ମୋକ୍ଷ ମାର୍ଗ

0

ମହାରାଜ ବିମ୍ବିସାରଙ୍କ ଆଖିରୁ ନିଦ ହଜିଯାଇଥିଲା। କ୍ରମାଗତ ଅନେକ ରାତି ଚେଷ୍ଟା କରି ମଧ୍ୟ ଶୋଇ ପାରି ନଥିଲେ। ରାଜକାର୍ଯ୍ୟରେ ମଧ୍ୟ ମନ ଲାଗିନଥିଲା। କିଛିଦିନ ତଳେ ଅଚଳ ମେରୁସଦୃଶ ଯାହାଙ୍କ ମାନସିକ ସ୍ଥିତି ଦୃଢ଼ଥିଲା ଏବେ କୁରାଳଚକ୍ର ପରି ସର୍ବଦା ଭ୍ରମିତ ହେଉଛନ୍ତି। ଅସ୍ଥିରଚିତ୍ତ ନେଇ ଆଉ କେତେଦିନ ବା ରହିପାରିଥାନ୍ତେ? ତୀର୍ଥଙ୍କର ମହାବୀର ତାଙ୍କୁ ସ୍ପଷ୍ଟ ଭାବରେ କହିଦେଇଛନ୍ତି ତୁମକୁ ନରକକୁ ହିଁ ଯିିବାକୁ ପଡ଼ିବ। ଏଥିରୁ ତୁମେ ମୁକ୍ତି ପାଇପାରିବ ନାହିଁ।’
ନରକର କଳ୍ପନା କଲାମାତ୍ରେ ବିମ୍ବିସାର ଭୟ, ଆଶଙ୍କା, ଅଜଣା ଆତଙ୍କ, ଉତ୍ତେଜନାରେ ଶିହରି ଉଠୁଥିଲେ। ଆଖି ଆଗରେ ତାଙ୍କର ଅହରହ ଭାସି ଉଠୁଥିଲା ନରକର ଲୋମହର୍ଷଣକାରୀ, ଅତି ଯନ୍ତ୍ରଣାଦାୟକ, କରୁଣ ଚିତ୍ର। କିଭଳି ବା ଏଥିରୁ ମୁକ୍ତି ପାଇ ପାରିବେ? କୋଷାଗାରରେ ରହିଛି ଅପର୍ଯ୍ୟାପ୍ତ ଧନସମ୍ପଦ, ଏକ ବିରାଟ ସାମ୍ରାଜ୍ୟର ସ୍ବାମୀ ସେ। ଦାସଦାସୀ ସୈନ୍ୟସାମନ୍ତ, ସବୁର ଅଧିଶ୍ବର ହୋଇ ମଧ୍ୟ ଆଜି ନିଜକୁ ଅତ୍ୟନ୍ତ ଦୁର୍ବଳ, ଅସହାୟ ମନେ କରୁଛନ୍ତି ସେ। ମୁକ୍ତିର ଉପାୟ, ମୋକ୍ଷ ଲାଭ ତାଙ୍କପାଇଁ ଅଲଭ୍ୟ କାହିଁକି? ଅନ୍ୟ ଦିନ ତୀର୍ଥଙ୍କରଙ୍କ ନିକଟକୁ ଯାଇ ତାଙ୍କ ପାଦତଳେ ବସିପଡ଼ିଥିଲେ। ପାଦଦୁଇଟିକୁ ଧରି କହିଥିଲେ- ‘ପ୍ରଭୁ! ମୋର ସମଗ୍ର ସାମ୍ରାଜ୍ୟ ଓ ରାଜକୋଷର ସମ୍ପଦ ଆପଣଙ୍କ ଚରଣତଳେ ଅର୍ପି ଦେବାକୁ ମୁଁ ରାଜି। କୃପାକରି ମୋତେ ସେହି ଭୟଙ୍କର ନରକରୁ ମୁକ୍ତିର ଉପାୟ ବତାଇ ଦିଅନ୍ତୁ।’
ତୀର୍ଥଙ୍କରଙ୍କ ଅଧରରେ ସ୍ମିତ ହାସ୍ୟ ଫୁଟି ଉଠିଥିଲା। ସେ ଜାଣିପାରିଥିଲେ ଏକ ବିଶାଳ ସାମ୍ରାଜ୍ୟର ଅଧିଶ୍ବର ଭାବରେ, ରାଜକୋଷରେ ଥିବା ବିପୁଳ ଧନସମ୍ପଦର ତଥାକଥିତ ରକ୍ଷାକର୍ତ୍ତା ଭାବରେ ବିମ୍ବିସାରଙ୍କ ମନରେ ଅହଂକାର ଉଦ୍ରେକ ହୋଇଛି। ଯାହାଙ୍କଠାରେ ଗର୍ବ, ଅହଂକାର ରହିଛି ସେ କି ପ୍ରକାରେ ଅବା ମୋକ୍ଷ ଲାଭରେ ସମର୍ଥ ହେବେ? ନିରହଂକାର, ନମ୍ର, ବିନୟୀ ନ ହେଲେ ମୋକ୍ଷ ପ୍ରାପ୍ତି ଯେ ଅସମ୍ଭବ। ବିମ୍ବିସାରଙ୍କ ଉଦ୍ଦେଶ୍ୟରେ କହିଥିଲେ- ‘ସେ ସବୁ ମୋ ପାଇଁ ନିଷ୍ପ୍ରୟୋଜନ। ତୁମ ରାଜ୍ୟ‌େର ଥିବା ପୁଣ୍ୟ ନାମକ ଶ୍ରାବକଙ୍କୁ ଭେଟିଲେ ସେ ଅବଶ୍ୟ ତୁମକୁ ସାମୟିକ ଫଳ ପ୍ରାପ୍ତି ସମ୍ପର୍କରେ ସୂଚନା ଦେଇପାରିବେ। ସେ ହିଁ ତୁମକୁ ଏହି ନରକରୁ ଉଦ୍ଧାର କରିବାରେ ସକ୍ଷ।’ ବିମ୍ବିସାର ଶ୍ରାବକଙ୍କ ନିକଟରେ ପହଞ୍ଚଥିଲେ। ତାଙ୍କର ପାଦସ୍ପର୍ଶ କରି ନୈରାଶ୍ୟ ବିଜଡ଼ିତ ସ୍ବରରେ କହିଥିଲେ- ‘ଶ୍ରାବକଶ୍ରେଷ୍ଠ! ମୋର ଯାଚନା ସ୍ବୀକାର କରନ୍ତୁ। ଆପଣ ଯାହା ଚାହିଁବେ ତାହା ମୁଁ ନିର୍ବିକାରରେ ଆପଣଙ୍କୁ ଦେବା ପାଇଁ ସମର୍ଥ। ଆପଣଙ୍କର କୌଣସି କାମନା ଅପୂରଣ ରଖିବି ନାହିଁ। କୃପାକରି ମୋତେ ସାମୟିକ ଫଳ ପ୍ରାପ୍ତିର ରହସ୍ୟ କୁହନ୍ତୁ।’
ଶ୍ରାବକଶ୍ରେଷ୍ଠଙ୍କ ଉତ୍ତରଥିଲା- ‘ମହାରାଜ! ସାମୟିକ ତ ‘ସମତା’ର ଅନ୍ୟନାମ। ରାଗୀ,​ ‌େ‌ଦ୍ବଷ, ଅହଂକାର, ଏସବୁକୁ ଚିତ୍ତରୁ ସମ୍ପୂର୍ଣ୍ଣ ଦୂର କରିବା ତ ସାମୟିକର ଅନ୍ୟ ନାମ। ଏହାକୁ କିଏ କିପରି ବା ଆପଣଙ୍କୁ ଦେବାରେ ସକ୍ଷମ ହେବ? ଏହା ସମ୍ପୂର୍ଣ୍ଣ ଭାବରେ ଆପଣଙ୍କର ନିଜସ୍ବ ବ୍ୟାପାର। ଯେ ପର୍ଯ୍ୟନ୍ତ ଆପଣ ‘ଅକଳନ ସମ୍ପଦ’ ତଥା ‘ସମ୍ରାଟ’ର ଅହଂକାର ହୃଦୟରୁ ତ୍ୟାଗ ନକରିଛନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କ ପକ୍ଷରେ ଏହାର ଉପଲବ୍ଧି ଅସମ୍ଭବ। ଚେଷ୍ଟାକରି ମଧ୍ୟ ଆପଣ ଏହାର ଅଧିକାରୀ ହୋଇପାରିବେନି।’

Leave A Reply