ଜନ୍ତାରି ପାହାଡ଼ ଉପରେ ଜୁଆଙ୍ଗଙ୍କ ଧାନଚାଷ

0

ପଣ୍ଡାପଡ଼ା : ପ୍ରତିକୂଳ ପରିସ୍ଥିତିରେ ଧାନ ଚାଷ କରିବା ପାଇଁ ଆଗ୍ରହ ଜନ୍ମାଇଛନ୍ତି କେତେକ ଜୁଆଙ୍ଗ ପରିବାର। ସରକାରୀ କଳର ଏଥିପ୍ରତି ସାମାନ୍ୟତମ ସହଯୋଗ ନ ଥିଲେ ମଧ୍ୟ ଏହି ପରିବାରଗୁଡ଼ିକ ପାହାଡ଼ ଉପରେ ଧାନଚାଷ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।
ଜମିରେ ଧାନଚାଷ କରିବା ଏକ ସ୍ୱାଭାବିକ ପ୍ରକିୟା; କିନ୍ତୁ ପାହାଡ଼ ଊପରେ ଛୋଟ ବଡ଼ ପଥର ଓ ଗୋଡ଼଼ିଥିବା ସ୍ଥାନରେ ଧାନ ବୁଣିବା ଭଳି ଏକ ନିଆରା ଘଟଣା ବାଂଶପାଳ ବ୍ଲକ ଗୋନାସିକା ପଞ୍ଚାୟତ ଜନ୍ତାରି ଗ୍ରାମ ରାସ୍ତାକଡ଼କୁ ଲାଗିଥିବା ପାହାଡ଼ ଉପରେ ଦେଖିବାକୁ ମଳିଛି। ବିଲ ମାଟି ଓ ଗୋଡ଼ାଜମିକୁ ହଳ କରି ଜନ୍ତାରି ପାହାଡ଼ ଉପରେ କିଛି ଚାଷୀ ଖରିଫ ଧାନ ଚାଷ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏମାନଙ୍କର ସ୍ୱଳ୍ପ ଜମି ଥିବାରୁ ପାହାଡ଼ରେ ଚାଷ କରିବାକୁ ଉଦ୍ୟମ ଚଳାଇଛନ୍ତି। ପରଘରେ ମୂଲଲାଗି ଏମାନେ ରୋଜଗାର କରନ୍ତି। ଗରିବ ହେଲେ ହେଁ ପରଶ୍ରମୀ। ଏଣୁ ଅନ୍ତତଃ ଅଳ୍ପ କେତେ ଦିନପାଇଁ ପେଟକୁ ଭାତ ମିଳିବ ବୋଲି ୧୪ରୁ୧୫ ଜଣ ଗରିବ ଆଦିବାସୀ ଜୁଆଙ୍ଗ ସଂପ୍ରଦାୟର ମହିଳା ଏକତ୍ର ହୋଇ ପାହାଡ଼ ଉପରେ ଧାନ ବୁଣୁଛନ୍ତି। ଏଠାରେ ହଳଲଙ୍ଗଳ ଦରକାର ପଡ଼ୁନାହିଁ। ଏମାନେ ପାହାଡ଼ରେ ଥିବା ଛୋଟ ବୁଦାକୁ ସଫାକରି ମେଟାଲଗୁଡ଼ିକୁ ହାତରେ ଘୁଞ୍ଚାଇ ପଥୁରିଆ ସ୍ଥାନରେ ମାଟି ଖୋଜନ୍ତି। ସେହିସ୍ଥାନକୁ କାଙ୍କ ଦ୍ୱାରା ଖୋସାଇ ଥାଆନ୍ତି।
ଏ ପାହାଡ଼ର ପାଦଦେଶରୁ ଶୀର୍ଷ ଆଡ଼କୁ ପାଖାପାଖି ଏକ ଏକରରୁ ଅଧିକ ସ୍ଥାନରେ ଧାନ ବୁଣା ଯାଉଥିବା ଦେଖିବାକୁ ମିଳିଛି। ବର୍ଷାହେଲେ ପାହାଡ଼ ଶୀର୍ଷରୁ ନିମ୍ନଭାଗକୁ ପାଣି ଗଡ଼ିଆସେ, ଧାନଗଛ ଗଜାମାରେ। ଧାନଗଛଗୁଡ଼ିକୁ ରୁଆ କି ବିହୁଡ଼ା ଯାଏ ନାହିଁ। କେବଳ ଅନାବନା ଲତା ଆଉ ଘାସବୁଦାଗୁଡ଼ିକୁ ସଫା କରାଯାଇଥାଏ। ଗୁଡ଼ାଜମିରେ ବୁଣାଯାଉଥିବା ଗାଉଁଲି ଭାଷାରେ ବାଙ୍କି ନାମକ ଧାନକୁ ଏଠାରେ ଫସଲ କରି ଧାନ ଅମଳ କରିଥାଉ ବୋଲି ଧାନ ବୁଣୁଥିବା ଜନ୍ତାରିଗ୍ରାମର ଜୁଆଙ୍ଗ ସମ୍ପ୍ରଦାୟର ଦେହୁରୀ ଧୋକା ଜୁଆଙ୍ଗ ଓ ଶ୍ରୀକାନ୍ତ ଜୁଆଙ୍ଗ ସୂଚନା ଦେଇଛନ୍ତି।

kalyan agarbati
Leave A Reply