ଆତଙ୍କବାଦରେ ଶିଶୁଙ୍କୁ ଅସ୍ତ୍ର କରାଯାଉଛି: ଜାତିସଂଘ
ଜେନେଭା: ଆତଙ୍କବାଦୀ କାର୍ଯ୍ୟକଳାପରେ ଏବେ ଶିଶୁମାନଙ୍କୁ ଅଧିକରୁ ଅଧିକ ନିୟୋଜିତ କରାଯାଉଛି। ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସଂସ୍ଥା ଜୈସ ଇ ମହମ୍ମଦ ଓ ହିଜ୍ବୁଲ୍ ମୁଜାହିଦ୍ଦିନ ଏହି କୌଶଳକୁ ଅଧିକରୁ ଅଧିକ ବ୍ୟବହାର କରୁଛନ୍ତି। ବିଶେଷକରି କଶ୍ମୀରରେ ବିଗତ ଦିନରେ ବିଭିନ୍ନ ଆତଙ୍କବାଦ କାର୍ଯ୍ୟକଳାପରେ ଶିଶୁମାନଙ୍କୁ ଅଧିକ ବ୍ୟବହାର କରାଯାଇଛି। ଗୁରୁବାର ପ୍ରକାଶିତ ଜାତିସଂଘର ଏକ ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ ଅଛି।
ଜାତିସଂଘର ରିପୋର୍ଟ ଅନୁଯାୟୀ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ଗତ ବର୍ଷ ପ୍ରାୟ ୧୦ ହଜାର ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୮ ହଜାର ଶିଶୁଙ୍କୁ ସଂଗଠନରେ ସାମିଲ୍ କରାଯାଇଛି। ସିରିଆ, ଆଫ୍ଗାନିସ୍ତାନ, ୟେମେନ୍, ଫିଲିପାଇନ୍ସ, ନାଇଜେରିଆ ଏପରିକି ଭାରତର ବିଭିନ୍ନ ମଦ୍ରାସାଗୁଡ଼ିକରୁ ଅଧିକ ଶିଶୁଙ୍କୁ ନିଆଯାଉଛି।
ଗତ ଜାନୁଆରୀ ମାସରେ ତେହେରିକ୍ ଇ ତାଲିବାନ୍ ପାକିସ୍ତାନ ପକ୍ଷରୁ ଜାରି ଏକ ଭିଡିଓରେ ଶିଶୁ ଓ କିଶୋରୀମାନଙ୍କୁ ଆତ୍ମଘାତୀ ବିସ୍ପୋରଣ ଓ ଆତଙ୍କବାଦ ସମ୍ପର୍କରେ ତାଲିମ ଦିଆଯାଉଥିବା ପ୍ରଦର୍ଶିତ ହୋଇଥିଲା। ଗତ ଫେବୃଆରି ମାସରେ ପାକିସ୍ତାନର ସିନ୍ଧ ପ୍ରୋଭିନ୍ସର ସେୱାନ୍ଠାରେ ଆତ୍ମଘାତୀ ବିସ୍ଫୋରଣରେ ୨୦ ଶିଶୁଙ୍କ ସମେତ ୭୫ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଗତ ମାର୍ଚ୍ଚରେ ଗିଲ୍ଗିଟ୍-ବାଲଟିସ୍ଥାନର ଘିଜର ଭ୍ୟାଲି ସ୍ଥିତ ଅକ୍କଫୋର୍ଡ ପବ୍ଲିକ୍ ସ୍କୁଲ୍ରେ ଆତଙ୍କବାଦୀମାନେ ପଶି ହତ୍ୟା ଧମକ ଦେଇଥିବା ବେଳେ ବାଲୋଚିସ୍ତାନ ପ୍ରୋଭିନ୍ସର କିଲା ଅବଦୁଲା ବାଳିକା ବିଦ୍ୟାଳୟକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ଭାରତରେ ସର୍ବାଧିକ ଶିଶୁଙ୍କ ମୃତ୍ୟୁ ଜମ୍ମୁ-କଶ୍ମୀର, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ଜାତିସଂଘର ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀ ସଂଗଠନର ଏହି ରଣକୌଶଳକୁ ଏବେ ନକ୍ସଲମାନେ ମଧ୍ୟ ଆପଣେଇ ନେଇଛନ୍ତି। ସରକାର ବିରୋଧୀ ହିଂସା ପାଇଁ ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ନକ୍ସଲମାନେ ଶିଶୁମାନଙ୍କୁ ନିଯୁକ୍ତ ଓ ନିୟୋଜିତ କରୁଛନ୍ତି। କିନ୍ତୁ ସରକାରୀ ତଥ୍ୟାନୁଯାୟୀ ନକ୍ସଲ୍ ହିଂସାରେ ଶିଶୁମାନେ ମୃତାହତ କିମ୍ବା ଜଡ଼ିତ ଥିବା ସୂଚନା ନାହିଁ। ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି ଯେ ସିଆରପିଏଫ୍, ବିଏସ୍ଏଫ୍ ଆଦି ସୁରକ୍ଷାକର୍ମୀମାନେ ସ୍କୁଲ୍ରେ ଆଶ୍ରୟ ନେଉଥିବାରୁ ନକ୍ସଲ୍ମାନେ ସ୍କୁଲ୍କୁ ଟାର୍ଗେଟ୍ କରୁଛନ୍ତି। ଏହାଦ୍ୱାରା କୋମଳମତି ଶିଶୁଙ୍କ ମୃତ୍ୟୁ ଘଟୁଛି। ୨୦୧୭ରେ ହିଂସାତ୍ମକ କାର୍ଯ୍ୟକଳାପରେ ୨୧ ହଜାର ଶିଶୁ ପ୍ରଭାବିତ ହୋଇଥିଲେ।