ମହିଳାଙ୍କ ସୁରକ୍ଷା ସମ୍ପର୍କିତ ରିପୋର୍ଟ ଭୁଲ୍
ନୂଆଦିଲ୍ଲୀ : ସୁରକ୍ଷା ଦୃଷ୍ଟି କୋଣରୁ ଭାରତ ମହିଳାଙ୍କ ପାଇଁ ବିପଦଜ୍ଜନକ ରାଷ୍ଟ୍ର ବୋଲି ଥମସନ ରଏଟର୍ସ ଫାଉଣ୍ଡେସନ ପକ୍ଷରୁ ପ୍ରକାଶିତ ରିପୋର୍ଟକୁ ସରକାର ଖଣ୍ଡନ କରିଛନ୍ତି। କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ଏହି ରିପୋର୍ଟ ସମ୍ପୂର୍ଣ୍ଣ ରୂପେ ଭୁଲ୍। ଏହି ରିପୋର୍ଟ କୌଣସି ତଥ୍ୟ ଆଧାରିତ ନୁହେଁ। ଏହା କେତେକ ଅଜ୍ଞାନୀ ଲୋକଙ୍କ ମତାମତକୁ ଆଧାର କରି ପ୍ରସ୍ତୁତ କରାଯାଇଛି। ସେହିପରି ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମା ମଧ୍ୟ ଏହି ରିପୋର୍ଟକୁ ଅଗ୍ରାହ୍ୟ କରିଛନ୍ତି। ଶ୍ରୀମତୀ ଶର୍ମା କହିଛନ୍ତି ଯେ ଭାରତର ମହିଳାମାନେ ବେଶ ସଚେତନ। ତେଣୁ ଏପରି ସର୍ଭେରେ ଭାରତକୁ ୧ ନମ୍ବରରେ ସ୍ଥାନୀତ କରାଯାଇପାରିବ ନାହିଁ। ରଏଟର୍ସ ଏକ ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟାରେ ଏହି ରିପୋର୍ଟ ପ୍ରସ୍ତୁତ କରିଛି। କାରଣ ସମଗ୍ର ବିଶ୍ୱରୁ ୫୪୮ ଲୋକଙ୍କ ମତାମତାକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ମାତ୍ର ୪୩ଜଣ ଭାରତୀୟଙ୍କ ମତାମତ ନିଆଯାଇଛି। ରଏଟର୍ସର ଏହି ରିପୋର୍ଟ ଅନୁଯାୟୀ ଭାରତ ମହିଳାଙ୍କ ଲାଗି ବିଶ୍ୱର ସବୁଠାରୁ ବିପଦଜ୍ଜନକ ରାଷ୍ଟ୍ର। ଏହା ପଛକୁ ଆଫଗାନିସ୍ତାନ ଓ ସିରିଆ ରହିଛି।