ଗଙ୍ଗା ଘାଟ ଜଗିବେ ପ୍ରାକ୍ତନ ସୈନିକ
ନୂଆଦିଲ୍ଲୀ: ଏବେ ଗଙ୍ଗା ନଦୀକୁ ଜଗିବେ ପଦାତିକ ବାହିନୀର ପ୍ରାକ୍ତନ ସୈନ୍ୟବାହିନୀ। ନଦୀ ଜଳକୁ ପ୍ରଦୂଷଣରୁ ସୁରକ୍ଷା ଦେବା ପାଇଁ ଗଙ୍ଗା ଘାଟରେ ସେମାନେ ନିୟମିତ ପହରା ଦେବେ। ଗଙ୍ଗା ନଦୀ ଭିତରେ ବର୍ଜ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପକାଇବାରୁ ଲୋକଙ୍କୁ ବାରଣ କରିବେ। ନଦୀ ଉପକୂଳରେ ବୃକ୍ଷରୋପଣ ସହିତ ଲୋକମାନଙ୍କୁ ସ୍ୱଚ୍ଛତା ଅଭିଯାନ ସମ୍ପର୍କରେ ସଚେତନ କରିବେ।
୫୩୨ ଜଣ ଅବସରପ୍ରାପ୍ତ ସୈନିକଙ୍କୁ ନେଇ ଗଙ୍ଗା ଟାକ୍ସ ଫୋର୍ସ ନାମରେ ଏକ ସ୍ୱତନ୍ତ୍ର ବାଟାଲିଆନ୍ ଗଠିତ ହୋଇଛି। ସେଥିରେ ୯ ଜଣ ଅଧିକାରୀ ଓ ୨୯୬ ଜଣ ଜୁନିଅର କମିଶନ୍ଡ ଅଫିସର ନିୟୋଜିତ ହୋଇଛନ୍ତି। ତିନି ବର୍ଷ ପାଇଁ ସେମାନଙ୍କୁ ନିଯୁକ୍ତି ଦିଆଯିବ। ଆଲ୍ଲାହାବାଦ୍, ବାରାଣସୀ ଓ କାନପୁରରେ ପ୍ରଥମେ ଏହି ଅଭିଯାନ ଆରମ୍ଭ ହେବ।
ସ୍ୱଚ୍ଛ ଗଙ୍ଗା ଅଭିଯାନର ମହାନିର୍ଦେଶକ ରାଜୀବ ରଞ୍ଜନ ମିଶ୍ର କହିଛନ୍ତି ଯେ ସୈନିକମାନେ ବହୁ ପ୍ରତିକୂଳ ଓ ବିପଦପୂର୍ଣ୍ଣ ପରିସ୍ଥିତିରେ କାମ କରିଛନ୍ତି। ସେହି ଅଭିଜ୍ଞତାକୁ ଗଙ୍ଗା ଜଳ ସୁରକ୍ଷାରେ ବ୍ୟବହାର କରାଯିବ। ସ୍ୱଚ୍ଛ ଗଙ୍ଗା ଅଭିଯାନ ଅଧୀନରେ ଗଠିତ ଜିଲା କମିଟି ଓ ଏନ୍ଜିଓ ସହିତ ମିଳିତ ଭାବେ ସେମାନେ କାମ କରିବେ।