ଜଳବାୟୁ ପରିବର୍ତ୍ତନ: ପ୍ରଭାବିତ ହେବେ ଅଧା ଭାରତୀୟ

0

ନୂଆଦିଲ୍ଲୀ: ଜଳବାୟୁରେ ଦେଖାଦେଇଥିବା ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁଁ କୃଷି ସହିତ ଧନଜୀବନ ମଧ୍ୟ ପ୍ରଭାବିତ ହେଉଛି। ଯଦି ସ୍ଥିତାବସ୍ଥାରେ ପରିବର୍ତ୍ତନ ନ ହୁଏ ତେବେ ୨୦୫୦ ବେଳକୁ ଭାରତର ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକଙ୍କ ଜୀବନଧାରଣର ମାନରେ ଅବନତି ଦେଖାଦେବ। ମଧ୍ୟଭାରତର ବିଦର୍ଭର ଅଧିବାସୀ ସବୁଠାରୁ ଅଧିକ ପ୍ରଭାବିତ ହେବେ। ସେଠାକାର ଅର୍ଥନୈତିକ ଅଭିବୃଦ୍ଧି ହାର ୧୦ ପ୍ରତିଶତ ହ୍ରାସ ଘଟିିବ। ଦେଶର ମୋଟ ଜାତୀୟ ଉତ୍ପାଦନ ହାର ୨.୮% ହ୍ରାସ ପାଇବ। ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଗୁରୁବାର ପ୍ରକାଶିତ ରିପୋର୍ଟରେ ଏଭଳି ଆଶଙ୍କା କରାଯାଇଛି।
‘ସାଉଥ ଏସିଆଜ୍‍ ହଟ୍‍ସ୍ପଟ୍‍’ ନାମକ ବିଶ୍ୱ ବ୍ୟାଙ୍କର ଏହି ରିପୋର୍ଟ ଅନୁଯାୟୀ, ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଅସ୍ୱାଭାବିକ ବୃଷ୍ଟିପାତ ଯୋଗୁୁଁ ଭାରତୀୟଙ୍କ ଜୀବନଧାରଣ ଶୈଳୀରେ ବିଶେଷଧରଣର ପ୍ରଭାବ ପରିଲକ୍ଷିତ ହେବ। ଦେଶବାସୀଙ୍କ ମୁଣ୍ଡପିଛା ଖର୍ଚ୍ଚ ପରିମାଣ ହ୍ରାସ ପାଇବ। ଏହାର ପ୍ରଭାବରେ ଆର୍ଥିକ ଅଭିବୃଦ୍ଧି ହାର ହ୍ରାସ ପାଇବ।
୨୦୧୫ରେ ପ୍ୟାରିସ୍‍ ଚୁକ୍ତିନାମା ଅନୁଯାୟୀ ବିଶ୍ୱ ତାପମାତ୍ରାକୁ ୨ ଡିଗ୍ରୀ ସେଲ୍‍ସିୟସ ପର୍ଯ୍ୟନ୍ତ ହ୍ରାସ କରାଯାଇପାରିଛି। ଏହା ସତ୍ତେ୍ୱ ସ୍ଥିତିରେ ସେତେଟା ଆଖିଦୃଶିଆ ପରିବର୍ତ୍ତନ ଦେଖାଯାଇନାହିଁ। ଏପରିକି ଆଗକୁ ସ୍ଥିତି ଆହୁରି ସଂଘାତିକ ହେବାର ଆଶଙ୍କା ରହିଛି। ୨୦୫୦ ବେଳକୁ ଭାରତର ହାରାହାରି ତାପମାତ୍ରା ୧ ରୁ ୨ ଡିଗ୍ରୀ ସେଲ୍‍ସିୟସ୍‍ ପର୍ଯ୍ୟନ୍ତ ବଢ଼ିବ। ତାପମାତ୍ରା ବୃଦ୍ଧି ଓ ଅନିଶ୍ଚିତ ମୌସୁମୀ ଯୋଗୁଁ ଭାରତର ଅର୍ଥନୀତିରେ ୧.୧ ଟ୍ରିଲିୟନ୍‍ ଡଲାର(୧ ଟ୍ରିଲିୟନ୍‍ = ୧ ଲକ୍ଷ କୋଟି) କ୍ଷତି ହେବ। ଦେଶର ଉପକୂଳ ଓ ପାର୍ବତ୍ୟାଞ୍ଚଳ ଅପେକ୍ଷା ଆଭ୍ୟନ୍ତରୀଣ ଅଞ୍ଚଳର ଅର୍ଥନୀତି ଅଧିକ କ୍ଷତିଗ୍ରସ୍ତ ହେବ। ମଧ୍ୟ ଓ ଉତ୍ତର ଭାରତରେ ଏହି ପ୍ରଭାବ ସବୁଠାରୁ ଅଧିକ ଅନୁଭୂତ ହୋଇପାରେ। ବିଶେଷକରି ଛତିଶଗଡ଼ ଓ ମଧ୍ୟପ୍ରଦେଶର ଅର୍ଥନୀତି ବହୁ ପଛକୁ ଚାଲିଯିବ।
ଏ ସମ୍ପର୍କରେ ପ୍ରଖ୍ୟାତ ଅର୍ଥନୈତିକ ମୁଥୁକୁମାର ମଣି କହିଛନ୍ତି ଯେ କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ଏକ ଦୁର୍ବିପାକ ଯାହା ଧୀର ଓ ମନ୍ଥର ଗତିରେ ବଢ଼ିଚାଲିଛି। କିନ୍ତୁ ଏହାର ନିରାରକଣ ପ୍ରତି ବିଶେଷ ଦୃଷ୍ଟି ଦିଆଯାଉନାହିଁ।

kalyan agarbati
Leave A Reply