ରାଶି ଅନୁସାରେ ଦିଅନ୍ତୁ ଦୀପାବଳୀରେ ଉପହାର

ଉପହାର ଆଦାନପ୍ରଦାନରେ ସୌହାର୍ଦ୍ଦ୍ୟ ବଢେ। ଏ କ୍ଷେତ୍ରରେ ଦୀପାବଳି ଏକ ଉପଯୁକ୍ତ ଅବସର। ତେବେ ଦୀପାବଳି କେବଳ ଉପହାର ପାଇବାର ପର୍ବ ନୁହେଁ, ଏଥିରେ ଉପହାର ଦେବାକୁ ବି ପଡେ। ବେଳେବେଳେ ଉପହାର ପ୍ରଦାନ ଦ୍ୱାରା ରିଷ୍ଟ ଖଣ୍ଡନ ହେଉଥିବାର ବିଶ୍ୱାସ କରାଯାଏ। ଶାସ୍ତ୍ର ଅନୁସାରେ, ଏଥର ଦୀପାବଳିରେ ନିଜ ରାଶି ଅନୁସାରେ କିପରି ଉପହାର ଦେବେ ଏବଂ ମହାଲକ୍ଷ୍ମୀଙ୍କୁ କିପରି ପୂଜା କରିବେ ଜାଣନ୍ତୁ। ଶୁଭଫଳ ନିଶ୍ଚୟ ମିଳିବ।
ମେଷ: ମହାଲକ୍ଷ୍ମୀଙ୍କ ପୂଜାରେ ଗୁଗ୍ଗୁଳ ଧୂପ, ମହୁ, ନାଗକେଶର, ଗୁଡ ଏବଂ ଧନିଆ ମଞ୍ଜି ସହ ପଦ୍ମମଞ୍ଜି ଅର୍ପଣ କରନ୍ତୁ। ବନ୍ଧୁଙ୍କୁ କାଚ କିମ୍ବା କ୍ରିଷ୍ଟାଲରେ ତିଆରି କିଛି ଜିନିଷ ଏହି ଦୀପାବଳିରେ ଉପହାର ଦିଅନ୍ତୁ। ସମ୍ପର୍କରେ ସୃଷ୍ଟି ହୋଇଥିବା ସମସ୍ୟାରେ ସୁଧାର ଆସିବ।
ବୃଷ: ପଶ୍ଚିମ ଦିଗକୁ ମୁହଁ କରି ମହାଲକ୍ଷ୍ମୀଙ୍କ ଉପାସନା କରନ୍ତୁ। ଧନିଆ ମଞ୍ଜି, ମଲ୍ଲି ଅତର, ଗୁଗ୍ଗୁଳ ଧୂପ ସହ ଲାଲ୍ କନିଅର ଫୁଲ ମହାଲକ୍ଷ୍ମୀଙ୍କୁ ଅର୍ପଣ କରିବେ। ଏହି ରାଶିର ବ୍ୟକ୍ତି ବନ୍ଧୁବାନ୍ଧବଙ୍କୁ ମିଠା ଉପହାର ଦେବା ସହିତ ସୁନ୍ଦର ମହମବତୀ ବି ଦେଇପାରିବେ। ଜୀବନରୁ ସମସ୍ୟା ଦୂରେଇଯିବ।
ମିଥୁନ: ମହାଲକ୍ଷ୍ମୀଙ୍କ ପୂଜାରେ ପଦ୍ମଫୁଲ, ଅପରାଜିତା ଚେର, ଗୋଲାପ ଅତର, ଧଳାରାଶି ବ୍ୟବହାର କଲେ ଘରେ ଲକ୍ଷ୍ମୀକୃପା ରହିବ ଏବଂ ଖୁସିବାସିରେ ରହିପାରିବେ। ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ହେଉଛି ହଳଦିଆ ରଙ୍ଗର ଗହଣା ଓ ବାସନ। ଏସବୁ ଉପହାର ଆକାରରେ ଦେଲେ କ୍ୟାରିୟରରେ ପ୍ରଗତି ହେବା ସହ ଟେନ୍ସନରୁ ମୁକ୍ତି ମିଳିବ।
କର୍କଟ: ଶମିଗଛର ଚେର, ଧନିଆ ମଞ୍ଜି, ସନ୍ଦେଶ, ପଦ୍ମଫୁଲ, ମଲ୍ଲିଫୁଲ, ଗୁଗ୍ଗୁଳ ଧୂପ ଓ ଲାଲ୍ କନିଅରରେ ମା’ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ବୈଦ୍ୟୁତିକ ଜିନିଷ ଉପହାର ଦେବା ଆପଣଙ୍କ ପାଇଁ ଶୁଭଫଳଦାୟକ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ଏବଂ କ୍ୟାରିୟର ଉପରେ ସକାରାତ୍ମକ ପ୍ରଭାବ ପକାଇବା ନିଶ୍ଚିତ।
ସିଂହ: ଗୁଗ୍ଗୁଳ ଧୂପ, ମହୁ, ନାଗକେଶର, ଗୁଡ ଏବଂ ଧନିଆ ମଞ୍ଜି ସହ ପଦ୍ମମଞ୍ଜି ଲକ୍ଷ୍ମୀପୂଜାରେ ଅର୍ପଣ କରନ୍ତୁ। ଏହି ରାଶିର ବ୍ୟକ୍ତି ସୁଗନ୍ଧିତ ଦ୍ରବ୍ୟ ଉପହାର ଦେବା ଶୁଭପ୍ରଦ। ଏଥିସହିତ ବୈଦ୍ୟୁତିକ ଉପକରଣ ବି ଉପହାର ଦେଇପାରନ୍ତି। ଏହା ସମସ୍ତ ପ୍ରକାର ଉତ୍ଥାନ-ପତନରୁ ମୁକ୍ତ ରଖି ଏକ ସୁସ୍ଥ, ସୁନ୍ଦର ଜୀବନଯାପନର ସୁଯୋଗ ଆଣିଦେବ।
କନ୍ୟା: ଦୀପାବଳିର ମହାନିଶା ରାତ୍ରିରେ ଗୁଗ୍ଗୁଳ ଧୂପ, ଲାଲ୍ କନିଅର ଫୁଲ ମା’ ଲକ୍ଷ୍ମୀଙ୍କ ପୂଜାରେ ଅର୍ପଣ କରିବା ସହ ଶ୍ରୀସୂକ୍ତ ମନ୍ତ୍ର ପାଠ କରନ୍ତୁ। ରାଶି ଅନୁସାରେ ଫଳ ଏବଂ ମିଷ୍ଟାନ୍ନ ଉପହାର ଦେବା ସହିତ ଆର୍ଥିକ ସହାୟତା ମଧ୍ୟ କରିପାରନ୍ତି। ଏପରି କଲେ ଅଟକିଥିବା କାମ ପୂରଣ ହୋଇପାରିବ।
ତୁଳା: ମହାଲକ୍ଷ୍ମୀଙ୍କ ବୀଜମନ୍ତ୍ର ପାଠ କରିବା ସହ କନିଅର ଫୁଲ ଓ ଜଟାମାସୀ ଧୂପ ସହ ପୂଜା କରନ୍ତୁ। ଦୀପାବଳିରେ ବସ୍ତ୍ର ଉପହାର ଦେବା ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ୍ ଭଲ। ଏଥିସହିତ ଫୁଲ ଉପହାର ଦେଲେ ଆର୍ଥିକ ସମସ୍ୟା ଦୂର ହୋଇଯିବ।
ବିଛା: ମହାଲକ୍ଷ୍ମୀଙ୍କ ପୂଜାରେ ଗୋଲାପ ଫୁଲ, ଗୋଲାପ ଅତର, ଡାଳିମ୍ବ, ପଦ୍ମ ମଞ୍ଜି, ଧାନମେଣ୍ଟା ସହ ଦେଶୀ ଘିଅ ଏବଂ ଗୁଗ୍ଗୁଳ ଧୂପ ଅର୍ପଣ କରିବା ଉଚିତ। ଯଦି ଆପଣ ପ୍ରସାଧନ ସାମଗ୍ରୀ ଏବଂ ଆଭୂଷଣ ସହିତ ସୁଗନ୍ଧିତ ଦ୍ରବ୍ୟ ଉପହାର ଦିଅନ୍ତି, ତେବେ ଆଗାମୀ ସମୟରେ ଜୀବନରେ ସଂଘର୍ଷ ଆଶଙ୍କାରୁ ମୁକ୍ତ ରହିବେ।
ଧନୁ: ଧନିଆ ମଞ୍ଜି, ସନ୍ଦେଶ, ମଲ୍ଲି ଅତର, ଗୁଗ୍ଗୁଳ ଧୂପ ସହ ଲାଲ୍ କନିଅର ଅର୍ପଣ ଏବଂ ଶ୍ରୀସୂକ୍ତ ପାଠ କରି ମହାଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବନ୍ଧୁଙ୍କୁ ସାଜସଜ୍ଜାର ଜିନିଷ ଉପହାର ଦେବା ଶୁଭପ୍ରଦ। ଏହାଦ୍ୱାରା ସମସ୍ୟାରୁ ମୁକୁଳିବା ସହିତ ଦୁର୍ଘଟଣାରୁ ସୁରକ୍ଷିତ ରହିପାରିବେ।
ମକର: ଆପଣ ଲକ୍ଷ୍ମୀପୂଜାରେ ଗଙ୍ଗଶିଉଳି ଫୁଲ ଏବଂ ତା’ର ଚେର, ଗୋଲାପ ଅତର, ଡାଳିମ୍ବ, ମହୁ ଏବଂ ପଦ୍ମମଞ୍ଜି ଅର୍ପଣ କରନ୍ତୁ। ବନ୍ଧୁଙ୍କୁ ବାସନକୁସନ ସହ ଜଳ ସମ୍ପର୍କିତ କିଛି ଜିନିଷ ଉପହାର ଦେବା ଶୁଭଫଳ ଦେବ। ଚାନ୍ଦିର ବାସନ ଉପହାର ଦେଇପାରିଲେ ଖୁବ୍ ଭଲ। ଏହାଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହିତ କ୍ୟାରିଅରରେ ସୃଷ୍ଟି ହେଉଥିବା ସମସ୍ୟାରୁ ସୁରକ୍ଷିତ ରହିପାରିବେ।
କୁମ୍ଭ: ଦକ୍ଷିଣାବର୍ତ୍ତୀ ଶଙ୍ଖ ଉପରେ ଶ୍ରୀଂ ଏବଂ ହ୍ରୀଂ ଲେଖି ଅପରାଜିତା ଚେର, ଶୁଭ୍ର ବସ୍ତ୍ର, ପଦ୍ମ ଓ ମଲ୍ଲି ଫୁଲ, ଗୁଗ୍ଗୁଳ ଧୂପ ଏବଂ କଳାରାଶି ସହ ମହାଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ଫଳ, ମିଷ୍ଟାନ୍ନ ପରି ଖାଦ୍ୟପଦାର୍ଥ ବନ୍ଧୁମାନଙ୍କୁ ଉପହାର ଦେବା ଆପଣଙ୍କ ରାଶି ଲାଗି ଶୁଭଫଳ ଆଣିଦେବ। ଏହାଦ୍ୱାରା ଜୀବନରେ ଉତ୍ଥାନ-ପତନରୁ ମୁକ୍ତ ରହିବେ ଏବଂ ଆର୍ଥିକ କ୍ଷତିର ଆଶଙ୍କା ସୃଷ୍ଟି ହେବନାହିଁ।
ମୀନ: ମହାନିଶା ରାତ୍ରିରେ ଅପରାଜିତା ଚେର, ପଦ୍ମଫୁଲ, କଳାରାଶି, ମଲ୍ଲିଫୁଲ, ଗୋଲାପ ଅତର, ପଦ୍ମ ମଞ୍ଜି, ଲାଲ୍ କନିଅର ଏବଂ ଧାନମେଣ୍ଟି ନେଇ ମହାଲକ୍ଷ୍ମୀଙ୍କୁ ଧୂପଦୀପ ସହ ପୂଜା କରନ୍ତୁ। ବନ୍ଧୁମାନଙ୍କୁ ସୁଗନ୍ଧିତ ଦ୍ରବ୍ୟ ଏବଂ ଫଳ ଉପହାର ଦେଲେ ଆପଣ ପାରିବାରିକ ସମସ୍ୟାରୁ ମୁକ୍ତି ପାଇବେ।

Comments are closed.