ଏକ ନିଆରା ଏକାଦଶାହ

0

ଗୋକୁଳାନନ୍ଦ ନାୟକ

prayash

ଆଜି ସମୟ ବଦଳିଯାଇଛି। ବଡ଼ ଭାଇ ପ୍ରତି ସାନଭାଇର ସମ୍ମାନ ନାହିଁ କି ବଡ଼ଭାଇର ସାନଭାଇ ପ୍ରତି କୌଣସି ତ୍ୟାଗ ବା ମମତା ନାହିଁ। ଆଜିର ସାମାଜିକ ଜୀବନ ଏକପ୍ରକାର ସମ୍ପର୍କଶୂନ୍ୟ। ପୈତୃକ ସମ୍ପତ୍ତିକୁ ନେଇ ଅଦାଲତରେ ମାଲିମକଦ୍ଦମା। ପାରିବାରିକ ଜୀବନରେ ଭାଇଭାଇ ଭିତରେ ପ୍ରତିଯୋଗିତା, ହିଂସା, ଦ୍ବନ୍ଦ୍ବ ଓ ମାଡ଼ପିଟ୍‌। ମୃତ୍ୟୁପରେ ଆତ୍ମା ଅଛି ବୋଲି ଆମର ପାରିମ୍ପରିକ ବିଶ୍ବାସ। ଯେଉଁ ବାପାମାନେ କଷ୍ଟ କରି ସମ୍ପତ୍ତି ରଖିଯାଇଥିଲେ, ସ୍ବର୍ଗପୁରରେ ସେମାନଙ୍କ ଆତ୍ମା ଯେ ​‌େ​‌କତେ କଷ୍ଟ ପାଉଥିବେ ତାହା ବିଚାର କରିବାର କଥା।
ଆଜିର ସମାଜରେ ହାତଗଣତି କିଛି ପରିବାରକୁ ଛାଡ଼ିଦେଲେ ପରିବାରମାନଙ୍କରେ ଅନ୍ୟ କାହା ସହିତ ସମ୍ପର୍କର ନିବିଡ଼ତା ନାହିଁ। ପରିବାରରେ ସବୁପ୍ରକାର ସମ୍ମାନର ଅଧିକାରୀ ହେଉଥିବା ବଡ଼ଭାଇମାନେ ହେଉଛନ୍ତି ‘ଅଭିଜ୍ଞ ପୁରୁଷ’। ଏହି ଅଭିଜ୍ଞ ପୁରୁଷମାନଙ୍କର କର୍ତ୍ତବ୍ୟ ଅଧିକ, ଦାୟିତ୍ବ ମଧ୍ୟ ଅଧିକ। ଏଠ​‌ାରେ ଅଧିକାର କହିଲେ ପରିବାରର ଧନ ସମ୍ପତ୍ତି ଉପରେ ନୁହେଁ, ବରଂ ପାରିବାରିକ କାର୍ଯ୍ୟ ସମୀକ୍ଷା କରିବାର ଅଧିକାର ଓ ସମ୍ପର୍କର ସେତୁକୁ ମଜବୁତ୍‌ କରିବାର ଅଧିକାର କଥା କୁହାଯାଉଛି। ଏଗୁଡ଼ାକ ଆଜିକାଲି ପୋଥିବାଇଗଣରେ ପରିଣତ ହୋଇଯାଇଛି। ପ୍ରାୟ ୩୦ବର୍ଷ ତଳର କଥା ଏଇ ପ୍ରସଙ୍ଗରେ ଆଜି ମନେ ପଡ଼ିଯାଉଛି। ଯେଉଁମାନଙ୍କ ବିଷୟରେ ଲେଖୁଛି, ସେମାନେ ତ ସମସ୍ତେ ଆରପୁରରେ। ତେଣୁ ଏ ବିଷୟରେ ଆଲୋଚନା କରିବାରେ କୌଣସି ପ୍ରତିବନ୍ଧକ ନାହିଁ।
କଟକ ଗଡ଼ଗଡ଼ିଆ ମନ୍ଦିରରେ ଏକ ନିଆରା ବ୍ରାହ୍ମଣ ଭୋଜନ ତଥା ଏକାଦଶାହ ଅନେକଙ୍କର ନଜରକୁ ଆସିଥିଲା। ଜଣେ ବଡ଼ଭାଇ ତା’ର ସାନଭଉଣୀ (ବୟସରେ ୧୦ ବର୍ଷ ସାନ)ର ଏକାଦଶାହ ଉତ୍ସବ ପାଳନ କରୁଥିଲେ। ସମସ୍ତ ଖର୍ଚ୍ଚ ବଡ଼ଭାଇର, ଭିଣୋଇର ନୁହେଁ। ବଡ଼ଭାଇ ନିଜ ତରଫରୁ ଉପରେ ପଡ଼ି ଭିଣୋଇଙ୍କ ସମ୍ମତି ନେଇଯାଇଥିଲେ। ଭିଣୋଇ ବା କାହିଁକି ଅସମ୍ମତ ହେବେ, ତାଙ୍କର ଖର୍ଚ୍ଚ କମିଗଲା ପରା। ମନ୍ଦିରରେ ବ୍ରାହ୍ମଣ ଭୋଜନୀର ଆୟୋଜନ ଓ ପୂଜାର୍ଚ୍ଚନା ଇତ୍ୟାଦି, ତା’ପରେ ବୃହତ୍ତର ପରିବାର ପାଇଁ ନିଜ ବାସଭବନରେ ବହୁପ୍ରକାର ସୁସ୍ବାଦୁ, ନିରାମିଷ ଭୋଜନର ଆୟୋଜନ। ବଡ଼ଭାଇ ତରଫରୁ ଏପରି ଏକ ସ୍ବତନ୍ତ୍ର ବ୍ୟବସ୍ଥା ଉପସ୍ଥିତ ଆତ୍ମୀୟସ୍ବଜନମାନଙ୍କୁ ଚକିତ କରିଦେଇଥିଲା।
ବଡ଼ଭାଇଙ୍କ ଏପରି ଉଦାର ଆଚରଣ କିନ୍ତୁ ସମାଲୋଚନାର ଶିକାର ହେଲା। ଖାଇପିଇ ମସ୍ତ ହୋଇଯିବା ପରେ କେତେକ କହିଲେ, ଏହା ହେଉଛି ନିଜର ବାହାଦୁରି ଦେଖାଇବାର ଉଦାହରଣ। ଭିଣୋଇଙ୍କର ପୁଅ ତ ବିଦେଶରେ; ତା’ ଚାକିରିକୁ ଚାଲିଯିବେ ବୋଲି ସବୁକାମ ୬ ଦିନରେ ସାରିଦେଲେ। ଗୋଟିଏ ଭଲ ହୋଟେଲରେ ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ବାତାବରଣରେ ସୁସ୍ବାଦୁ ଖାଦ୍ୟ ପରିବେଷଣ କରି ତା’ ଆର ଦିନ ପୁରୀରେ ଅସ୍ଥିବିସର୍ଜନ କରି ମାତାଙ୍କର ଆତ୍ମାକୁ ସିଧାସଳଖ ସ୍ବର୍ଗକୁ ପଠେଇଦେଲେ। ବଡ଼ଭାଇ ପୁଣି ସେ ପୁୁରୁଣା ଖାତାଟି ଖୋଲି କାହିଁକି ଏକାଦଶାହ କଲେ? ଦାଣ୍ଡ ସୌନ୍ଦର୍ଯ୍ୟ ଦେଖେଇ ହେବା ପାଇଁ ନା କ’ଣ? ଆହୁରି କେତେ କ’ଣ ସମାଲୋଚନା ହେଲା, ତାହା ଲେଖିବା ରୁଚିକର ହେବନାହିଁ, କିନ୍ତୁ ବଡ଼ଭାଇଙ୍କର ଆମେରିକାରେ ରହୁଥିବା ସବାସାନ ଭିଣୋଇ ଜଣକ ଏ ଖବର ଶୁଣି ଭାରି ଖୁସିହେଲେ। ଫୋନ୍‌ କରି କହିଲେ, ଯାହା ହେଉ ଆପଣଙ୍କ ସବା ସାନଭଉଣୀ (ମୋ ସ୍ତ୍ରୀ) ବେଳକୁ ମୋର ଖର୍ଚ୍ଚ କମିଗଲା, କିନ୍ତୁ ଗୋଟିଏ ସର୍ତ୍ତ ରହିଲା। ଖାଲି ଏକାଦଶାହ ପାଳନ କରିବେ ନାହିଁ, ବାରପତରଟା କରି ଭଲଭଲ ମାଛ ଆଣି ସମସ୍ତଙ୍କୁ ଖୁଆଇବେ। ଏପରି ଏକ ସର୍ତ୍ତ ଶୁଣି ବଡ଼ଭାଇ ଚମକି ପଡ଼ି କହିଲେ- ‘ଓହୋ, ଗୋଟିଏ ବଡ଼ ଭୁଲ୍‌ ହୋଇଗଲା। ବାରପତରଟା କରି ଦେଇଥିଲେ ସତରେ ମୁଁ ଆହୁରି କେତେ ପ୍ରଶଂସା ପାଇଥାନ୍ତି ଯେ?’ ଅନୁତାପ କରି ବିଚଳିତ ହୋଇପଡ଼ିଲେ।
ଭିଣୋଇ ଆମେରିକାରୁ କହିଲେ, ବ୍ୟସ୍ତ ହୁଅନ୍ତୁ ନାହିଁ ଶାନ୍ତ ହୁଅନ୍ତୁ, ଧୈର୍ଯ୍ୟ ଧରନ୍ତୁ। ୮୪ ବର୍ଷ ବୟସ୍କ ଓ ଶତାୟୁ ଆକାଂଙ୍‌କ୍ଷୀ ବଡ଼ଭାଇ ବଡ଼ ପାଟିରେ କହିଲେ, ଯାହା କହୁଛ ଶୀଘ୍ର କୁହ, ଇଆଡ଼ୁ ସିଆଡ଼ୁ ଗପନାହିଁ। ଏଡ଼େବଡ଼ ଭୁଲ କରି ମୋର ‘ବ୍ଲଡ଼ ପ୍ରେସର୍‌’ ବଢ଼ିଗଲାଣି। ଭିଣୋଇ ଜଣକ କହିଲେ, ଆପଣଙ୍କର ତ ଆଉ ୬ଜଣ ଭଉଣୀ ଅଛନ୍ତି। ସେମାନଙ୍କର ସମସ୍ତଙ୍କର ଫାଷ୍ଟ୍‌ କ୍ଲାସ୍‌ ଟିକଟ୍‌ କିଣା ସରିଲାଣି, ଖାଲି ପ୍ଲେନକୁ ଅପେକ୍ଷା। ସେମାନଙ୍କ ବେଳକୁ ଏପରି ଭୁଲ କରିବେ ନାହିଁ। ଏକାଦଶାହ ଓ ବାରପତର କରିବେ। ଉତ୍ତର ଥିଲା- ମ​‌େ​‌ନ ରହିଲା, ନିଶ୍ଚୟ କରିବି। ଭଗବାନ ମୋତେ ଶତାୟୁ ହେବାର ଆଶୀର୍ବାଦ ଦେଲେ ତ! ଏଇ ଭୁଲ୍‌ ଯୋଗୁଁ ନିଜକୁ ଧିକ୍କାର କରୁଥି​‌େ​‌ଲ ସେ ।
ପାଠକେ ବିଚାର କରନ୍ତୁ, ଉପରୋକ୍ତ ଉଦାହରଣଟି ବଡ଼ଭାଇଟିର ନିଜର ଆତ୍ମପ୍ରଚାର ନା ଭଉଣୀ ପ୍ରତି ଆନ୍ତରିକତା? ସତରେ କ’ଣ କାଳିନ୍ଦୀ ପାଣିଗ୍ରାହୀଙ୍କର ଉପନ୍ୟାସ ‘ମାଟିର ମଣିଷ’ର ବରଜୁ ପ୍ରଧାନ ପୁଣିଥରେ ଜନ୍ମନେଲା କି? ସେହିପରି ମନେହେଉଛି।
ପୁରୁଣା ଜଗନ୍ନାଥ ରୋଡ଼
ଖପୁରିଆ ଶିଳ୍ପାଞ୍ଚଳ, କଟକ-୧୦

Leave A Reply