www.samajalive.in
Sunday, December 7, 2025
26.1 C
Bhubaneswar

ସନ୍ଦେହ ଦୂର ହେଉ

ରାଜନୀତିକୁ ସଜୀବ ରଖିବାକୁ ନେତାଏ ପ୍ରସଙ୍ଗ ଖୋଜନ୍ତି ଆଉ ତିଳକୁ ତାଳ କରି ନାଚନ୍ତି। ସେମିତି ଏକ ପ୍ରସଙ୍ଗ ଏବେ ଉଠିଛି ଆର୍ଥିକ ଅପରାଧୀ ତଥା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିବୃତିକୁ ନେଇ। ହଜାରହଜାର କୋଟିଟଙ୍କା ବ୍ୟାଙ୍କରୁ ଋଣନେଇ ତାକୁ ଇଚ୍ଛାକୃତ ଭାବେ ପରିଶୋଧ ନ’କରି ​‌େ​‌ସ ଆଇନକୁ ଫାଙ୍କି ଲଣ୍ଡନରେ ରହୁଛନ୍ତି। ତାଙ୍କୁ ପ୍ରତ୍ୟର୍ପଣ ଆଇନବଳରେ ଭାରତ ଆଣିବାକୁ ବିଚାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଓ ମୁମ୍ବଇର ଆର୍ଥର ରୋଡ଼ ଜେଲରେ ରଖିବାକୁ କାରା ପ୍ରକୋଷ୍ଠର ସ୍ଥିତି ଅନୁଧ୍ୟାନ କରାଯାଉଛି। ସହସ୍ର କୋଟିପତି ଏହି ଅପରାଧୀଙ୍କ ସୁଖସୁବିଧା ଦୃଷ୍ଟିରୁ ତାଙ୍କ ପାଇଁ ଉପଯୁକ୍ତ କୋଠରୀଟିଏ ଜେଲରେ ଲୋଡ଼ା ବୋଲି ତାଙ୍କ ଓକିଲଙ୍କ ଯୁକ୍ତିକୁ ମଧ୍ୟ ବ୍ରିଟିଶ ଅଦାଲତ ଗ୍ରହଣ କରିଛି। ଏତିକିବେଳେ ମାଲ୍ୟା କହିଛନ୍ତି ଯେ ସେ ଋଣ ପରିଶୋଧ କରି ମାମଲାର ଫୈସଲା କରିବାକୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ସଂସଦ ଭବନରେ ଭେଟିଥିଲେ ଏବଂ ନିଜର ଲଣ୍ଡନ ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ। ତାଙ୍କର ଏହି ବିବୃତି ରାଜନୈତିକ ମହଲ, ବିଶେଷକରି ବିରୋଧୀଙ୍କ ପାଇଁ ଏକ ବୋମା ଫୁଟାଇବା ଭଳି ଘଟଣା ସାବ୍ୟସ୍ତ ହୋଇଛି।
ଏହାର ତତ୍କାଳ ଅର୍ଥ ଅର୍ଥାନ୍ତର ବିରୋଧୀ ବିଭିନ୍ନ ଭାବେ କରିବା ସ୍ବାଭାବିକ। ଯିଏ ଶୁଣିବ ସେ ଅବଶ୍ୟ ବିଶ୍ବାସ କରିବ ଯେ ଅର୍ଥମନ୍ତ୍ରୀ ମାଲ୍ୟାଙ୍କ ଦେଶଛାଡ଼ିବା ବିଷୟରେ ଅବଗତ ଥିଲେ; ଅତଏବ ତାଙ୍କ ଦଳ ଓ ସରକାର ଏ ବିଷୟରେ ସବୁ ଜାଣନ୍ତି। ୨୦୧୬ରେ ମାଲ୍ୟା ଭାରତ ଛାଡ଼ିବାବେଳେ ତାଙ୍କ ବିଦେଶଗସ୍ତର ଉଦ୍ଦେଶ୍ୟ ସମ୍ପର୍କରେ ସାଧାରଣରେ କୌଣସିି ସୂଚନା ନଥିଲା। ପରେ ସେ ଦେଶରୁ ଚମ୍ପଟ ମାରିବାକଥା ଜଣାପଡ଼ିଲା। ଆହୁରି ମଧ୍ୟ ସନ୍ଦେହ ହେବ ଯେ ସରକାରଙ୍କ ଜ୍ଞାତରେ କିମ୍ବା ପରାମର୍ଶରେ ନିଜର ସୁରକ୍ଷା ପାଇଁ ମାଲ୍ୟା ବିଦେଶ ପଳାଇଥିଲେ। ଏମତି ମଧ୍ୟ ଶୁଣାଯାଉଛି ଯେ ପଳାତକ ହୀରା ବେପାରୀ ନିରବ ମୋଦୀ ଦେଶ ଛାଡ଼ିବା ପୂର୍ବରୁ କୁଆଡ଼େ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। ସହସ୍ର କୋଟିପତିମାନଙ୍କର ଦେଶର ତୁଙ୍ଗନେତା ଓ ପ୍ରମୁଖଦଳଙ୍କ ସହ ସମ୍ପର୍କ ଅତି ନିବିଡ଼। ଆହୁରି ମଧ୍ୟ ସେମାନେ ବିଭିନ୍ନ ବ୍ୟକ୍ତିଗତ ଓ ବ୍ୟାବସାୟିକ କାର୍ଯ୍ୟରେ ସାରା ବିଶ୍ବ ଭ୍ରମଣ କରିଥାନ୍ତି।
ତେବେ ସେ ଯା’ହେଉ ମାଲ୍ୟାଙ୍କ ଦାବି ସମ୍ପର୍କରେ ଉଭୟେ ଅର୍ଥମନ୍ତ୍ରୀ, ସରକାର ଓ ଶାସକଦଳ (ବିଜେପି)ତ ସନ୍ଦେହରେ ରହିବ। ତାଙ୍କ ଉକ୍ତି ଅନେକ ସନ୍ଦେହକୁ ଦୃଢ଼ୀଭୂତ କରିପାରେ। ଅର୍ଥମନ୍ତ୍ରୀ ଶ୍ରୀ ଜେଟଲୀ ତୁରନ୍ତ ଏ ସମ୍ପର୍କରେ ତାଙ୍କର ସ୍ପଷ୍ଟୀକରଣ ଗଣମାଧ୍ୟମକୁ ଦେଇଛନ୍ତି। ତାଙ୍କର କହିବା କଥା ହେଲା ତାଙ୍କୁ ଭେଟିବାକୁ ମାଲ୍ୟାଙ୍କୁ ସେ କେବେ ସମୟ ଦେଇନାହାନ୍ତି। ସଂସଦରେ ଭେଟାଭେଟି ହେବାର ସୁଯୋଗ ଥିବାରୁ ତାହାର ଫାଇଦା ଉଠାଇ ଗୃହବାହାରେ ସେ ଚାଲିଚାଲି ଯାଉଥିବାବେଳେ ମାଲ୍ୟା ହଠାତ୍‌ ତାଙ୍କ ପାଖକୁ ଆସି ନିଜର ଋଣ ମାମଲାର ଫୈସଲା କରିବାକୁ ପ୍ରସ୍ତୁତ ଥିବା କଥା କହିଥିଲେ। ସେଇ ଚାଲିବା ଅବସ୍ଥାରେ ଶ୍ରୀ ଜେଟଲୀଙ୍କୁ ସ୍ପଷ୍ଟ କରିଦେଇଥିଲେ ଯେ ଏଥିରେ ତାଙ୍କର କୌଣସି ଭୂମିକା ନାହିଁ ଓ ସଂପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ସହ କଥା ହୋଇ ମାମଲା ସମାଧାନ କରିବାକୁ ସେ ମାଲ୍ୟାଙ୍କୁ ପରାମର୍ଶ ଦେଇଥିଲେ। ମାଲ୍ୟା ତାଙ୍କୁ ଯେଉଁ କାଗଜପତ୍ର ଦେବାକୁ ଚେଷ୍ଟା କରିଥିଲେ ତାହାକୁ ସେ ଗ୍ରହଣ କରିନଥିଲେ। ଅର୍ଥମନ୍ତ୍ରୀଙ୍କ ଏହି ସଫେଇକୁ ଅବିଶ୍ବାସ କରିବାର ନାହିଁ। ତେବେ ଏଥିରେ ସନ୍ଦେହ ରହିଲା କେଉଁଠି? ସଂସଦରେ ଅର୍ଥମନ୍ତ୍ରୀଙ୍କୁ ମାଲ୍ୟା ଭେଟିଥିବା ସତ ହୋଇଥିଲେ ମଧ୍ୟ ଜେଟଲୀଙ୍କ ସ୍ପଷ୍ଟୀକରଣ ମଧ୍ୟ ସତ ହୋଇପାରେ। ଉଭୟଙ୍କ ମଧ୍ୟରେ ଆଉ କ’ଣ କଥାବାର୍ତ୍ତା ହୋଇଥିଲା ସେ ବିଷୟ ମାଲ୍ୟା ସବିଶେଷ କହିନାହାନ୍ତି। ହରଡ଼ଘଣାରେ ପଡ଼ିଥିବା ମାଲ୍ୟା ପାଣି ଗୋଳିଆ କରିବାକୁ ଆହୁରି ମଧ୍ୟ କିଛି କଥା କହିପାରନ୍ତି। ପ୍ରଶ୍ନ ଉଠୁଛି ମାଲ୍ୟା ଋଣଖିଲାପୀ ବୋଲି ଜଣାପଡ଼ିବା ପରେ ବିଦେଶକୁ ଯିବା କଥା ଅର୍ଥମନ୍ତ୍ରୀଙ୍କୁ ସୂଚିତ କରାଇବା ପରେ ମଧ୍ୟ ତାଙ୍କୁ କିପରି ଯାତ୍ରାପାଇଁ ଅନୁମତି ମିଳିଲା।
ସବୁ ବଡ଼ବଡ଼ ଶିଳ୍ପସଂସ୍ଥା ଓ ଶିଳ୍ପପତି ବିଭିନ୍ନ ରାଜନୈତିକ ଦଳଙ୍କୁ ମୋଟା ଅଙ୍କର ଚାନ୍ଦା ଦିଅନ୍ତି। ମାଲ୍ୟା ବି ଦେଉଥିଲେ। ଏହାସତ୍ତ୍ବେ ଉଭୟ ବିଜେପି ଓ କଂଗ୍ରେସସହ ତାଙ୍କର ସମ୍ପର୍କ ଏତେ ନିବିଡ଼ ନଥିଲା। ଏକଥା ମାଲ୍ୟା ମଧ୍ୟ ସ୍ବୀକାର କରୁଛନ୍ତି। ସତକଥା ହେଲା ମାଲ୍ୟାଙ୍କ ଫିସାଦିଆ ପ୍ରକୃତି ଓ ବେପାରିର ଆଦବକାଇଦାକୁ କେହି ଭଲ ପାଉନଥିଲେ। ସେ ଏବେ ଅଡ଼ୁଆରେ ପଡ଼ି ଅର୍ଥମନ୍ତ୍ରୀ ଓ ବିଜେପିକୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି; ଆସନ୍ତାକାଲି ଆଉ କାହାରିକୁ ସେ ସମାନ ଅବସ୍ଥାରେ ନ’ ପକାଇବେ ତାହା କୁହାଯାଇନପାରେ। ଆମ ନେତାମାନେ ତ ବିଭିନ୍ନ ଭାବେ ତାଙ୍କ ଦ୍ବାରା ଅତୀତରେ ଅନୁଗୃହୀତ ହୋଇଛନ୍ତି। ତେବେ କେଉଁ ପରିସ୍ଥିତିରେ ଓ କିପରି ମାଲ୍ୟା ବିଦେଶ ଯିବାକୁ ଅନୁମତି ପାଇଲେ ଏବଂ ତାଙ୍କ ବି​‌େ​‌ଦଶଗସ୍ତ ସମ୍ପର୍କରେ ଅର୍ଥମନ୍ତ୍ରୀ ଜାଣି ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ନିର୍ଦେଶ ନ’ଦେଲେ ସେ ସମ୍ପର୍କରେ ସରକାର ସବିଶେଷ ତଥ୍ୟ ପ୍ରଦାନ କରିବା ଆବଶ୍ୟକ। ରିଜର୍ଭବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରାଜନ ସଦ୍ୟ ସଂସଦୀୟ କମିଟିକୁ ତଥ୍ୟ ଦେଇଛନ୍ତି ଯେ ବ୍ୟାଙ୍କ ଠକେଇ ଓ ଋଣଖିଲାପିରେ ସଂପୃକ୍ତ ଦେଶର ବଡ଼ବଡ଼ ୧୦ ଶିଳ୍ପପତିଙ୍କ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଅବଗତ କରାଇଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ଓ ସରକାର ଚୁପ୍‌ ହୋଇ ବସିରହିଥିଲେ। ଏହାପଛରେ ବାଧ୍ୟବାଧକତା ଥିବାର ସୂଚନା ଦେଇଛନ୍ତି। ସେହି ୧୦ ଜଣଙ୍କ ମଧ୍ୟରେ ମାଲ୍ୟା, ମୋଦୀ ଓ ଚୋକ୍‌ସିଙ୍କ ନାମ ନାହିଁ ତ? ସରକାର ସେ ସନ୍ଦେହ ଦୂର କରିବା ଆବଶ୍ୟକ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories