ଛାତ୍ରୀ ନିବାସରେ ବାଳିକାଙ୍କ ସହ ବଳାତ୍କାର ଓ ହତ୍ୟା; ହଷ୍ଟେଲ ପରିସରରେ ଶବ ଖୋଜୁଛି ପୁଲିସ

0

ମୁଜାଫାରପୁର: ବିହାରର ମୁଜାଫାରପୁର ସ୍ଥିତ ପାଟଣା ମେଡିକାଲ କଲେଜ ଏବଂ ହସ୍ପିଟାଲ ଛାତ୍ରୀ ନିବାସରେ ହୋଇଥିବା ବଳାତ୍କାର ଓ ହତ୍ୟା ଘଟଣା ଏକ ନୂଆମୋଡ ନେଇଛି। ଜଣେ ପୀଡିତା ପୁଲିସଙ୍କୁ ବୟାନ ଦେଇଛନ୍ତି ଯେ, ତାଙ୍କର ଅନ୍ୟ ଜଣେ ସାଥୀଙ୍କୁ ହତ୍ୟା କରାଯାଇ ହଷ୍ଟେଲ ପରିସରରେ ପୋତି ଦିଆଯାଇଛି। ପୀଡିତାଙ୍କ ଏହି ବୟାନକୁ ଭତ୍ତି କରି ପୁଲିସ ହଷ୍ଟେଲ ପରିସରରେ ତଲାସୀ ଅଭିଯାନ ଚଳାଇଛି। ଏପର୍ଯ୍ୟନ୍ତ ସେଠାରୁ କୌଣସି ଶବ ମିଳି ନଥିବା ମୁଜାଫାରପୁର ଏସଏସପି ହରପ୍ରିତ କୌର କହିଛନ୍ତି । ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇ ଥିବା ବେଳେ ବହୁତ ଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ ଏସଏସପି ବୋଲି କହିଛନ୍ତି। ହଷ୍ଟେଲ ବାହାରକୁ କୌଣସି ଛାତ୍ରୀଙ୍କୁ ନିଆଯାଉନଥିବା ତଦନ୍ତରୁ ଜଣାପଡିଛି।

ସୂଚନାଯୋଗ୍ୟ, ମୁଜାଫାରପୁର ଜିଲାରେ ଥିବା ପାଟଣା ମେଡିକାଲ କଲେଜ ଏବଂ ହସ୍ପିଟାଲର ‘ସେବା ସଙ୍କଳ୍ପ ଏବଂ ବିକାଶ ସମିତି’ ନାମକ ଛାତ୍ରୀ ନିବାସରେ ରହୁଥିବା ବାଳିକାଙ୍କ ସହ ଶରୀରିକ ଶୋଷଣ କରାଯାଉଥିବା ନେଇ ଅଭିଯୋଗ ହେଇଥିଲା। ‘ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ’ ପକ୍ଷରୁ ଚଳିତ ବର୍ଷ ମେ’ ମାସରେ ହୋଇଥିବା ସୋସିଆଲ ଅଡିଟରୁ ଏହି ଘଟଣା ସାମ୍ନାକୁ ଆସିଥିଲା। ଘଟଣା ବିଷୟରେ ଜଣାପଡିବା ପରେ ଛାତ୍ରୀ ନିବାସରେ ରହୁଥିବା ସମସ୍ତ ବାଳିକାଙ୍କ ଡାକ୍ତରୀମାଇନା କରାଯାଇଥିଲା। ୨୧ ଜଣ ବାଳିକାଙ୍କ ମଧ୍ୟରୁ ୧୬ ଜଣଙ୍କ ସହ ବଳାତ୍କାର ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଉକ୍ତ ଛାତ୍ରୀ ନିବାସର ସଞ୍ଚାଳକ ବ୍ରିଜେଶ ଠାକୁର ଏବଂ ବିନୀତ୍ କୁମାର ସାମିଲ ଅଛନ୍ତି । ଏହା ସହ ଛାତ୍ରୀ ନିବାସରେ କାର୍ଯ୍ୟରତ ୭ ଜଣ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ଏହି ମାମଲାରେ ବିରୋଧୀ ଦଳର ନେତା ବିହାର ସରକାର ବିରୋଧରେ ଅଭିଯୋଗ ଆଣିଛନ୍ତି। ସେହି ଛାତ୍ରୀ ନିବାସର ସତ୍ତ୍ବାଧିକାରୀ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ନିକଟ ସମ୍ପକୀୟ ଓ ନିର୍ବାଚନ ପ୍ରଚାର ବେଳେ ସେ ତାଙ୍କ ସାଙ୍ଗରେ ରହିଥିଲେ ବୋଲି ରାଷ୍ଟ୍ରୀୟ ଜନତା ଦଳର ନେତା ତଥା ବିହାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଅଭିଯୋଗ କରିଛନ୍ତି।

Leave A Reply