www.samajalive.in
Sunday, December 7, 2025
26.1 C
Bhubaneswar

ଜାତୀୟ କଂଗ୍ରେସରେ ନେତୃତ୍ବ ପରିବର୍ତ୍ତନ ସୂଚନା : ନୂଆ ଅଧ୍ୟକ୍ଷ ନିଷ୍ପତ୍ତି ଆଜି

ନୂଆଦିଲ୍ଲୀ : ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସରେ ଏବେ ନେତୃତ୍ବ ପରିବର୍ତ୍ତନର ପୂର୍ବାଭାସ ଦେଖାଦେଇଛି। ସୋନିଆ ଗାନ୍ଧୀଙ୍କ ଅନ୍ତରୀଣ ଅଧ୍ୟକ୍ଷ କାର୍ଯ୍ୟକାଳ ଶେଷ ହୋଇଛି। ରାହୁଳ ଗାନ୍ଧୀଙ୍କୁ ଦଳର ଦାୟିତ୍ବ ଦେବା ନିମନ୍ତେ ଦଳ ଭିତରେ ଦାବି ବଢ଼ୁଛି। କିଛି ନେତା ଏଥିନେଇ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିବା ଚର୍ଚ୍ଚା ହେଉଛି। କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ଚିଠି କଥାକୁ ଅସ୍ବୀକାର କରିଥିଲେ ହେଁ ରାହୁଳଙ୍କୁ ପୁଣି ଦଳର ସଭାପତି କରାଯିବା ନେଇ ଶତ ପ୍ରତିଶତ କଂଗ୍ରେସ କାର୍ଯ୍ୟକର୍ତ୍ତା ଚାହୁଥିବା କହିଛନ୍ତି। ଏହି ସ୍ଥିତିରେ ଆଜି ବସିବାକୁ ଥିବା କଂଗ୍ରେସର କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକ ଅନେକ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଛି। ହୁଏତ ଏହି ବୈଠକରେ ଦଳର ନୂତନ ଅଧ୍ୟକ୍ଷ ନେଇ ବଡ଼ ନିଷ୍ପତ୍ତି ନିଆଯାଇପାରେ।

୨୦୧୯ ଲୋକସଭା ନିର୍ବାଚନରେ ଦଳର ପରାଜୟ ପରେ ରାହୁଳ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଇସ୍ତଫା ଦେଇଥିଲେ। ଯଦିଓ ତାଙ୍କୁ ୨୦୨୨ ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯାଇଥିଲା; ତଥାପି ରାହୁଳ ନିଜ ପଦ ଛାଡ଼ିଥିଲେ। ଏହାକୁ ନେଇ ଦଳର କାର୍ଯ୍ୟକର୍ତାଙ୍କ ମଧ୍ୟ​ରେ ଅସନ୍ତୋଷ ବଢିଥିଲା । ସେ ପୁଣି ଦଳର ସଭାପତି ହୁଅନ୍ତୁ ବୋଲି କିଛି ନେତା ଏଆଇସିସି କାର୍ଯ୍ୟାଳୟରେ ଧାରଣା ଦେଇଥିଲେ। ମାତ୍ର ରାହୁଳ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ଓ ସୋନିଆଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଥିଲା। ମାତ୍ର ଗତ ବର୍ଷାଧିକ କାଳ ଧରି ଦଳର ଯୁବନେତା ମାନେ ରାହୁଳଙ୍କୁ ପୁଣି ଦଳର ସଭାପତି କରିବା ନେଇ ଦାବି କରି ଆସୁଛନ୍ତି। ସୂଚନା ଅନୁସାରେ, ଦଳର କିଛି ବରିଷ୍ଠ ନେତାଙ୍କ ସହ ପୂର୍ବତନ ମନ୍ତ୍ରୀମାନେ ସୋନିଆଙ୍କୁ ଚିଠି ଲେଖି ଅନ୍ତରୀଣ ଅଧ୍ୟକ୍ଷ ପଦ ବ୍ୟବସ୍ଥାକୁ ଶେଷ କରି ପୂର୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତି ଦେବା ନିମନ୍ତେ ଅନୁରୋଧ କରିଛନ୍ତି।

- Advertisement -

ଗତ ବର୍ଷକ ମଧ୍ୟରେ ରାହୁଳ ସଂସଦଠାରୁ ଆରମ୍ଭ କରି କଂଗ୍ରେସ ମୁଖ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଗଣମାଧ୍ୟମକୁ ପୁନର୍ବାର କଂଗ୍ରେସ ସଭାପତି ପଦ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ଜଣେ ସାଂସଦ ଭାବରେ ସେ ଦଳ ଦ୍ବାରା ଦିଆଯାଉଥିବା କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଯଦି ଆସନ୍ତାକାଲି ରାହୁଳ ପୁନର୍ବାର ନିଜ ଜିଦରେ ଅଟଳ ରହନ୍ତି ତେବେ ସୋନିଆଙ୍କୁ ପୁନର୍ବାର ଆନ୍ତରୀଣ ଅଧ୍ୟକ୍ଷ ଭାବରେ କାର୍ଯ୍ୟକରିବାକୁ ସିଡ଼ବ୍ଲ୍ୟୁସିରେ ପ୍ରସ୍ତାବ ଗୃହୀତ ହୋଇପାରେ।

ଏକ୍ଷେତ୍ରରେ ସୋନିଆଙ୍କୁ ସହାୟତା କରିବାକୁ ଦୁଇଜଣ ଉପସଭାପତିଙ୍କୁ ନିଯୁକ୍ତି ଦିଆଯିବ। ଏହାଦ୍ବାରା ଦଳରେ ପୂର୍ଣ୍ଣକାଳୀନ ନେତୃତ୍ବ ଲାଗି ଯେଉଁ ଦାବି ହେଉଛି ତାହା କିଛିକାଂଶରେ ପ୍ରଶମିତ ହୋଇପାରିବ ବୋଲି ଅନୁମାନ କରାଯାଉଛି। ଏହି ବ୍ୟବସ୍ଥାରେ ଗୁଲାମ ନବୀ ଆଜାଦ୍‌, ପି.ଚିଦମ୍ବରମ୍‌ ଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଉପସଭାପତି କରାଯାଇପାରେ। ଏପରିକି ଯୁବ ନେତୃତ୍ବ ଭାବେ ଏଥିପାଇଁ ସୁସ୍ମିତା ଦେବ, ମଣିକାମ ଟାଗୋର ଏବଂ ରାଜସ୍ଥାନ ବିଦ୍ରୋହ ପରେ ସଚିନ୍‌ ପାଇଲଟ୍‌ଙ୍କୁ ମଧ୍ୟ କେନ୍ଦ୍ରରେ ଏଭଳି ପଦ ଦିଆଯାଇପାରେ। ତେବେ ଗାନ୍ଧୀ ପରିବାର ବାହାରୁ କାହାରିକୁ ସଭାପତି କରାଯିବାକୁ ନେଇ ହେଉଥିବା ଚର୍ଚ୍ଚାକୁ ଅନୁଶୀଳନ କଲେ ଏପରି ସମ୍ଭାବନା କମ୍ ଓ ଗାନ୍ଧୀ ପରିବାର ବାହାରୁ କାହାକୁ ସଭାପତି କରାଯିବା ସହମତି ହେବା ସମ୍ଭାବନା ଆଦୌ ନାହିଁ କହିଲେ ଚଳେ।

ଯଦିଓ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଦଳର ନେତୃତ୍ବ ଅଣଗାନ୍ଧୀ ପରିବାରରୁ କାହାରିକୁ ଦିଆଗଲେ ଆପତ୍ତି ନାହିଁ ବୋଲି କହିଛନ୍ତି ଓ ରାହୁଳ ଏହାକୁ ସମର୍ଥନ କରିଛନ୍ତି, ତଥାପି ଦଳର ନେତାମାନେ ଏହାକୁ ଗ୍ରହଣ କରିବା ପାଇଁ ମାନସିକତା ରଖିନାହାନ୍ତି। ଦଳରେ ଯୋଗ୍ୟ ନେତା ଥାଆନ୍ତୁ ବା ନ ଥାଆନ୍ତୁ, ଦଳର ନେତୃତ୍ବ ନେବାକୁ କେହି ସକ୍ଷମ ହୁଅନ୍ତୁ କି ନ ହୁଅନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାମ୍ନା କରିବା ପରି ନେତା ରାହୁଳଙ୍କ ଭିନ୍ନ ଆଉ କେହି ନାହାନ୍ତି ବୋଲି ଦଳର ବଡ଼ ନେତାମାନଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି ହୋଇଛି।

ଦ୍ବିତୀୟତଃ ରାହୁଳ କିମ୍ବା ସୋନିଆଙ୍କ ବ୍ୟତୀତ ଅନ୍ୟ କାହା ନେତୃତ୍ବ ଗ୍ରହଣ କରିବାକୁ ଅନେକ ନେତା ଚାହୁଁ ନାହାନ୍ତି। ଦଳରେ ପ୍ରଥମଥର ପାଇଁ ଏପରି ହୋଇଛି ଯେତେବେଳେ କି ୨୩ରୁ ଅଧିକ ବଡ଼ ନେତା ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସଙ୍ଗଠନରେ ବଡ଼ଧରଣର ପରିବର୍ତ୍ତନ ପ୍ରସ୍ତାବ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ୫ ପୂର୍ବତନ ମୁଖ୍ୟମନ୍ତ୍ରୀ, କିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ କାର୍ଯ୍ୟକାରୀ କମିଟିର କିଛି ବଡ଼ ନେତା। କଂଗ୍ରେସରୁ ସଙ୍କଟରୁ ଉଦ୍ଧାର ପାଇଁ ଏହା ଏକ ଅନିବାର୍ଯ୍ୟ ଆବଶ୍ୟକତା ବୋଲି ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି।

ଏକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ, ଏହି ଚିଠିରେ ଯୁବପିଢ଼ି ବିଜେପି ଆଡ଼କୁ ଢ଼ଳୁଥିବା ଇଙ୍ଗିତ କରାଯାଇଛି। ଏଥିରେ କୁହାଯାଇଛି ଯେ ନରେନ୍ଦ୍ର ମୋଦୀଙ୍କ ସରକାର ଗଢ଼ିବାରେ ଯୁବଗୋଷ୍ଠୀ ବଡ଼ ଭୂମିକା ଗ୍ରହଣ କରିଛନ୍ତି। କଂଗ୍ରେସ ପ୍ରତି ସମର୍ଥନ ହ୍ରାସ ପାଇଛି, ଯୁବଗୋଷ୍ଠୀର ବିଶ୍ବାସଭାଜନ ହୋଇ ନ ପାରିବା ଦଳ ପାଇଁ ଘାତକ ହୋଇଛି। ତେଣୁ ଏହାକୁ ପ୍ରତିହତ କରିବା ପାଇଁ ‘ପୂର୍ଣ୍ଣକାଳୀନ ଓ ପ୍ରଭାବଶାଳୀ ନେତୃତ୍ବ’ର ଆବଶ୍ୟକତା ରହିଛି, ଯାହା ସାଧାରଣରେ ଦୃଶ୍ୟମାନ ହେବ ଓ ଦଳକୁ କ୍ରିୟାଶୀଳ କରିପାରିବ। ଏହା ସହ ଦଳରେ ତଳଠାରୁ ଉପର ପର୍ଯ୍ୟନ୍ତ ପରିବର୍ତ୍ତନ ନିମନ୍ତେ ଏହି ଚିଠିରେ ପ୍ରସ୍ତାବ ଦିଆଯାଇଛି।

ଏହି ଚିଠିରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ଦଳର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା, କପିଲ ସିବଲ, ମନୀଷ ତିୱାରୀ, ଶଶି ଥରୁର, ବିବେକ ତନ୍ଖା, ଏଆଇସିସିର ପଦାଧିକାରୀଙ ମୁକୁଲ ୱାସନିକ, ଜିତୀନ ପ୍ରସାଦ ଓ ପୂର୍ବମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରୀୟ ମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ଼ା, ରାଜେନ୍ଦର କୌର ଭଟ୍ଟଲ, ବିରପ୍ପା ମୋଇଲି, ପି.ଜେ.କୁରିୟନ, ଅଜୟ ସିଂହ, ରେଣୁକା ଚୌଧୁରୀ, ମିଲିନ୍ଦ ଦେଓରା, ରାଜ ବବ୍ବର, ଅରବିନ୍ଦର ସିଂହ ଲଭଲି, କୌଲ ସିଂହ ଠାକୁରଙ୍କ ସହ ଅଖିଳେଶ ପ୍ରସାଦ ସିଂହ, କୁଲଦୀପ ଶର୍ମା, ଯୋଗାନନ୍ଦ ଶାସ୍ତ୍ରୀ, ସନ୍ଦୀପ ଦୀକ୍ଷିତ ପ୍ରମୁଖ ସ୍ବାକ୍ଷର କରିଛନ୍ତି।

ଲୋକସଭା ନିର୍ବାଚନ ପରାଜୟ ପ​‌ରେ ଗତ ୧ ବର୍ଷ ମଧ୍ୟରେ ଦଳ କ୍ରମାଗତ ନିମ୍ନ ପ୍ରଦର୍ଶନ କରି ଚାଲିଛି, ଯାହାର କୌଣସି ସମୀକ୍ଷା କରାଯାଇ ନାହିଁ। କୁହାଯାଉଛି ଏହି ଚିଠି ଆଧାରରେ ଦଳରେ କିଛି ବଡ଼ ପରିବର୍ତ୍ତନ ହୋଇପାରେ ଓ ତାହା ଆସନ୍ତାକାଲିର ବୈଠକରେ ନିଷ୍ପତ୍ତି ନିଆଯିବ।

ପରିବର୍ତ୍ତିତ ଘଟଣାକ୍ରମରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପଦ ଛାଡ଼ିବାକୁ ନିଜର ଆଗ୍ରହ ବ୍ୟକ୍ତ କରିଛନ୍ତି। ଦଳର କିଛି ନେତା ତାଙ୍କୁ ପଦ ଛାଡ଼ିବା ଓ ନୂଆ ଅଧ୍ୟକ୍ଷ ନିର୍ବାଚନ ନେଇ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାକୁ ସେ ସମ୍ମାନ ଦେଉଛନ୍ତି ଏବଂ ଆସନ୍ତାକାଲି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛି।

କଂଗ୍ରେସର ଉଚ୍ଚତମ ସୂତ୍ରରୁ ‘ସମାଜ’କୁ ମିଳିଥିବା ସୂଚନା ଅନୁସାରେ ସୋନିଆ ନିଜ ପକ୍ଷରୁ ଦଳର କିଛି ନେତାଙ୍କୁ ଏ ସମ୍ପର୍କରେ ଅବଗତ କରିଛନ୍ତି। ଅନ୍ୟପକ୍ଷରେ ଯେଉଁ ୨୩ ଜଣ ଶୀର୍ଷ ନେତା କଂଗ୍ରେସର କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ପଦ ଉଚ୍ଛେଦ କରାଯାଇ ‘ପୂର୍ଣ୍ଣକାଳୀନ ଓ ପ୍ରଭାବଶାଳୀ’ ଅଧ୍ୟକ୍ଷ ନିମନ୍ତେ ସୋନିଆଙ୍କୁ ଚିଠି ଲେଖିଥିଲେ ସେମାନଙ୍କ ମଧ୍ୟରୁ କିଛି ଯେ ପର୍ଯ୍ୟନ୍ତ ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇ ନାହାନ୍ତି, ସେପର୍ଯ୍ୟନ୍ତ ସୋନିଆ ଅନ୍ତରୀଣ ଅଧ୍ୟକ୍ଷ ପଦରେ ରହିବାକୁ ପାଲଟା ପ୍ରସ୍ତାବ ଦେଇଥିବା ମଧ୍ୟ ସୂଚନା ମିଳିଛି। ଏହିସ୍ଥିତିରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ରାହୁଳଙ୍କୁ ଏକ ଚିଠି ଲେଖିଛନ୍ତି। ରାହୁଳଙ୍କ ନିକଟତମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭୂପେଶ ଏଥିରେ ରାହୁଳଙ୍କୁ ଦଳର ଦାୟିତ୍ବ ନେବାକୁ ଅନୁରୋଧ କରିଛନ୍ତି। ବଘେଲ ଏଥିରେ ରାହୁଳ ଦଳର ସର୍ବସମ୍ମତ ନେତା, ଏଥିରେ କାହାରି ଦ୍ବିରୁକ୍ତି ନାହିଁ ବୋଲି ଉଲ୍ଲେଖ କରିଥିବା ଜଣାପଡ଼ିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories