ପ୍ରେସ୍‍ ସ୍ୱାଧୀନତା : ୧୩୮ ନମ୍ବର ସ୍ଥାନକୁ ଖସିଲା ଭାରତ

0

ନୂଆଦିଲ୍ଲୀ : ବେଙ୍ଗାଲୁରୁଠାରେ ବରିଷ୍ଠ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ହତ୍ୟା ଘଟଣା ପରେ ଦେଶରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ପ୍ରେସ୍‍ ସ୍ୱାଧୀନତା ତାଲିକାରେ ଭାରତର ସ୍ଥାନ ତଳକୁ ଖସିଛି। ୨୦୧୭ରେ ବିଶ୍ୱରେ ପ୍ରେସ୍‍ ସ୍ୱାଧୀନତା ତାଲିକାରେ ଭାରତ ସ୍ଥାନ ୧୩୬ ନମ୍ବରରେ ଥିଲା। ତେବେ ୨୦୧୮ରେ ଏହା ତଳକୁ ଖସି ୧୩୮ ନମ୍ବର ସ୍ଥାନରେ ରହିଛି। ଏହି ଦୃଷ୍ଟି କୋଣରୁ ଭାରତ ଏବେ ସାମ୍ବାଦିକଙ୍କ ପାଇଁ ସବୁଠାରୁ ବେଶୀ ବିପଦପୂର୍ଣ୍ଣ ରାଷ୍ଟ୍ର ପାଲଟିଛି ବୋଲି ବିଶ୍ୱସ୍ତରରେ ବାକ୍‍ ସ୍ୱାଧୀନତା ସମ୍ପର୍କିତ ବାର୍ଷିକ ରିପୋର୍ଟରେ ‘ରିପୋର୍ଟସ ୱିଦାଉଟ ବଡର୍ସ’ ଭାରତରେ ସାମ୍ବାଦିକଙ୍କ ସ୍ୱାଧୀନତା ବିଷୟ ଉଲ୍ଲେଖ କରି ପ୍ରକାଶ କରିଛି। ଗତ ୪ ବର୍ଷ ମଧ୍ୟରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ନେଇ ୧୪୦ ଜଣ ଲୋକଙ୍କ ବିରୋଧରେ ୨୦୦ରୁ ଊର୍ଦ୍ଧ୍ବ ମାମଲା ରୁଜୁ ହୋଇଥିବା ୨୦୧୮ ଫେବୃଆରୀରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସଂସଦକୁ ସୂଚନା ଦେଇଥିଲା। ୨୦୧୮ ଜୁନ୍‍ ୧୪ରେ ଜାମ୍ମୁ-କାଶ୍ମୀରଠାରେ ‘ରାଇଜିଂ କାଶ୍ମୀର’ର ସମ୍ପାଦକ ସୁଜାତ ବୁଖାରୀଙ୍କୁ ଆତଙ୍କବାଦୀଙ୍କ ହତ୍ୟା, ମଧ୍ୟପ୍ରଦେଶରେ ସାମ୍ବାଦିକ ସନ୍ଦୀପ ଶର୍ମାଙ୍କୁ ଏକ ଟ୍ରକ୍‍ ଦଳିଦେବା, ବିହାରରେ ‘ଦୈନିକ ଭାସ୍କର’ର ସାମ୍ବାଦିକ ନବୀନ ନିଶ୍ଚଲ ଏବଂ ବିଜୟ ସିଂହ ଏକ ଏସ୍‍ୟୁଭି ଧକ୍କାରେ ପ୍ରାଣ ହରାଇବା, ଆସାମ ପୁଲିସ ମହିଳା ସାମ୍ବାଦିକ ଏମି କି ଲାବେଇଙ୍କୁ ନିସ୍ତୁକ ମାଡ଼ ମାରିବା ଏବଂ ଗାଜିଆବାଦରେ ଟିଭି ସାମ୍ବାଦିକା ଅଞ୍ଜୁ ଚୌଧୁରୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ଦେଶରେ ଚହଳ ସୃଷ୍ଟି କରିଥିଲା।

Leave A Reply