ଆରୁଷି-ହେମରାଜ ହତ୍ୟାମାମଲା ; ତଲୱାର ଦମ୍ପତିଙ୍କୁ ସୁପ୍ରିମକୋର୍ଟ ନୋଟିସ

0

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଆରୁଷି-ହେମରାଜ ହତ୍ୟାମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆରୁସିଙ୍କ ପିତାମାତା ରାଜେଶ ଓ ନୂପୁର ତଲୱାରଙ୍କୁ ଆହ୍ଲାବାଦ ହାଇକୋର୍ଟ ଗତବର୍ଷ ଡିସେମ୍ବରରେ ନିର୍ଦୋଷରେ ଖଲାସ କରିବାପରେ ଏହାର ପ୍ରତିବାଦରେ ମୃତ ହେମରାଜଙ୍କ ପରିବାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଥିଲେ। ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ସୋମବାର ମାମଲାର ଶୁଣାଣି କରି ତଲୱାର ଦମ୍ପତିଙ୍କୁ ନୋଟିସ ଜାରି କରିଛନ୍ତି।

୨୦୦୮ ମେ’ରେ ତଲୱାର ଦମ୍ପତିଙ୍କ ନୋଏଡାସ୍ଥିତ ବାସଭବନରୁ ସେମାନଙ୍କର ୧୩ ବର୍ଷର ଝିଅ ଆରୁଷିର ମୃତଦେହ ଉଦ୍ଧାର କରାଯାଇଥିଲା। ଏହାର ଦୁଇଦିନ ପରେ ଘରୋଇ ଚାକର ୪୫ ବର୍ଷୀୟ ହେମରାଜର ମୃତଦେହ ମଧ୍ୟ ଉକ୍ତ ବାସଭବନର ଛାତରୁ ମିଳିଥିଲା। ଏହି ଦ୍ୱୈତ ହତ୍ୟାକାଣ୍ଡକୁ ନେଇ ସେତେବେଳେ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା। ସିବିଆଇ ତଦନ୍ତ ରିପୋର୍ଟକୁ ଆଧାର କରି ଗାଜିଆବାଦସ୍ଥିତ ସିବିଆଇ ଅଦାଲତ ୨୦୧୩ ନଭେମ୍ବର ୨୬ରେ ତଲୱାର ଦମ୍ପତିଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସେହିଦିନଠାରୁ ସେମାନେ ଗାଜିଆବାଦର ଦସନା ଜେଲରେ ବନ୍ଦୀ ଥିଲେ। ତେବେ ସିବିଆଇ ଅଦାଲତ ରାୟ ପ୍ରତିବାଦରେ ତଲୱାର ଦମ୍ପତ୍ତି ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଏର କରିଥିଲେ। ହାଇକୋର୍ଟ ୨୦୧୭ ଡିସେମ୍ବରରେ ତଲୱାର ଦମ୍ପତିଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିବାପରେ ସେମାନେ ଜେଲରୁ ମୁକୁଳିଥିଲେ।

Leave A Reply