜନକ ସ୍ଥିତି ବର୍ତ୍ତମାନର ଯୁବପିଢିଙ୍କ ପାଇଁ ଦେଖାଯାଇଛି।ଏହି ବର୍ଗ ଅଧିକ ପରିମାଣରେ ନିଶାସେବନ କରୁଛନ୍ତି। ମୋଟ ନିଶାଡିଙ୍କ ମଧ୍ୟରୁ ୫୫ ପ୍ରତିଶତ କେବଳ ୨୫ ବର୍ଷରୁ କମ୍ ପିଲା ରହିଛନ୍ତି। କୋଟପା ଆଇନ ଅନୁସାରେ ଶିକ୍ଷାନୁଷ୍ଠାନର, ଦେବାଳୟ, ଡାକ୍ତରଖାନା ଆଦି ପାଚେରି ଠାରୁ ୧୦୦ ମିଟର ଭିତରେ ତମାଖୁ ଉତ୍ପାଦ ସାମଗ୍ରୀ ବିକ୍ରି କରାଯାଇପାରିବନାହିଁ। ଆଇନ ନ ମାନିଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ପ୍ରତି ୨ରୁ ୫ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ବ୍ୟବସ୍ଥା ରହିଛି। ଏହି ନିୟମ କାଗଜପତ୍ରରେ ରହିଯାଇଛି। ଫଳରେ ବାରଣ ସ୍ଥାନରେ ତମାଖୁ ଓ ମାଦକଦ୍ରବ୍ୟ ଅବାଧରେ ବିକ୍ରି ଚାଲିଛି। ଫଳରେ ଯୁବିପିଢ଼ି ନିଶାସେବନର ସୁଯୋଗ ପାଉଛନ୍ତି। ଅଧିକାଂଶ ଛାପା (ସମାଜ ନୁହେଁ) ଓ ବୈଦ୍ୟୁତିକ ଗଣମାଧ୍ୟମରେ ମାଦକଦ୍ରବ୍ୟ ଓ ତମାଖୁର ଅବାଧ ବିଜ୍ଞାପନ ମଧ୍ୟ ଯୁବିପଢ଼ିଙ୍କୁ ନିଶା ବଳୟକୁ ଟାଣି ନେଉଛି। ସରକାରୀ ଆଇନ ପାଳନରେ ଢିଲାପଣ ଓ ଉତ୍ତରଦାୟିତ୍ବ ସଂପନ୍ନ ସଂସ୍ଥା ଓ ସଂଗଠନଙ୍କ ନୀରବତା ହିଁ ଆମ ଭବିଷ୍ୟତ ପୀଢିକୁ ଧ୍ବଂସ ଆଡକୁ ନେଉଛି।
Comments are closed.