କୌଶଲ୍ୟାଗଙ୍ଗ ଫାଣ୍ଡିରେ ନାହାନ୍ତି ପୁଲିସ ଅଧିକାରୀ

ପିପିଲି: ପୁରୀ ଜିଲାର ପ୍ରବେଶପଥରେ ଥିବା କୌଶଲ୍ୟାଗଙ୍ଗ ଫାଣ୍ଡିରେ ପୁଲିସ ଅଧିକାରୀ ନାହାନ୍ତି । ଗତମାସରୁ ଏଠାରେ ଫାଣ୍ଡି ଅଧିକାରୀ ପଦ ଖାଲି ପଡିଥିବା ବେଳେ ଏଥିଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି ।
ପୁରୀ ଜିଲାର ପ୍ରମୁଖ ଫାଣ୍ଡି କୁହାଯାଉଥିବା ପିପିଲି ଥାନା ଅନ୍ତର୍ଗତ ଉତ୍ତରାବଜାର ଠାରେ ଥିବା କୌଶଲ୍ୟାଗଙ୍ଗ ପୁଲିସ ଫାଣ୍ଡିରେ ଗତ ନଭେମ୍ବର ୧୪ ତାରିଖ ଠାରୁ ଫାଣ୍ଡି ଅଧିକାରୀ ପଦ ଖାଲି ପଡିଛି । ତତ୍‍କାଳୀନ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ପାଇକରାୟଙ୍କର ପୁଲିସ ଇନିସପେକ୍ଟର ପଦବୀକୁ ପଦୋନ୍ନତି ହେବାପରେ ସେ ନଭେମ୍ବର ୧୪ ତାରିଖରେ ରିଲିଭ ହୋଇ ପୁରୀ ମୁଖ୍ୟାଳୟରେ ଯୋଗଦେଇଛନ୍ତି। ସେହିଦିନ ଠାରୁ ଏଠାରେ କେହି ପୁଲିସ ଅଧିକାରୀ ନଥିବା ବେଳେ କେବଳ ୭ଜଣ କନେଷ୍ଟବଳଙ୍କୁ ନେଇ ଫାଣ୍ଡି ଚାଲିଥିବା ସୂଚନା ମିଳିଛି। ଏହି ଫାଣ୍ଡି ଅଧିନରେ ପୁବାଶାସନ ପଞ୍ଚାୟତ, ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ, ପମସରା ପଞ୍ଚାୟତ ଓ ଗୋବିନ୍ଦପୁର ପଞ୍ଚାୟତ ରହିଛି । ସିଫା ଓ କୃପାଜଳ ଇଞ୍ଜିନିୟରିଂ କଲେଜ ଭଳି ବଡ ଅନୁଷ୍ଠାନ ସମେତ ୫ଟି କଲେଜ ଏହି ଫାଣ୍ଡି ଅଧିନରେ ଥିବା ବେଳେ ଏହା ଜିଲାର ଏକ ମୁଖ୍ୟ ଫାଣ୍ଡି ଅଞ୍ଚଳ ଭାବେ ପରିଚିତ ।

 

prayash

ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା ଏହି ଅଞ୍ଚଳରେ ୩୦ରୁ ଅଧିକ ଆପାର୍ଟମେଣ୍ଟ ରହିଥିବା ବେଳେ ଏହା ଏକ ପ୍ରମୁଖ ବ୍ୟବସାୟ ଅଞ୍ଚଳ ଅଟେ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ କଡରେ ଥିବା ଏହି ଫାଣ୍ଡି ଅଞ୍ଚଳରେ ଦୈନିକ ଶହ ଶହ ସଂଖ୍ୟାରେ ଗାଡିମୋଟର ଯିବାଆସିବା କରୁଥିବା ବେଳେ ଦୈନିକ ଛୋଟମୋଟ ଦୁର୍ଘଟଣାମାନ ଘଟୁଥିବା ସୂଚନା ମିଳିଛି। ଅନେକ ସମୟରେ ଦୁର୍ଘଟଣାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜି ରାସ୍ତାରୋକ ଭଳି ଘଟଣା ଘଟୁଛି। ଦୈନିକ ଏହି ଫାଣ୍ଡିକୁ ୨୦ରୁ ଉର୍ଦ୍ଧ ଅଭିଯୋଗ ଆସୁଥିବା ବେଳେ ଫାଣ୍ଡି ଅଧିକାରୀ ନଥିବାରୁ ନାନା ସମସ୍ୟା ସୃଷ୍ଟି ହେଉଥିବା ସୂଚନା ମିଳିଛି। ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ସଂକ୍ରାନ୍ତରେ ଲୋକେ ଅଧିକ ଖର୍ଚ୍ଚାନ୍ତ ହୋଇ ଓ ସମୟ ବ୍ୟୟ କରି ପିପିଲି ଥାନାକୁ ଯାଉଥିବା ଜଣାଯାଇଛି। ଏହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏଠାରେ ସ୍ଥାୟୀ ଫାଣ୍ଡି ଅଧିକାରୀ ନିଯୁକ୍ତ କରିବାକୁ ସାଧାରଣରେ ଦାବି ହୋଇଛି। ତେବେ ଏବାବଦରେ ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରାଯାଇଛି ଓ ଖୁବ୍‍ ଶିଘ୍ର ଖାଲି ପଡିଥିବା ଫାଣ୍ଡି ଅଧିକାରୀ ପଦବୀକୁ ପୂରଣ କରାଯିବ ବୋଲି ଏସ୍‍ପି ପ୍ରତିଶୃତି ଦେଇଥିବା ସଂପର୍କରେ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି।

kalyan agarbati

Comments are closed.