ୟୁରୋପରେ କରୋନାର ଓଲଟା ଗତି: ସେନସେକ୍ସ ଖସିଲା ୧୪୦୭ ପଏଣ୍ଟ; ନିବେଶକ ହରାଇଲେ ୭ ଲକ୍ଷ କୋଟି ଟଙ୍କା
ମୁମ୍ବାଇ: ଗତ କିଛିଦିନ ଧରି ସେନସେକ୍ସ କ୍ରମାଗତ ବୃଦ୍ଧି ପାଇ ରେକର୍ଡ଼ ୪୭୦୦୦ ପଏଣ୍ଟ ଅତିକ୍ରମ କରିବା ପରେ ସୋମବାର ଭାରତୀୟ ନିବେଶ ବଜାର ଏକ ବଡ଼ କ୍ଷତିର ସମ୍ମୁଖୀନ ହୋଇଛି । ଗୋଟିଏ ଦିନରେ ସେନସେକ୍ସ ୧୪୦୭ ପଏଣ୍ଟ ହ୍ରାସ ପାଇ ୪୫୫୫୪ରେ ପହଞ୍ଚିଛି । ଫଳସ୍ବରୂପ ନିବେଶକମାନେ ଗୋଟିଏ ଦିନରେ ପ୍ରାୟ ୭ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି । ୟୁରୋପରେ କରୋନା ସଂକ୍ରମଣ ପୁଣି ତୀବ୍ର ହେବା ପରେ ଭାରତୀୟ ଅର୍ଥବଜାର ଉପରେ ଏହାର ପ୍ରଭାବ ପଡ଼ିଛି ବୋଲି କୁହାଯାଉଛି ।
ସୂଚନା ଅନୁସାରେ ବିଏସଇ ତାଲିକାଭୁକ୍ତ ସଂସ୍ଥାଗୁଡ଼ିକର ବଜାର ପୁଞ୍ଜି ଶୁକ୍ରବାର ଦିନ ୧୮୫ ଲକ୍ଷ କୋଟି ଟଙ୍କା ଥିବାବେଳେ ସୋମବାର ଏହା ୧୭୮ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି । ବିଏସଇ ସେନସେକ୍ସ ପରି ନିଫ୍ଟି ମଧ୍ୟ ହ୍ରାସ ପାଇଛି । ନିଫ୍ଟି ୪୩୨ ପଏଣ୍ଟ ହ୍ରାସ ପାଇ ୧୩୩୨୮ରେ ପହଞ୍ଚିଛି ।
ମିଳିଥିବା ସୂଚନା ଅନୁସାରେ ସୋମବାର ରିଲାଏନ୍ସ ସେୟାର ମୂଲ୍ୟ ୨.୯୨% ହ୍ରାସ ପାଇଛି ଏବଂ ଏହା ୧୯୩୪ ଟଙ୍କାରେ ପହଞ୍ଚିଛି । ଏହାର ବଜାର ମୂଲ୍ୟ ୧୩.୪୭ କୋଟି ଟଙ୍କାରୁ ୧୨.୨୬ କୋଟିକୁ ହ୍ରାସ ପାଇଛି । ଅନ୍ୟପକ୍ଷରେ ଆଇଟିସି, ଏଚଡ଼ିଏଫସି ମାର୍କେଟ କ୍ୟାପିଟାଲ, ଆଇସିଆଇସିଆଇ ବ୍ୟାଙ୍କ ସହ ଉପଭୋକ୍ତା ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀର ସେୟାର ହ୍ରାସ ପାଇଛି ।
Comments are closed.