ହକି ରୌପ୍ୟ ପଦକ ଜିତି ଗାଁକୁ ଫେରିଲେ ୪ ଓଡ଼ିଆ

0

ରାଉରକେଲା : ଜାକର୍ତ୍ତାରେ ଭାରତୀୟ ମହିଳା ହକି ଦଳ ରୌପ୍ୟପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବାବେଳେ ଏହି ଦଳର ୪ ସଦସ୍ୟା ତଥା ସୁନ୍ଦରଗଡ଼ ମାଟିର ଝିଅ ଲିଲିମା ମିଞ୍ଜ୍‍, ନମିତା ଟପ୍ପୋ, ସୁନୀତା ଲାକ୍ରା, ଦୀପଗ୍ରେସ ଏକ୍କା ଗୁରୁବାର ନିଜ ଗାଁ ମାଟିକୁ ଫେରିଛନ୍ତି। ଆନ୍ତର୍ଜାତିକ ହକି ପ୍ରଶିକ୍ଷକ ଷ୍ଟାଲିନ ଭିକ୍ଟର ମିଞ୍ଜ୍‍ଙ୍କ ସହିତ ଦିଲ୍ଲୀରୁ ବିମାନ ଯୋଗେ ଏହି ଖେଳାଳିମାନେ ରାଞ୍ଚିରେ ପହଞ୍ଚିଥିଲେ। ସେଠାରୁ ଧାନବାଦ-ଆଲେପି ଏକ୍ସପ୍ରେସ ଯୋଗେ ରାଉରକେଲା ଆସିଥିଲେ। ତେବେ ଦୀପଗ୍ରେସ ଏକ୍କା ରାଞ୍ଚି ଷ୍ଟେସନରେ ଓହ୍ଲାଇ ସିମଡେଗା ଦେଇ ସୁନ୍ଦରଗଡ଼ ଅଭିମୁଖେ ଯାଇଥିବା ବେଳେ ଅନ୍ୟ ୩ ଜଣ ଖେଳାଳୀ ଲିଲିମା ମିଞ୍ଜ୍‍, ନମିତା ଟପ୍ପୋ, ସୁନୀତା ଲାକ୍ରା ସନ୍ଧ୍ୟା ୬ଟା ୩୦ରେ ରାଉରକେଲା ରେଳଷ୍ଟସନରେ ପହଞ୍ଚିଥିଲେ। ରେଳଷ୍ଟେସନରେ ଏହି ୩ଜଣ ଖେଳାଳୀଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରଶାସନ, ହକି ପ୍ରଶିକ୍ଷକ, ବିଭିନ୍ନ ସଙ୍ଗଠନର ପ୍ରତିନିଧି ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ଏମ୍ମା ଏକ୍କା, ଆରଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ପାନପୋଷ ଉପଜିଲାପାଳ ବିଶ୍ୱଜିତ ମହାପାତ୍ର, ଆସିଷ୍ଟାଣ୍ଟ କଲେକ୍ଟର ସୁଶାନ୍ତ କୁମାର ବେହେରା, ଜିଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ପାନପୋଷ ସ୍ପୋର୍ଟସ ହଷ୍ଟେଲର ଭାରପ୍ରାପ୍ତ ପ୍ରଶିକ୍ଷକ ପିଟର ବିଲୁଙ୍ଗ, ଜାତୀୟ ଓ ଆନ୍ତର୍ଜାତିକ ହକି ପ୍ରଶିକ୍ଷକ ଅମୂଲ୍ୟାନନ୍ଦ ବିହାରୀ, ସିଲଭଷ୍ଟର ଟପ୍ପୋ, ଜେମସ କୁଜୁର, ପିଟର ସୋରେନ, ବି.ଲାକ୍ରା, ବି.କେରକେଟା, ପିଟର ଖେସ୍‍, ପାନପୋଷ ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ସୁଶାନ୍ତ ବେହେରା, କଳିଙ୍ଗସ୍ପୋର୍ଟସ ଫେଡେରେସନ ପକ୍ଷରୁ ସଂଜୟ ବବୁଟା, ଇଣ୍ଟରସିଟି ଗୋଲ୍ଡ କପ ହକି ଟୁର୍ଣ୍ଣାମେଣ୍ଟ କମିଟିର କର୍ମକର୍ତ୍ତା, ରାଉରକେଲା ସ୍ପୋର୍ଟସ ହଷ୍ଟେଲର ଅନ୍ତେବାସୀ ଖେଳାଳି, ଯଶବିନ୍ଦର ସିଂ ଗୋଲ୍‍ଡି, ପ୍ରବୀଣ ଗର୍ଗ, ପ୍ରକାଶ ମହାନ୍ତି, ସନ୍ଧ୍ୟା ଲାକ୍ରା, ଜ୍ୟୋସ୍ନା ନାୟକ, ଡି.ଅଭିକ କୁମାର, ରାକେଶ ସିନ୍ଦ୍ରିୟା, ବିଶୁ ଦେ, ଦୁଷ୍ମନ୍ତ ରାଉତରାୟ, ସୁଶାନ୍ତ ରାଉତ, ସୁନୀଲ ବରୁଆ, ରାଜଲକ୍ଷ୍ମୀ ଦାସ, ଲକ୍ଷ୍ମୀ ସିଂ ପ୍ରମୁଖ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ଏହି ଖେଳାଳୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ଗତକାଲି ଉକ୍ତ ୪ଜଣ ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇଥିବାବେଳେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଥିଲେ।

Leave A Reply