ବଡ଼ମ୍ବା : ଅନ୍ତେବାସୀ କରୋନା ପୀଡ଼ିତ,ଚିକିତ୍ସା ସେବା ଯୋଗାଉଥିବା ଡାକ୍ତରୀ ଏବଂ ସେବିକା ଦଳ,ନିୟୋଜିତ କର୍ମଚାରୀ ତଥା ସ୍ଥାନୀୟ ସଚେତନ ନାଗରିକଙ୍କ ଉପସ୍ଥିତିରେ ବଡ଼ମ୍ବାସ୍ଥିତ କୋଭିଡ ଯତ୍ନ କେନ୍ଦ୍ରରେ ଶତାଧିକ ବ୍ୟକ୍ତିଙ୍କୁ କରୋନା ମୁକାବିଲା ଦିଗରେ ଫଳପ୍ରଦ ହେଉଥିବା ଆୟୁର୍ବେଦ ଔଷଧ ବଣ୍ଟନ କରାଯାଇଛି। ଉକ୍ତ ଯତ୍ନକେନ୍ଦ୍ରର ମୁଖ୍ୟଚିକିତ୍ସାଧିକାରୀ ଡାକ୍ତର ଉଦୟରଞ୍ଜନ ମଲ୍ଲିକଙ୍କ ସୂଚନାନୁଯାଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚିକିତ୍ସାଧିନ ଥିବା ୫୪ଜଣ ଅନ୍ତେବାସୀ କରୋନା ପୀଡ଼ିତ,୫୭ଜଣ କର୍ମଚାରୀ ଏବଂ ପ୍ରାୟ ୩ଶହ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କୁ ଭାରତୀୟ ମାଗଣା ଆୟୁବେଦ ଔଷଧ ଥଳି ବଣ୍ଟନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ କଟକ ଜିଲା ମୁଖ୍ୟଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଆୟୁଷ ଚିକିତ୍ସାଧିକାରୀ ଡାକ୍ତର ଶୁଭକାନ୍ତ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ପାକୃତିକ ଔଷଧୀୟ ବୃକ୍ଷରାଜିରୁ ପ୍ରସ୍ତୁତ ପଥି କିଭଳି କରୋନା ରୋଗ ନିୟନ୍ତ୍ରଣରେ ସହାୟକ ହେଉଛି ସେ ଉପରେ ଜନସଚେତନ କରାଇଥିଲେ। ବଡ଼ମ୍ବା କୋଭିଡ ଯତ୍ନକେନ୍ଦ୍ରରେ ଅନ୍ୟତମ ଚିକିତ୍ସକ ଭାବେ କାର୍ଯ୍ୟରତ ଡାକ୍ତର ଉଦୟରଞ୍ଜନ ଦାଶ ଏବଂ ଡାକ୍ତର ଆଶୁତୋଷ ପଲାଇ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଆୟୁଷ ଡାକ୍ତର ଶ୍ରୀ ପଲାଇଙ୍କ ସୂଚନାନୁଯାଇ ବଣ୍ଟନ କରାଯାଇଥିବା ଏହି ମାଗଣା ଔଷଧ ଥଳିରେ କରୋନା ନିୟନ୍ତ୍ରଣ ତଥା ଉପଷମ ପାଇଁ ମୁଖ୍ୟତଃ ଗୁଳୁଚି(ଜ୍ୱର ଓ ସଂକ୍ରମଣ ନିୟନ୍ତ୍ରଣ ନିମିତ),ଅଶ୍ୱଗନ୍ଧା(ଶରିର କଷ୍ଟ ଓ ଚାପମୁକ୍ତ ନିମିତ),ତ୍ରିଫଳାଚୂର୍ଣ୍ଣ ବଟିକା(ଆଣ୍ଟି ଅକ୍ସିଡାଣ୍ଟଣ୍ଟ ବା ଶରିରଦହନ ପ୍ରତିରୋଧକ) ସମେତ ଇମୁନିସିଙ୍କ (ରୋଗପ୍ରତିରୋଧକ ଶକ୍ତିବର୍ଦ୍ଧକ) ଏହିଭଳି ଚାରିପ୍ରକାର ଆୟୁର୍ବେଦ ଔଷଧ ରହିଥିବା ପ୍ରକାଶ। ସାଧାରଣ ଭେଷଜ ଚିକିତ୍ସା ବ୍ୟତିରକେ ଆମର ଏହି ପ୍ରାକୃତିକ ଉତ୍ସରୁ ପ୍ରସ୍ତୁତ ତଥା ପାରମ୍ପରିକ ବ୍ୟବହୃତ ଆୟୁର୍ବେଦ ଔଷଧ ସେବନ କରୋନା ନିୟନ୍ତ୍ରଣ ଦିଗରେ ସହାୟକ ହେବ ବୋଲି ଏହି ଅବସରରେ ଉପସ୍ଥିତ ଆୟୁଷ ଡାକ୍ତରମାନେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସ୍ୱାସ୍ଥ୍ୟ ବିଭାଗର ବ୍ଲକ ବିପିଏମ ରଶ୍ମିରଞ୍ଜନ ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ।
କରୋନା ମୁକାବିଲା ଦିଗରେ ଆୟୁର୍ବେଦ ଔଷଧ ସେବନ ଉପରେ ସଚେତନତା
Popular Categories



