‘୫-‘ଟି’ ଏବଂ ‘ମୋ ସରକାର’ କାର୍ଯ୍ୟକ୍ରମରେ ଧାନକିଣା ପ୍ରକ୍ରିୟାରେ ଟେକ୍‌ନୋଲୋଜିର ବ୍ୟବହାର କରି ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି’

ସୋସିଆଲ୍‌ ମେଡିଆରେ ଯୋଗାଣ ମନ୍ତ୍ରୀଙ୍କ ଚାଷୀଙ୍କ ସହ ଲାଇଭ୍‌ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

  • ୨୧ ପ୍ରତିଶତ ଅଧିକ ଚାଷୀ ପଂଜୀକରଣ
  • ପି-ପାସ୍‌ ଓ ଆଗୁଆ ଟୋକେନ୍‌ ବ୍ୟବସ୍ଥା ଉପରେ
  • ଚାଷୀମାନଙ୍କର ବିଶ୍ୱସନୀୟତା ପ୍ରମାଣ କରୁଛି
  • ଗତବର୍ଷ ତୁଳନାରେ ଚଳିତ ଖରିଫ୍‌ରେ ଆଜି ତାରିଖ ସୁଦ୍ଧା ୨୩ ପ୍ରତିଶତ ଅଧିକ ଧାନସଂଗ୍ରହ
  • ଅଦ୍ୟାବଧି ୧୫ ଲକ୍ଷ ୨୬ ହଜାର ୭୦୧ ମେଟି୍ର୍ରକ୍‌ ଟନ୍‌ ଧାନସଂଗ୍ରହ

ଭୁବନେଶ୍ୱର: କୃଷକମାନଙ୍କ ଉତ୍ପାଦିତ ଧାନକୁ କ୍ରୟ କରି ସେମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଧାନ କିଣା ପ୍ରକ୍ରିୟାକୁ ବ୍ୟବସ୍ଥିତ ତଥା ସରଳୀକରଣ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରବର୍ତ୍ତିତ ୫-‘ଟି’ ଏବଂ ‘ମୋ ସରକାର’ କାର୍ଯ୍ୟକ୍ରମରେ ଧାନକିଣା ପ୍ରକ୍ରିୟାରେ ଟେକ୍‌ନୋଲୋଜିର ବ୍ୟବହାର କରି ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି। ରାଜ୍ୟ ସରକାରଙ୍କ ପି-ପାସ୍‌ ଓ ଆଗୁଆ ଟୋକେନ୍‌ ବ୍ୟବସ୍ଥା ସାରା ଦେଶରେ ଉଚ୍ଚ ପ୍ରଶଂସିତ ହୋଇପାରିଛି। ରାଜ୍ୟର ଚାଷୀମାନଙ୍କଠାରୁ ସରକାରୀ ଘୋଷିତ ଦରରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଓ ନିର୍ଦ୍ଧାରିତ ଅମଳ ହାରରେ ସମସ୍ତ ବିକି୍ରଯୋଗ୍ୟ ଧାନ କ୍ରୟ କରି ୨୪ରୁ ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପ୍ରଦାନ ଓ କୌଣସି ଅଭିଯୋଗ ଆସିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।
ଚାଷୀମାନଙ୍କ ସହିତ ସିଧାସଳଖ ସଂପର୍କ ସ୍ଥାପନ ନିମନ୍ତେ ଓ ଧାନକିଣା ସଂପର୍କରେ ଯଦି କିଛି ସମସ୍ୟା ଉପୁଜୁଛି ତେବେ ତା’ର ସମାଧାନ ପାଇଁ ଆଜି ଅପରାହ୍ଣରେ ଏକ ଫେସ୍‌ବୁକ୍‌ ଲାଇଭ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ଚାଷୀମାନଙ୍କର ବିଭିନ୍ନ ପ୍ରଶ୍ନର ସିଧାସଳଖ ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ପି-ପାସ୍‌ ଆଧାରିତ କମ୍ପୁଟରକୃତ ପ୍ରକ୍ରି୍ରୟା ମନୁଷ୍ୟକୃତ ହସ୍ତକ୍ଷେପରୁ ମୁକ୍ତ କରି ଧାନକ୍ରୟ ପ୍ରକ୍ରିୟାକୁ ସହଜ, ସରଳ ଓ ସ୍ୱଚ୍ଛ କରିଛି। ଏହା ଫଳରେ ଗତବର୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଧାନସଂଗ୍ରହରେ ଅଂଶଗ୍ରହଣ ୨୯ ପ୍ରତିଶତ ବୃଦ୍ଧି ପାଇଛି। ଏସ୍‌ଏମ୍‌ଏସ୍‌ ଜରିଆରେ ପଂଜୀକୃତ ଚାଷୀଙ୍କ ମୋବାଇଲ୍‌କୁ ଧାନ କ୍ରୟର ତାରିଖ ଓ ପରିମାଣ ସମ୍ବନ୍ଧରେ ଆଗୁଆ ସୂଚନା ପ୍ରଦାନ କରାଯାଉଛି। ଧାନ ବିକ୍ରୟ ସମୟରେ ଆଧାର ମାଧ୍ୟମରେ ପଞ୍ଜୀକୃତ ଚାଷୀଙ୍କ ବାୟୋମେଟି୍ରକ୍‌ ଚିହ୍ନଟୀକରଣ ପ୍ରକ୍ରିୟା ଅବଲମ୍ବନ କରାଯାଇଛି। ବିଭିନ୍ନ ପ୍ୟାକ୍ସ, ଲ୍ୟାମ୍ପସ୍‌, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପାଣି ପଞ୍ଚାୟତ ମାଧ୍ୟମରେ ଧାନସଂଗ୍ରହ କରାଯାଉଛି। ଧାନକିଣାକୁ ସ୍ୱଚ୍ଛ ଓ କ୍ରିୟାଶୀଳ କରିବା ପାଇଁ ପ୍ୟାକ୍ସ, ଲ୍ୟାମ୍ପସ୍‌ର ଶତପ୍ରତିଶତ କମ୍ପୁଟରୀକରଣ କରାଯାଉଛି ଏବଂ ଅସାଧୁ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଏଥି ସହିତ ଧାନ ସଂଗ୍ରହ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲା ଦାୟିତ୍ୱରେ ରଖାଯାଇଛି।

prayash

ପ୍ରଦାନ କରାଯାଉଥିବା ଟୋକେନ୍‌ରେ ଉଲ୍ଲିଖିତ କ୍ରୟ ତାରିଖରେ ଚାଷୀ କୌଣସି କାରଣରୁ ମଣ୍ଡିକୁ ଧାନ ଆଣି ନପାରିଲେ ପରବର୍ତ୍ତୀ ଏକ ମାସ ମଧ୍ୟରେ ଧାନ ବିକି୍ର କରିବା ପାଇଁ ମଧ୍ୟ ସୁଯୋଗ ପ୍ରଦାନ କରାଯାଉଛି। ଜଳସେଚିତ ଜମିରୁ ଏକର ପ୍ରତି ୧୯ କ୍ୱିଣ୍ଟାଲ୍‌ ଏବଂ ଅଣଜଳସେଚିତ ଜମିରୁ ଏକର ପ୍ରତି ୧୩ କ୍ୱିଣ୍ଟାଲ୍‌ ହିସାବରେ ଖରିଫ ଧାନ କ୍ରୟ କରାଯାଉଛି । ଧାନ କ୍ରୟ ଦିବସର ୭ ଦିନ ପୂର୍ବରୁ ଚାଷୀମାନଙ୍କୁ କ୍ରୟ ତାରିଖ ଓ ପରିମାଣ ସଂପର୍କୀୟ ଟୋକେନ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଜଣାଇ ଦିଆଯାଉଛି।ଯେଉଁ ଚାଷୀମାନଙ୍କ ନିକଟକୁ ଟୋକେନ୍‌ ଯାଇ ପାରୁନାହିଁ, ତା’ର କାରଣ ମଧ୍ୟ ସେମାନଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଜଣାଇ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଥିଲେ।

ପି-ପାସ୍‌ ଓ ଟୋକେନ୍‌ ବ୍ୟବସ୍ଥାରେ ଚଳିତ ଖରିଫ୍‌ରେ ସରକାରଙ୍କୁ ଧାନ ବିକି୍ର କରିବା ପାଇଁ ୧୪ ଲକ୍ଷ ୯୯ ହଜାର ୬୬୧ ଜଣ ଚାଷୀ ନାମ ପଂଜୀକୃତ କରିଛନ୍ତି, ଯାହାକି ଗତ ଖରିଫ୍‌ ତୁଳନାରେ ୨୧ ପ୍ରତିଶତ ଅଧିକ। ଏହା ସରକାରୀ ବ୍ୟବସ୍ଥା ଉପରେ ଚାଷୀମାନଙ୍କ ବିଶ୍ୱସନୀୟତା ପ୍ରମାଣ କରୁଛି ବୋଲି ମନ୍ତ୍ରୀ କହିଥିଲେ। ଅଦ୍ୟାବଧି ୨୬ଟି ଜିଲ୍ଲାର ୧୩ ଲକ୍ଷ ୧୯ ହଜାର ୩୪୨ ଜଣ ଯୋଗ୍ୟ ଚାଷୀଙ୍କ ମଧ୍ୟରୁ ୧୨ ଲକ୍ଷ ୪୮ ହଜାର ୧୬୧ ଜଣ ଚାଷୀଙ୍କୁ ଟୋକେନ୍‌ ପ୍ରଦାନ କରାଯାଇଛି, ଯାହାକି ଶତକଡ଼ା ୯୫ ପ୍ରତିଶତ ଅଟେ। ବାକି ଚାଷୀଙ୍କୁ ମଧ୍ୟ ଠିକ୍‌ ସମୟରେ ଟୋକେନ୍‌ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଏଥି ସହିତ ଚଳିତ ଖରିଫ୍‌ ବର୍ଷ ୨୦୨୦-୨୧ରେ ୭୧ ଲକ୍ଷ ମେଟି୍ରକ୍‌ ଟନ ଧାନ କିଣିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଅଦ୍ୟାବଧି ୧୫ ଲକ୍ଷ ୨୬ ହଜାର ୭୦୧ ଟନ ଧାନସଂଗ୍ରହ କରାଯାଇଛି, ଯାହାକି ଗତବର୍ଷ ଆଜି ତାରିଖ ତୁଳନାରେ ୨୩ ପ୍ରତିଶତ ଅଧିକ। ତେବେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ଯଦି ପଂଜୀକୃତ ଚାଷୀଙ୍କଠାରୁ ମଣ୍ଡିକୁ ଆସିବ ତାହା ମଧ୍ୟ ରାଜ୍ୟ ସରକାର କ୍ରୟ କରିବେ। ବର୍ତ୍ତମାନ ଧାନସଂଗ୍ରହ ପ୍ରକ୍ରିୟା ଜାରି ରହିଛି ଏବଂ ଏହା ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ ଜାରି ରହିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ସରକାରଙ୍କୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ସୋସିଆଲ୍‌ ମିଡ଼ିଆକୁ ବ୍ୟବହାର କରି ଜନତାଙ୍କ ଅଭିଯୋଗ ଏବଂ ପରାମର୍ଶ ଶୁଣି ତାକୁ କାର୍ଯ୍ୟକାରୀ କରିବା ପାଇଁ ଗତବର୍ଷଠାରୁ ଏଭଳି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ୨୦ଟି ଜିଲ୍ଲାରୁ ୪୬୭ଟି ପ୍ରଶ୍ନ ଆସିଥିଲା। ଧାନ କ୍ରୟ ସମ୍ବନ୍ଧିତ ପ୍ରଶ୍ନଗୁଡ଼ିକର ଉତ୍ତର ଲାଇଭ୍‌ ମାଧ୍ୟମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଦେଇଥିବାବେଳେ ବିଭିନ୍ନ ବ୍ୟକ୍ତିଗତ ସମସ୍ୟା ସଂପର୍କିତ ପ୍ରଶ୍ନର ଉତ୍ତର ସେମାନଙ୍କୁ ବ୍ୟକ୍ତିଗତ ଭାବେ ଟ୍ୱିଟର, ଫେସ୍‌ବୁକ୍‌, ଟେଲିଗ୍ରାମ ଏବଂ ଇ-ମେଲ୍‌ ମାଧ୍ୟମରେ ଦିଆଯାଇଛି। ଆଜିର କାର୍ଯ୍ୟକ୍ରମକୁ ବିଭିନ୍ନ ଟେଲିଭିଜନ ଚ୍ୟାନେଲ୍‌ ଦ୍ୱାରା ସିଧା ପ୍ରସାରଣ କରାଯାଇଥିବାବେଳେ ଟ୍ୱିଟର, ଫେସ୍‌ବୁକ୍‌, ୟୁଟୁ୍ୟବ୍‌ରେ ଲାଇଭ୍‌ ପ୍ରସାରିତ ହୋଇଥିଲା ।କାର୍ଯ୍ୟକ୍ରମ ପ୍ରସାରିତ ହେବା ସମୟରେ ଫେସ୍‌ବୁକ୍‌ରେ ପ୍ରାୟ ୯୦୦୦ ଦର୍ଶକ ଲାଇଭ୍‌ ଦେଖିଥିଲେ।

Comments are closed.