ପାଞ୍ଚଦିନିଆ ବିଦେଶ ଗସ୍ତରେ ମୋଦୀ

0

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଞ୍ଚଦିନିଆ ତ୍ରିରାଷ୍ଟ୍ରୀୟ ବିଦେଶ ଗସ୍ତ ଅବସରରେ ରୁଆଣ୍ଡା ରାଜଧାନୀ କିଗାଲି ଅଭିମୁଖେ ଯାତ୍ରା କରିଛନ୍ତି। ଏହି ଗସ୍ତକାଳରେ ସେ ରୁଆଣ୍ଡା, ଉଗାଣ୍ଡା ଓ ଦକ୍ଷିଣ ଆଫ୍ରିକା ଯିବେ।ରୁଆଣ୍ଡାକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ ହେବ। ପ୍ରଥମ ପର୍ଯ୍ୟାୟରେ ସେ ରୁଆଣ୍ଡାର ରାଷ୍ଟ୍ରପତି ପଲ୍‍ କଗାମିଙ୍କ ସହ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିବେ। ସେଠାରେ ବସବାସ କରୁଥିବା  ଭାରତୀୟ ସମୁଦାୟର ଲୋକମାନଙ୍କୁ ଉଦବୋଧନ ଦେବେ। ଏହି ଅବସରରେ ଉଭୟ ରାଷ୍ଟ୍ରମଧ୍ୟରେ ପ୍ରତିରକ୍ଷା ସହଯୋଗ ସମ୍ବନ୍ଧୀୟ ରାଜିନାମା ସ୍ୱାକ୍ଷର ହେବ। ସେ କିଗାଲି ଗଣହତ୍ୟା ସ୍ମାରକୀ ଗସ୍ତ କରି ରୁଆଣ୍ଡାର ଏକ ଜାତୀୟ ସାମାଜିକ ସୁରକ୍ଷା ଯୋଜନା ଗିରିଙ୍କାରେ ଅଂଶଗ୍ରହଣ କରିବେ।

ରୁଆଣ୍ଡାର ଏକ ଗ୍ରାମରେ ରହୁଥିବା ଗରିବ ଲୋକମାନଙ୍କୁ  ପ୍ରଧାନମନ୍ତ୍ରୀ ଗୋଟିଏ ଲେଖାଁଏ ଗାଈ ଉପହାର ସ୍ୱରୂପ ପ୍ରଦାନ କରିବେ। ଏହା ରୁଆଣ୍ଡାର ଗରିବ ଅଧିବାସୀମାନଙ୍କ ପାଇଁ ରୋଜଗାରର ଏକ ମାଧ୍ୟମ ପାଲଟିବ। ରୁଆଣ୍ଡାର ଗିରବ ଅଧିବାସୀଙ୍କ ସାମାଜିକ ସୁରକ୍ଷା ପାଇଁ ରୁଆଣ୍ଡାର ରାଷ୍ଟ୍ରପତିଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଯୋଜନାରେ ଭାରତ ନିଜର ସହଯୋଗର ହାତ ବଢ଼ାଇଛି। ଏହାକୁ ‘ଗିରିଙ୍କା’ ଯୋଜନା ନାମରେ ନାମିତ କରାଯାଇଛି।  ଏହି ଯୋଜନାରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୦ ଗାଈ ଉପହାର ସ୍ୱରୂପ ପ୍ରଦାନ କରିବେ।

ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଉଗାଣ୍ଡା ଗସ୍ତ କରିବେ। ପ୍ରାୟ ୨୦ ବର୍ଷର ବ୍ୟବଧାନ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ହେବ ଉଗାଣ୍ଡାକୁ ପ୍ରଥମ ଗସ୍ତ।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଗସ୍ତର ତୃତୀୟ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାର ଜୋହାନ୍‍ସବର୍ଗରେ ପହଞ୍ଚିବେ। ସେଠାରେ ସେ ଦଶମ ବ୍ରିକ୍‍ସ (ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା) ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।

 

Leave A Reply