ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ୮ ମୃତ, ୩୩ ନିଖୋଜ

0

ଟୋକିଓ : ଜାପାନର ହୋକାଇଡୋ ଦ୍ୱୀପରେ ଗୁରୁବାର ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୭ ରେକର୍ଡ କରାଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ତୋମାକୋମାଇ ସହରର ୪୦ କିଲୋମିଟର ଭୂଗର୍ଭ ତଳେ ବୋଲି ଚିହ୍ନଟ କରାଯାଇଛି। ଭୂମିକମ୍ପ ପରେ ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ହୋଇଛି ଓ ଗଛ ଉପୁଡ଼ି ପଡ଼ିଛି। କେତେକ ଘର ଭୁଶୁଡ଼ି ମାଟିରେ ମିଶିଯାଇଛି। ଭୂମିକମ୍ପରେ ୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୦୦ ଲୋକ ଆହତ ହୋଇଛନ୍ତି। ବିଭିନ୍ନ ସ୍ଥାନରୁ ୩୩ ଜଣ ନିଖୋଜ ଅଛନ୍ତି। ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି। ଭୂମିକମ୍ପ ପ୍ରଭାବରେ ଗଛ ଉପୁଡ଼ି ପଡ଼ିବା, ପାୱାର ଷ୍ଟେସନ୍‍ କ୍ଷତିଗ୍ରସ୍ତ ହେବା ଓ ଭୂସ୍ଖଳନ ଯୋଗୁଁ ପ୍ରାୟ ୫୦ ଲକ୍ଷ ଘରର ବିଦ୍ୟୁତ୍‍ ସରବରାହ ବିଚ୍ଛିନ୍ନ ହୋଇଯାଇଛି ବୋଲି ଜାପାନ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ୨୫,୦୦୦ ଆତ୍ମରକ୍ଷା ବାହିନୀଙ୍କୁ ମୁତୟନ କରାଯାଇଛି। ହୋକାଇଡୋରୁ ଅନ୍ୟ ଅଞ୍ଚଳକୁ ଚଳାଚଳ କରୁଥିବା ବୁଲେଟ୍‍ ଟ୍ରେନ୍‍ ସେବାକୁ ବାତିଲ କରିଦିଆଯାଇଛି। ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ବିଭାଗ ଅନୁସାରେ ଗୁରୁବାର ଭୋର ୩ଟା ୮ ମିନିଟ୍‍ରେ ୬.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ପ୍ରଭାବରେ ଜାପାନରେ ସୁନାମୀ ଆସିପାରେ ବୋଲି ଚେତାବନୀ ଦେଇଛି। ଫଳରେ ଜାପାନ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। ଜାପାନରେ ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ ଝଡ଼ ‘ଜେବି’ ତାଣ୍ଡବ ରଚିବାର ଗୋଟିଏ ଦିନ ପରେ ଭୂମିକମ୍ପ ବୋଝ ଉପରେ ଲଳିତାବିଡ଼ା ପରି ହୋଇଛି।

Leave A Reply