ରୋହିତଙ୍କ ସହ ଟସ୍‍ ପକାଇବେ ଓଡ଼ିଆ କ୍ରିକେଟର ଅଂଶୁମାନ

0

କଟକ : ଚଳିତମାସ ୧୫ରୁ ୟୁଏଇରେ ଆରମ୍ଭ ହେଉଛି ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ୧୮ରେ ପ୍ରଥମ ଲିଗ୍‍ମ୍ୟାଚ୍‍ ଖେଳିବ। ଗ୍ରୁପ୍‍ ‘ଏ’ର ଏହି ମ୍ୟାଚ୍‍ରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ସହ ଟସ୍‍ ପକାଇବା ପାଇଁ ଓହ୍ଲାଇବେ ଓଡ଼ିଆ ଯୁବକ ଅଂଶୁମାନ ରଥ। ମ୍ୟାଚ୍‍ ଭାରତ ଓ ହଂକଂ ମଧ୍ୟରେ ଥିବା ବେଳେ ଅଂଶୁମାନ ହଂକଂ ଦଳର ନେତୃତ୍ୱ ନେବେ। ଆନ୍ତର୍ଜାତିକ କ୍ରିକେଟ୍‍ରେ ଏହା ପ୍ରଥମଥର ପାଇଁ ଘଟିବାକୁ ଯାଉଛି ଯେ ଭାରତୀୟ ଦଳ ବିପକ୍ଷରେ ଜଣେ ଓଡ଼ିଆ ଖେଳାଳି ପ୍ରତିପକ୍ଷ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି। ସୂଚନାଯୋଗ୍ୟ; ଏସିଆ କପ୍‍ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ବୁଧବାର ୟୁଏଇକୁ ୨ ୱିକେଟରେ ପରାସ୍ତକରି ହଂକଂ ଗ୍ରୁପ୍‍ ‘ଏ’ରେ ସ୍ଥାନପାଇଛି। ଏହି ଗ୍ରୁପ୍‍ରେ ଥିବା ଅନ୍ୟ ୨ ଦଳ ହେଲେ ଭାରତ ଓ ପାକିସ୍ତାନ। ତେଣୁ ସେପ୍ଟେମ୍ବର ୧୮ରେ ରୋହିତ ଶର୍ମାଙ୍କ ସହ ଟସ୍‍ ପକାଇବା ପୂର୍ବରୁ ୧୬ରେ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ସହ ଅଂଶୁମାନ ଟସ୍‍ ପକାଇବେ। ୨୦ ବର୍ଷ ୩୦୫ ଦିନରେ ଅଧିନାୟକ ଦାୟିତ୍ୱ ତୁଲାଇ ବିଶ୍ୱର ୨ୟ ସର୍ବକନିଷ୍ଠ ଅଧିନାୟକ ହେବେ ଅଂଶୁମାନ। ସର୍ବକନିଷ୍ଠ ଅଧିନାୟକ ଭାବେ ଆଫଗାନିସ୍ତାନର ରସିଦ୍‍ ଖାଁଙ୍କର ୧୯ ବର୍ଷ ୧୨୫ ଦିନର ରେକର୍ଡ ରହିଛି।
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ବାସିନ୍ଦା ଭବାନୀ ଶଙ୍କର ଓ ସୁଜାତା ରଥଙ୍କ ସୁପୁତ୍ର ଅଂଶୁମାନ ରଥ ୨୦୧୪ରୁ ହଂକଂ କ୍ରିକେଟ ଦଳ ପାଇଁ ଖେଳି ଆସୁଛନ୍ତି। ଏବେ ସେ ହଂକଂ ଦଳର ଅଧିନାୟକ ଅଛନ୍ତି ଏବଂ ଇନିଂସ ଓପନ୍‍ ମଧ୍ୟ କରୁଛନ୍ତି। ଭୁବନେଶ୍ୱର ସତ୍ୟନଗର ଅଞ୍ଚଳର ବାସିନ୍ଦା ଭବାନୀ ଶଙ୍କର ବ୍ୟବସାୟ ଉଦ୍ଦେଶ୍ୟରେ ୩ ଦଶନ୍ଧି ତଳେ ହଂକଂ ଚାଲି ଯାଇଥିଲେ। ସେଠାରେ ହିଁ ଅଂଶୁମାନ ଜନ୍ମଗ୍ରହଣ କରିଥିଲେ। ହଂକଂରେ ସ୍କୁଲ୍‍ରେ ପଢ଼ୁଥିବା ବେଳେ ଅଂଶୁମାନ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୨୦୦୩ରେ ଭାରତୀୟ କ୍ରିକେଟ ଦଳ ବିଶ୍ୱକପ୍‍ ଫାଇନାଲରେ ପହଞ୍ଚିବା ପରେ କ୍ରିକେଟ ପ୍ରତି ଅଂଶୁମାନଙ୍କ ମୋହ ଆହୁରି ବଢ଼ିଥିଲା। ପ୍ରଥମେ ଜଣେ ବ୍ୟାଟ୍‍ସମ୍ୟାନ୍‍ ଓ ୱିକେଟ ରକ୍ଷକ ଭାବେ ଅଂଶୁମାନ କ୍ଲବ୍‍ କ୍ରିକେଟ ଖେଳୁଥିଲେ। କ୍ରିକେଟ୍‍ରେ ଉନ୍ନତି ପାଇଁ ଅଂଶୁମାନ ୨୦୧୨ରେ ଅଷ୍ଟ୍ରେଲିଆର ପର୍ଥରେ ତାଲିମ ନେଇଥିଲେ ଏବଂ ପରେ ଇଂଲଣ୍ଡର ହାରୋ ସ୍କୁଲ୍‍ରେ ପଢ଼ିବା ବେଳେ କ୍ରିକେଟ ଅଭ୍ୟାସ କରି ଚାଲିଥିଲେ। ପରେ ହଂକଂ ଆନ୍ତର୍ଜାତିକ କ୍ରିକେଟ ଖେଳିବା ଆରମ୍ଭ କରିବା ବେଳେ ୨୦୧୪ରେ ସେ ଜୀବନର ପ୍ରଥମ ଦିନିକିଆ ମ୍ୟାଚ୍‍ ଖେଳିଥିଲେ। ପାପୁଆ ନ୍ୟୁ ଗିନି ବିପକ୍ଷରେ ଏହି ମ୍ୟାଚ୍‍ରେ ଅଂଶୁମାନ ୨୨ ରନ୍‍ କରିଥିଲେ। ପରେ ୨୦୧୬ ଟ୍ୱେଣ୍ଟି୨୦ ବିଶ୍ୱକପରେ ଅଂଶୁମାନ ଉପଅଧିନାୟକ ଦାୟିତ୍ୱ ତୁଲାଇôଥଲେ। ଅଂଶୁମାନ ଇଂଲଣ୍ଡର ମିଡ୍‍ଲସେକ୍ସ କାଉଣ୍ଟି ପକ୍ଷରୁ ୧୭ ବର୍ଷରୁ କମ୍‍, ୧୯ ବର୍ଷରୁ କମ୍‍ କ୍ରିକେଟ ଖେଳିଛନ୍ତି। ଭୁବନେଶ୍ୱର ଆସିଥିବା ଅଂଶୁମାନଙ୍କ ବାପା ଭବାନୀ ଶଙ୍କର କୁହନ୍ତି, ମାତ୍ର ୬ ବର୍ଷ ବୟସରେ ଅଂଶୁମାନ କ୍ରିକେଟ ଖେଳ ଆରମ୍ଭ କରିଥିଲେ। ବିଶ୍ୱର ଶ୍ରେଷ୍ଠ ୫୦ ଯୁବ କ୍ରିକେଟରଙ୍କ ମଧ୍ୟରେ ଅଂଶୁମାନ ସ୍ଥାନ ପାଇଥିବା ନେଇ ଚଳିତବର୍ଷ ୱିଜ୍‍ଡେନ ପତ୍ରିକାରେ ପ୍ରକାଶ ପାଇଥିଲା। ଅଂଶୁମାନଙ୍କ ନେତୃତ୍ୱରେ ହଂକଂ ଏସିଆ କପ୍‍ ଲାଗି ଯୋଗ୍ୟତା ହାସଲ କରିବା ନେଇ ବହୁତ ଖୁସି ଲାଗୁଛି। ସାଥୀ ଖେଳାଳି ତାଙ୍କୁ ‘ଆଂଶି’ ବୋଲି ଡାକିଥାଆନ୍ତି। ଅଦ୍ୟାବଧି ୨୧ ବର୍ଷ ବୟସ୍କ ଅଂଶୁମାନ ହଂକଂ ପାଇଁ ୧୬ଟି ଦିନିକିଆ ମ୍ୟାଚ୍‍ ଖେଳି ୬ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ସହ ୭୩୬ ରନ୍‍ କରିଛନ୍ତି। ଅଂଶୁମାନ ହେଉଛନ୍ତି ହଂକଂର ଅନ୍ୟତମ ସଫଳ ବ୍ୟାଟ୍‍ସମ୍ୟାନ୍‍। ସେ ୨୦ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ରୁ ୭୩୬ ରନ୍‍ କରିଛନ୍ତି। ପୁଣି ବାମହାତି ସ୍ପିନ୍‍ ବୋଲିଂକରି ଅଂଶୁମାନ ୧୯ଟି ଆନ୍ତର୍ଜାତିକ ୱିକେଟ ନେଇଛନ୍ତି। ମଝିରେ ମଝିରେ ଛୁଟିକାଟିବା ପାଇଁ ଅଂଶୁମାନ ଓଡ଼ିଶା ଆସିଥାଆନ୍ତି ଏବଂ ଓଡ଼ିଶାର ଖାଦ୍ୟ ତାଙ୍କର ବହୁତ ପସନ୍ଦ ବୋଲି କହନ୍ତି। ହଂକଂରେ ଜନ୍ମନେଇ ସେଠାରେ ବଢ଼ିଥିଲେ ମଧ୍ୟ ଅଂଶୁମାନ ସ୍ପଷ୍ଟ ଓଡ଼ିଆ କହିପାରନ୍ତି। ଏବେ ଦେଖିବାକୁ ବାକିରହିଲା; ଆସନ୍ତା ୧୮ରେ ଏସିଆ କପ୍‍ରେ ଭାରତ ବିପକ୍ଷରେ ଅଂଶୁମାନ କିପରି ପ୍ରଦର୍ଶନ କରୁଛନ୍ତି।

Leave A Reply