ଆସଦଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ଟ୍ରମ୍ପ

0

ୱାଶିଂଟନ : ସିରିଆରେ ରାସାୟନିକ ଆକ୍ରମଣ ପରେ ସେଠାକାର ରାଷ୍ଟ୍ରପତି ବସାର ଅଲ୍‍ ଆସଦଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହତ୍ୟା କରିବାକୁ ଚାହୁଁଥିଲେ; କିନ୍ତୁ ଆମେରିକା ପ୍ରତିରକ୍ଷା ସଚିବ ଜିମ୍‍ ମାଟିସ୍‍ ତାଙ୍କର ଏହି ଅନୁରୋଧକୁ ଅଣଦେଖା କରିଯାଇଥିଲେ। ଯାହାଫଳରେ ଆସାଦଙ୍କ ଉପରୁ ବିପଦ ଟଳି ଯାଇଥିଲା। ‘ୱାଟରଗେଟ୍‍’ ସାମ୍ବାଦିକ ବବ୍‍ ୱଡୱାର୍ଡ ତାଙ୍କ ଲିଖିତ ପୁସ୍ତକ ‘ଫିଅର: ଟ୍ରମ୍ପ ଇନ୍‍ ଦି ହ୍ୱାଇଟ ହାଉସ’ ଶୀର୍ଷକ ପୁସ୍ତକରେ ଏହା ଉଲ୍ଲେଖ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କ ନୀତିନିଷ୍ପତ୍ତି ଏବଂ ପଦକ୍ଷେପ ଅତ୍ୟନ୍ତ ବିନାଶକାରୀ ଏବଂ ଭୟଙ୍କର ବୋଲି ବିବେଚନା କରି ତାହାକୁ ତାଙ୍କର କେତେକ ସହଯୋଗୀ ପାଳନ କରି ନ ଥିବା ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି। ଆସଦଙ୍କ ହତ୍ୟା ଅନୁରୋଧ ଟ୍ରମ୍ପଙ୍କର କିଛି ବେପରୁଆ ନିଷ୍ପତ୍ତି ମଧ୍ୟରୁ ଅନ୍ୟତମ। ପୁସ୍ତକଟି ସେପ୍ଟେମ୍ବର ୧୧ରେ ଉନ୍ମୋଚିତ ହେବ। ଏଥିରେ ଟ୍ରମ୍ପଙ୍କ ୨୦ ମାସର ଶାସନ କାଳ ମଧ୍ୟରେ ହ୍ୱାଇଟ ହାଉସରେ ଲାଗି ରହିଥିବା ସମସ୍ୟା ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ଟ୍ରମ୍ପଙ୍କୁ ଜଣେ ବେପରୱା ନିଷ୍ପତ୍ତି ନିର୍ଦ୍ଧାରକ ଭାବେ ଦର୍ଶାଯିବା ସହ ତାଙ୍କ ନିଷ୍ପତ୍ତି ଦ୍ୱାରା ହ୍ୱାଇଟ ହାଉସର ପ୍ରଶାସନିକ ବ୍ୟବସ୍ଥା କିଭଳି ବାଧାପ୍ରାପ୍ତ ହୋଇଛି ତାହା ପୁସ୍ତକଟିରେ ଉଲ୍ଲେଖ ରହିଛି।

Leave A Reply