ମୋଦୀଙ୍କ ନିର୍ବାଚନ ସ୍ବର

0

ନୂଆଦିଲ୍ଲୀରେ ରବିବାର ଶେଷ ହୋଇଥିବା ଦୁଇଦିନିଆ ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଦଳର ରାଜନୈତିକ ପ୍ରସ୍ତାବ ଗୃହୀତ ହେବାସହ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ରଣନୀତି ଏକପ୍ରକାର ଚୂଡ଼ାନ୍ତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଉଦ୍‌ଯାପନ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଅଜେୟ ଭାରତ, ଅଟଳ ଭାଜପା’ ସ୍ଲୋଗାନ ଏହି ନିର୍ବାଚନ ସ୍ବରକୁ ଏକପ୍ରକାର ମୋହର ଲଗାଇଛି। ପ୍ରଧାନମନ୍ତ୍ରୀଙ୍କ କଥା ଓ ସ୍ଲୋଗାନରୁ ବୁଝିବାକୁ ହେବ ଦଳ ନିର୍ବାଚନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ। ମୋଦୀଙ୍କ ଶାଣିତ ସ୍ଲୋଗାନର କେନ୍ଦ୍ରରେ ରହିଛି ବିରୋଧୀ ଦଳ; ତାହାକୁ ସେ ଯୋଗ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ଦେଖୁନାହାନ୍ତି। ନେତା, ନେତୃତ୍ବ ଓ ନୀତି ନଥିବା ବିରୋଧୀ ଏକାଠି ହୋଇ ଲଢ଼ିବା ଅବସ୍ଥାରେ ନଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କଠାରୁ କୌଣସି ଫଳପ୍ରଦ ପ୍ରତିଦ୍ବନ୍ଦ୍ବିତାର ସମ୍ଭାବନା ଦେଖୁନାହାନ୍ତି। କ୍ଷମତା ଓ ବ୍ୟକ୍ତିଗତ ଲାଭକୁ ଅଗ୍ରାଧିକାର ଦେଉଥିବା ବିରୋଧୀଦଳଙ୍କ ପାଇଁ ଏହି ତାଚ୍ଛଲ୍ୟ ଅପ୍ରାସଙ୍ଗିକ ନୁହେଁ। ତେବେ ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନିଜ ସରକାରର ଲୋକପ୍ରିୟତା ଓ ସଫଳତାର ଯେଉଁ ଆସ୍ଫାଳନ କରିଛନ୍ତି ତାହା ବାସ୍ତବତା ଅପେକ୍ଷା ଅଧିକ ରାଜନୈତିକ ମନେହୁଏ। ଗୋଟିଏ ବିପୁଳ ବିଜୟସହିତ ମୋଦୀ ତାଙ୍କ ଦଳ ଓ ସରକାରର ଯେଉଁ ଦୃଢ଼ ଓ ବିଶ୍ବାସର ଯାତ୍ରା ଆରମ୍ଭ କରିବାର କଥା କହିଛନ୍ତି ସେଥିରେ ଆପତ୍ତି କରିବାର କିଛିନାହିଁ। ତେବେ ୧୨୫ କୋଟି ଭାରତବାସୀ ତାଙ୍କ ସହିତ ଅଛନ୍ତି ଓ ଭବିଷ୍ୟତରେ ରହି ତାଙ୍କୁ ପୁନର୍ବାର ଜିତାଇବେ, ଏକଥା ଏତେ ଦୃଢ଼ଭାବେ କହିବା ସହଜ ନୁହେଁ।
ମୋଦୀ ସରକାରଙ୍କ କେତେକ ଲୋକାଭିମୁଖୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଯୋଗୁଁ ବହୁ ଲୋକ ଉପକୃତ। ତା’ସତ୍ତ୍ବେ ଏମିତି ଅନେକ ସାମାଜିକ-ଆର୍ଥିକ ଓ ରାଜନୈତିକ ପ୍ରସଙ୍ଗ ରହିଛି ଯେଉଁଠି ଚଳିତ ସରକାରଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ତୀବ୍ର। ଏହି ପ୍ରସଙ୍ଗରେ ବେଶ କିଛି ଲୋକ ସ୍ବର ଉଠାଉଥିବାବେଳେ ଅନେକ ନିରବ ଭୋଟର ତାହାକୁ ଅତି ସତର୍କତାର ସହ ଦେଖୁଛନ୍ତି। ସମଗ୍ର ଉତ୍ତର ଭାରତ ବିଜେପିର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ଆଗକୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲଙ୍ଗାନା ନିର୍ବାଚନ ମୋଦୀ ଲୋକପ୍ରିୟତାର ପ୍ରମାଣ ଦେବ। ଏଭଳି ପରିସ୍ଥିତିରେ ଯଦି ଆଗୁଆ ଲୋକସଭା ନିର୍ବାଚନ ହୁଏ ଭୋଟର କି ପ୍ରକାର ମନୋଭାବ ପ୍ରଦର୍ଶନ କରିବେ ତାହା ଅନୁମାନ କରିବା କଷ୍ଟ। ତେବେ ସେ ଯାହା ହେଲେ ମଧ୍ୟ ଜାତୀୟସ୍ତରରେ ଏକ ଦୃଢ଼ ଓ ସମର୍ଥ ରାଜନୈତିକ ଦଳ ବା ମେଣ୍ଟକୁ ଭୋଟର ସବୁବେଳେ ବିକଳ୍ପଭାବେ ଦେଖିଥାନ୍ତି। ମୋଦୀ ଓ ତାଙ୍କ ଦଳର ସୌଭାଗ୍ୟ ହେଲା ଏପର୍ଯ୍ୟନ୍ତ ସେହି ଜାତୀୟ ବିକଳ୍ପଟି ନାହିଁ। ନିର୍ବାଚନ ସମୟ ବେଶୀଦିନ ନଥିବାରୁ ତା’ଭିତ‌େ‌ର ଏକ ଗ୍ରହଣଯୋଗ୍ୟ ଜାତୀୟ ବିରୋଧୀ ବିକଳ୍ପ ସୃଷ୍ଟି ହେବା ସମ୍ଭାବନା ସେତେ ଉଜ୍ବଳ ଦେଖାଯାଉନଥିବାରୁ ପ୍ରଧାନମନ୍ତ୍ରୀ ଓ ତାଙ୍କଦଳ ଏହି ସୁଯୋଗରେ ପୁନର୍ବାର ବିଜୟୀ ହେବାର ସମ୍ଭାବନା ଅଧିକ ଦେଖିବା ସ୍ବାଭାବିକ। କହିବା ବାହୁଲ୍ୟ ଯେ ସରକାର ସର୍ବଦା କାମ କରି ଜିତେ ନାହିଁ। ବିଜୟ ପାଇଁ ରଣକୌଶଳ ଅଧିକ ଲୋଡ଼ା। ଦୁର୍ବଳ ବିରୋଧୀ ଏଥିପାଇଁ ସାହାଯ୍ୟ ସୁଯୋଗ ଯୋଗାଇଥାନ୍ତି। ଚତୁର ମୋଦୀ ଅସଲ ବାସ୍ତବତାଟି ଭଲଭାବେ ବୁଝିଛନ୍ତି ଏବଂ ତାହାର ସୁଯୋଗ ନେଇ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଛନ୍ତି। ତେଣୁ ସେ ଯଦି ବିଜୟୀ ହୁଅନ୍ତି, ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ସହିତ ନୁହେଁ, ଦୁର୍ବଳ ବିରୋଧୀଙ୍କ ସହ ଲଢ଼ି ଜିତିବେ। ଏ ଦେଶରେ ଏଭଳି ବିଜୟର ଅନେକ ଉଦାହରଣ ରହିଛି।

Leave A Reply