ଯୁବଶକ୍ତିର ସଦୁପଯୋଗ

0

ପ୍ରଫୁଲ୍ଲ କୁମାର ସାହୁ

prayash

ଜୀବନର ସମସ୍ତ ଝଡ଼ଝଞ୍ଜାକୁ ଅତିକ୍ରମ କରି ଅସାଧ୍ୟ ସାଧନ କରିବାର ବିରଳ ବେଳା ହେଉଛି ଯୁବାକାଳ। ବାସ୍ତବରେ ଯୁବକମାନେ ହେଉଛନ୍ତି ଦେଶର ଉତ୍‌ଥାନ ପତନ ତଥା ତା’ର ଭାଗ୍ୟ ଓ ଭବିଷ୍ୟତ ଗଠନର ମୂଳାଧାର। କୌଣସି ରାଷ୍ଟ୍ରର ବିକାଶ ତାର ବିଭବ ଓ ବିଶାଳତା ଉପରେ ନିର୍ଭର କରେନି, ନିର୍ଭର କରେ ଯୁବ ସମାଜର ଶୌର୍ଯ୍ୟ, ସାହସ ଓ ସ୍ୱାଭିମାନ ଉପରେ। ତେଣୁ ଯୁବକମାନଙ୍କ ଆନୁପାତିକ ସଂଖ୍ୟାକୁ ନେଇ ଆକଳନ କରାଯାଏ ପ୍ରତ୍ୟେକ ଦେଶର ଶକ୍ତି ଓ ସାମର୍ଥ୍ୟ।
ଏହି ଦୃଷ୍ଟିରୁ ବିଚାର କଲେ ଯୁବ ଶକ୍ତିର ବିଶାଳ ବାହିନୀ ନେଇ ବିଶ୍ୱର ସର୍ବକନିଷ୍ଠ ଯୁବଦେଶରେ ପରିଣତ ହେବାକୁ ଯାଉଛି ଭାରତ। ଦେଶରେ ବର୍ତ୍ତମାନ ୧୫ବର୍ଷ ବୟସରୁ କମ୍‌ ବୟସ୍କ ଶିଶୁଙ୍କ ସଂଖ୍ୟା ପ୍ରାୟ ୩୦ କୋଟି। ସମୁଦାୟ ଜନସଂଖ୍ୟାର ୬୫ ଭାଗ ହେଉଛନ୍ତି ୧୮ରୁ ୩୫ ମଧ୍ୟରେ ଥିବା ଯୁବଗୋଷ୍ଠୀ। ୨୦୧୧ ଜନଗଣନା ତଥ୍ୟ ଅନୁସାରେ ୧୫-୩୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଭାରତରେ ୪୩୦ ନିୟୁତ। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ୨୦୨୦ ବେଳକୁ ଭାରତୀୟଙ୍କର ହାରାହାରି ବୟସ ହେବ ୨୯। ସେତେବେଳେ ୬୪ ପ୍ରତିଶତରେ ପହଞ୍ଚି ସାରିଥିବ ଦେଶର ‘ୱାର୍କିଂ ଏଜ୍ ପପୁଲେସନ’। ଗଣମାଧ୍ୟମରେ ପ୍ରକାଶିତ ଏକ ତଥ୍ୟ ଅନୁସାରେ ସେତେବେଳେ ଚୀନ୍‌ ଦେଶର ଲୋକଙ୍କ ହାରାହାରି ବୟସ ୩୭ ହେବାକୁ ଥିବାବେଳେ ଆମେରିକା ଓ ଜାପାନରେ ହାରାହାରି ବୟସ ଥିବ ଯଥାକ୍ରମେ ୪୫ ଓ ୪୮। ଏହି ଗାଣିତିକ ତଥ୍ୟ ଅନୁଯାୟୀ ଆଉ ମାତ୍ର ୨ବର୍ଷ ପରେ ଭାରତର ଯୁବକଯୁବତୀଙ୍କ ସଂଖ୍ୟା ଥିବ ପୃଥିବୀର ଯେକୌଣସି ଦେଶଠାରୁ ଆଗରେ। ଏହି ସମ୍ଭାବ୍ୟ ସ୍ଥିତି ଦେଶ ପାଇଁ ସୃଷ୍ଟି କରିଛି ଆଶାର ଆଲୋକ । ଏହାକୁ ଦୃଷ୍ଟିରେ ରଖି ସବୁ କଥାରେ ଯୁବଭାରତ ଓ ଶ୍ରେଷ୍ଠ ଭାରତ ଆଦି ବିଶେଷଣ ଯୋଡ଼ି ଦେଶବାସୀଙ୍କ ମନରେ ସ୍ୱପ୍ନ ବୁଣି ଚାଲିଛନ୍ତି ଆମ ଶାସନ ବ୍ୟବସ୍ଥାର ମଙ୍ଗୁଆଳମାନେ । ଏହି ପରିପ୍ରେକ୍ଷୀରେ ମନରେ ସ୍ୱତଃ ପ୍ରଶ୍ନ ଉଠେ ଯେଉଁ ଦେଶରେ ଭବିଷ୍ୟତକୁ ଆଗେଇ ନେବା ପାଇଁ ଏବେ ବି ପ୍ରସ୍ତୁତ ହୋଇ ରହିଛି ୫୪ କୋଟି ଯୁବକଯୁବତୀଙ୍କ କାନ୍ଧ, ସେ ଦେଶର ବିକାଶ ପ୍ରକ୍ରିୟା ଏତେ ମନ୍ଥର କାହିଁକି?
୨୦୧୧ ଜନଗଣନା ତଥ୍ୟ କହେ ଦେଶର ପ୍ରତି ଶହେ ଜଣରୁ ୩୨ ଜଣ ଲୋକ ଅଛନ୍ତି ଦାରିଦ୍ର୍ୟ ସୀମାରେଖା ତଳେ। ଦେଶର ୨୬ ପ୍ରତିଶତ ଲୋକ ନିରକ୍ଷର। ପୃଥିବୀର ୧୮୭ ଟି ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ତାଲିକାରେ ୧୩୪ ତମ ସ୍ଥାନରେ ରହିଛି ଭାରତ। ଏଥିରୁ ସ୍ପଷ୍ଟ ଯେ କେବଳ ‘ୱାର୍କିଂ ଏଜ ପପୁଲେସନ’ ବଢ଼ିଗଲେ ମନକୁ ମନ ଦାରିଦ୍ର୍ୟ ହଟେନି କି ବଦଳି ଯାଏନି ଦେଶର ସାମାଜିକ ଚିତ୍ର। ଯୁବଶକ୍ତିକୁ ଅର୍ଥଶକ୍ତିରେ ପରିଣତ କରିବା ପାଇଁ ଲୋଡ଼ା ଦକ୍ଷତାର ସଦୁପଯୋଗ। ଯୁବ ସମାଜର ଚିର ଆଦର୍ଶ ସ୍ୱାମୀ ବିବେକାନନ୍ଦ ତାଙ୍କ ପୁସ୍ତକ ‘ଟୁ ଦି ୟୁଥ୍‌ ଅଫ ଇଣ୍ଡିଆ’ରେ ଯୁବ ସମାଜ ପ୍ରତି ଉଲ୍ଲେଖ କରିଥବା ବିଷୟ କେବଳ ଯୁବ ସମାଜ ପାଇଁ ନୁହେଁ, ସମଗ୍ର ରାଷ୍ଟ୍ର ପାଇଁ ଅମୃତବାଣୀ। ତାଙ୍କ ମତରେ ଯୁବଶକ୍ତିର ଆଦର୍ଶ ଦିବ୍ୟାଲୋକର ଅପୂର୍ବ ସନ୍ଧାନ ଓ ସେମାନଙ୍କ ସିଦ୍ଧି ରାଷ୍ଟ୍ରର ସଂପଦ। ସେମାନଙ୍କ ଭିତରେ ଥିବା ବୌଦ୍ଧିକତା ଓ ହୃଦୟବତ୍ତାର ସମନ୍ୱୟ ହିଁ ପୂର୍ଣ୍ଣତାର ସଂକେତ। ଭାରତୀୟ ଯୁବଶକ୍ତି ପାଖରେ ଏ ପୂର୍ଣ୍ଣତାକୁ ଅନୁଭବ କରି ସେ କହିଥିଲେ- ଯୁବଶକ୍ତି ସକ୍ରିୟ ହେଲେ ଲୋପ ପାଇବ ଜାତିପ୍ରଥା, ସାଂପ୍ରଦାୟିକ ବିଦ୍ୱେଷ ଓ ଧାର୍ମିକ ଅସହିଷ୍ଣୁତା। ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହେବ ଦେଶ। ଭାରତକୁ ମିଳିବ ବିଶ୍ୱଗୁରୁର ମାନ୍ୟତା। ତେଣୁ ଦେଶ ନିର୍ମାଣ ପାଇଁ ଯୁବକଯୁବତୀ ମାନଙ୍କ ପ୍ରତି ଏହି କ୍ରାନ୍ତି ଦ୍ରଷ୍ଟା ମହାପୁରୁଷଙ୍କର ଆହ୍ୱାନ ଥିଲା- ଉଠ, ଜାଗ୍ରତ ହୁଅ ଏବଂ ନିରନ୍ତର ପ୍ରୟାସ ଦ୍ୱାରା ହାସଲ କର ଲକ୍ଷ୍ୟ।
ମାତ୍ର ଦେଶରେ ଏବେ ଯୁବଶକ୍ତିର ବାଟ ଓଗାଳି ଠିଆ ହୋଇଛି ଗୁଣାତ୍ମକ ଶିକ୍ଷାର ଅଭାବ, ଦକ୍ଷତା ବିକାଶ ଦିଗରେ ଅନଗ୍ରସରତା, ବେରୋଜଗାରି ଓ ଦୁର୍ନୀତି ଆଦି ସମସ୍ୟା। ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇ.ଏଲ.ଓ) ପକ୍ଷରୁ ନିକଟରେ ପ୍ରକାଶିତ ‘ଗ୍ଲୋବାଲ ଏମ୍ପ୍ଲୟମେଣ୍ଟ ଟ୍ରେଣ୍ଡସ ଫର ୟୁଥ’ ଶୀର୍ଷକ ରିପୋର୍ଟ ଅନୁଯାୟୀ ଭାରତ ଭଳି ବିକାଶଶୀଳ ଦେଶରେ ଯୁବକଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଲା ସୁଯୋଗର ମରୁଡ଼ି। ଏଠାରେ ଏକ ପଞ୍ଚମାଂଶ ଯୁବଶକ୍ତିର ବି ଉପଯୋଗ ହୋଇ ପାରୁନି ଏବଂ ନିକଟ ଭବିଷ୍ୟତରେ ଉପଯୋଗ ହେବାର ସମ୍ଭାବନା ମଧ୍ୟ କ୍ଷୀଣ। ସାମର୍ଥ୍ୟର ବିନିଯୋଗ ନିମନ୍ତେ ଏଠାରେ ସୁଯୋଗ ଅଭାବରୁ ଦେଶାନ୍ତର ହେଉଛି ପ୍ରତିଭା । ଆମ ଦେଶର ବହୁ ଉଚ୍ଚଶିକ୍ଷିତ ଯୁବକଯୁବତୀ ଏବେ ବିଦେଶରେ ଶରଣାର୍ଥୀ । ସେମାନଙ୍କ ଉଚ୍ଚ ଶିକ୍ଷା ପାଇଁ ଏଦେଶରୁ ଖର୍ଚ୍ଚ ହୋଇଛି ପର୍ଯ୍ୟାପ୍ତ ପୁଞ୍ଜି; ଅଥଚ ସେମାନଙ୍କ ଶିକ୍ଷାକୁ ଉପଯୋଗ କରି ଫାଇଦା ହାସଲ କରୁଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ରସମୂହ ।
ନିଯୁକ୍ତି ସୃଷ୍ଟି କରିବା ହେଉଛି ଦକ୍ଷ ଅର୍ଥନୀତି ପରିଚାଳନାର ନମୁନା। ଆମ ଦେଶରେ କିନ୍ତୁ ପାଖାପାଖି ୧କୋଟି ୨୦ ଲକ୍ଷ ଯୁବକ ଯୁବତୀ ବେକାରି ତାଲିକାଭୁକ୍ତ ହୁଅନ୍ତି ପ୍ରତିବର୍ଷ। ତେଣୁ ବେରୋଜଗାରିକୁ ସାମ୍ନା କରୁଥିବା ଭାରତୀୟ ଯୁବସମାଜ ଏବେ ମ୍ରିୟମାଣ, ଭୀତତ୍ରସ୍ତ, ଅସୁଖୀ ଓ ଅଳସୁଆ। ନୈରାଶ୍ୟ ଜର୍ଜରିତ ହୋଇ ସେମାନଙ୍କ ମଧ୍ୟରୁ ଅନେକ ବାଛି ନେଉଛନ୍ତି ଆତ୍ମହତ୍ୟାର ରାସ୍ତା । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ୨୦୦୪ରୁ ୨୦୦୮ ମଧ୍ୟରେ ଦେଶରେ ୧୬ ହଜାର ଯୁବକଯୁବତୀ ଆତ୍ମହତ୍ୟା କରିଥିବା ସ୍ଥଳେ ୨୦୧୧ ରୁ ୨୦୧୫ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇ ପହଞ୍ଚିଛି ୪୦ ହଜାର ପାଖରେ ।
ଯୁବଶକ୍ତିକୁ ରାଷ୍ଟ୍ରଶକ୍ତି ଭାବରେ ବିବେଚନା କରି ତା’ର ସୁବିନିଯୋଗ କରାଯିବା ଆବଶ୍ୟକ। ଯଦି ରାଜନୈତିକ କ୍ଷମତା ହାସଲ ପାଇଁ ସେମାନଙ୍କୁ ଢାଲ ଭାବରେ ବ୍ୟବହାର କରାଯାଏ, ତେବେ ସେମାନେ ପୁଞ୍ଜି ହେବା ପରିବର୍ତ୍ତେ ପାଲଟିଯିବେ ବୋଝ।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ

Leave A Reply