ଆକାଶବାଣୀ ଜୟପୁର କେନ୍ଦ୍ରକୁ ସ୍ୱତନ୍ତ୍ର କ୍ଲଷ୍ଟର ମାନ୍ୟତା ଲାଗି
ନବରଙ୍ଗପୁର :ଜିଲାର ଆକାଶବାଣୀ କଳାକାରମାନଙ୍କର ତରଫରୁ ଆକାଶବାଣୀ ଜୟପୁର କେନ୍ଦ୍ରକୁ ସ୍ୱତନ୍ତ୍ର କ୍ଲଷ୍ଟର ମାନ୍ୟତା ଦାବିରେ ସ୍ଥାନୀୟ ସର୍କିଟ ହାଉସଠାରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଇତିମଧ୍ୟରେ ଓଡିଶାର ତିନୋଟି ଆକାଶବାଣୀକେନ୍ଦ୍ର କଟକ, ସମ୍ବଲପୁର ଓ ଭବାନୀପାଟଣାକୁ କ୍ଲଷ୍ଟର ମାନ୍ୟତା ପ୍ରଦାନ ପୂର୍ବକ ଆକାଶବାଣୀ, ଜୟପୁରକେନ୍ଦ୍ର ଭବାନୀପାଟଣା କେନ୍ଦ୍ର ଅଧିନରେ ରହିବା ଲାଗି ପ୍ରସାରଭାରତୀ ଠାରୁ ବିଞ୍ଜପ୍ତି ଜାରି ହୋଇଥିଲା। ଅବିଭକ୍ତ କୋରାପୁଟ ଜିଲାର ଗର୍ବ ଓ ଗୈାରବ ଆକାଶବାଣୀ, ଜୟପୁର କେନ୍ଦ୍ର ଏହି ଅଞ୍ଚଳର ସାମାଜିକ, ସାଂସ୍କୃତିକ ବୈଭବକୁ ଯର୍ଥାର୍ଥ ଭାବେ ପ୍ରଚାର ପ୍ରସାର କରି ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବାବେଳେ ଏହି କେନ୍ଦ୍ରକୁ ବୈମାତୃକ ପୋଷଣ କରି ବଳି ଦିଆଯାଉଥିବାରୁ ସମଗ୍ର କଳାକାର ଓ ଜନସାଧାରଣ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏହାକୁ ଦୃଷ୍ଟିରେ ରଖି ଜୟପୁର କେନ୍ଦ୍ରରେ ଡିଡିଜି ପଦବୀ ସୃଷ୍ଟି କରିବା ସହ ଏହାକୁ କ୍ଲଷ୍ଟରର ମାନ୍ୟତା ଦେବା ଲାଗି ଏବଂ କଳା ଓ କଳାକାର ର ସୁରକ୍ଷା ଲାଗି ଦାବି କରାଯାଇଛି। ଏହି ବିଷୟକୁ ସାଂସଦଶ୍ରୀ ମାଝୀ ଉଚ୍ଚସ୍ତରରେ ଉପସ୍ଥାପନକରି ଆକାଶବାଣୀ ଜୟପୁରର ମର୍ଯ୍ୟଦା ଅକ୍ଷୂୁର୍ଣ୍ଣ ରଖିବା ଲାଗି ଅନୁରୋଧ କରାଯାଇଛି। ଆକାଶବାଣୀ କଳାକାର ସୁରେଶ ମିଶ୍ର, ବାଲାଜୀ କିଶୋର ରାୟ, ଅସିତ ଦେଓ, ଅଶୋକ ପଣ୍ଡା ପ୍ରମୂଖ ଦାବିପତ ପ୍ରଦାନ କରିଥିଲେ।
Comments are closed.